ଶୋଇଥିବା ବେଳେ ଭୁଶୁଡି ପଡିଲା ଟାଙ୍କି : ଏକ କୋଟି ଲିଟର ପାଣିରେ ଭାସିଲା କୋଚି

ଶୋଇଥିବା-ବେଳେ-ଭୁଶୁଡି-ପଡିଲା-ଟାଙ୍କି-:-ଏକ-କୋଟି-ଲିଟର-ପାଣିରେ-ଭାସିଲା-କୋଚି

ଥିରୁଅନନ୍ତପୁରମ, ୧୦|୧୧:  ରାତିରେ ସମସ୍ତେ ଖାଇପିଇ ଶୋଇଥିଲେ । କିନ୍ତୁ ସକାଳେ ଉଠିବା ବେଳକୁ ସବୁ କିଛି ବୁଡି ଯାଇଥିଲା । ଘର ଭିତରେ ପଶିଯାଇଥିଲା ପାଣି । ରାତାରାତି ବନ୍ୟା ହୋଇଯାଇଥିଲା । ଏମିତି କିଛି ଘଟିଛି କେରଳର କୋଚିରେ । ରବିବାର ବିଳମ୍ବିତ ରାତ୍ରରେ ଏକ ପାଣି ଟାଙ୍କି ଭାଙ୍ଗିଯିବାରୁ ସାରା ସହର ଜଳମଗ୍ନ ହୋଇଯାଇଛି ।

ସୂଚନାନୁସାରେ, କୋଚିର ଥାମନାମରେ ଥିବା କୁଥାପାଦି ମନ୍ଦିର ପାଖରେ ଏହି ଅଘଟଣ ଘଟିଛି । ରାତିରେ ପାଣି ଟାଙ୍କିଟି ହଠାତ ଭାଙ୍ଗି ଭୁଶୁଡି ପଡିଥିଲା । ଫଳରେ ଘର ମଧ୍ୟରୁ ପାଣି ପ୍ରବେଶ କରିଥିଲା । ଟାଙ୍କିରେ ୧ କୋଟି ୩୫ ଲକ୍ଷ ଲିଟରରୁ ଅଧିକ ପାଣି ଥିବା କୁହାଯାଉଛି ।

ତେବେ ପାଣି ପଶିଯିବା ହେତୁ ସ୍ଥାନୀୟ ଲୋକଙ୍କ ଘର ଏବଂ କାନ୍ଥ କ୍ଷତିଗ୍ରସ୍ତ ହୋଇଛି । ଗାଡିମଟର ମଧ୍ୟ ପାଣିରେ ବୁଡିଯାଇଛି । ପାଣିରେ କିଛି ବାଇକ୍ ଏବଂ ଅଟୋ ରିକ୍ସା ଭାସି ଯାଇଥିବା ଅଭିଯୋଗ ହୋଇଛି । କିନ୍ତୁ ଏଥିରେ କେହି ମୃତାହତ ହୋଇନାହାଁନ୍ତି ।

ସ୍ଥାନୀୟ ଲୋକେ କହିଛନ୍ତି ଯେ, ଏତେ ପରିମାଣର ପାଣି ସହ ଘରକୁ ପଥର ଏବଂ ମାଟି ପଶି ଆସିଛି । ଘରେ ରହିବା ଅସମ୍ଭବ ହୋଇଗଲାଣି । ତଳ ମହଲାରେ ଥିବା ଲୋକେ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି । ସେମାନଙ୍କ ଆସବାବପତ୍ର ପୂରା ଓଦା ହୋଇଯାଇଛି । କେବଳ ଏତିକି ନୁହେଁ ସ୍ଥାନୀୟ ହସ୍ପିଟାଲ ମଧ୍ୟକୁ ପାଣି ପଶି ଯାଇଥିଲା । ଯଦ୍ୱାରା ଅନେକ ଔଷଧ ନଷ୍ଟ ହୋଇଯାଇଛି ।

କୁହାଯାଉଛି ଯେ, ଭାଙ୍ଗିଯାଇଥିବା ପାଣି ଟାଙ୍କିଟି ୪୦ ବର୍ଷ ପୁରୁଣା । ଏଥିରେ ବହୁ ଆଗରୁ ଫାଟ ସୃଷ୍ଟି ହୋଇଥିଲା । ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରାଶସନ ଚୁପ୍ ବସିଥିଲା । ଅଘଟଣ ଘଟିବା ପରେ ତଦନ୍ତ ଆରମ୍ଭ କରାଯାଇଛି ।

Scroll to Top