ଭୁବନେଶ୍ୱର ୨୬/୦୯: ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହୋଇସାରିଛି । ଶୁକ୍ରବାରକୁ ଏହା ଘନୀଭୂତ ହୋଇ ଅବପାତ ରୂପ ନେଇପାରେ । ମୁହାଁଇବ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ । ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ଅତିକ୍ରମ କରିବ । ପ୍ରବଳ ବର୍ଷିବ ଦକ୍ଷିଣ ଓଡ଼ିଶା ଏବଂ ଉପକୂଳରେ । ସମ୍ଭାବ୍ୟ ବର୍ଷାକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ୧୮ଟି ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅପରପକ୍ଷରେ ଆଉ ଗୋଟିଏ ଲଘୁଚାପ ହୋଇପାରେ ଅକ୍ଟୋବର ପହିଲାବେଳକୁ, ଯାହାକି ଅବପାତ ରୂପ ନେବା ନେଇ କିଛି ମଡେଲ୍ ଅନୁମାନ କରୁଛନ୍ତି । ଏହା ପ୍ରଭାବରେ ଦଶହରା ପାର୍ବଣ ଭିଜିବା ଆଶଙ୍କା ସୃଷ୍ଟି ହୋଇଛି । ଏପଟେ କିନ୍ତୁ ଗତ ୨/୩ ଦିନର ବର୍ଷା ଯୋଗୁ ମହାନଦୀ ଜଳସ୍ତର ଫୁଲୁଛି । ସନ୍ଧ୍ୟା ୬ଟାବେଳେ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୭୮ ହଜାର ୯୨୬ କ୍ୟୁସେକ ପାଣି ପ୍ରବେଶ କରୁଥିଲା । ୨୦ଟି ଗେଟ ଖୋଲାଯାଇଥିବାବେଳେ ସେକେଣ୍ଡ ପିଛା ୩ ଲକ୍ଷ ୬୧ ହଜାର ୫୧୭ କ୍ୟୁସେକ ପାଣି ନିଷ୍କାସିତ ହେଉଥିଲା ।
ସନ୍ଧ୍ୟା ସୁଦ୍ଧା ମୁଣ୍ଡୁଳିରେ ୨ ଲକ୍ଷ ୯ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଥିଲା । ଜଳ ସମ୍ପଦ ବିଭାଗର ଅନୁମାନ- ଶୁକ୍ରବାର ସକାଳ ୯ଟାବେଳକୁ ମୁଣ୍ଡୁଳିରେ ୬ ଲକ୍ଷରୁ ସାଢ଼େ ୬ ଲକ୍ଷ ଘନଫୁଟ ପର୍ଯ୍ୟନ୍ତ ପାଣି ପ୍ରବାହିତ ହୋଇପାରେ । ମହାନଦୀ ଅବବାହିକାରେ ବର୍ଷା କମିଥିବାରୁ ବନ୍ୟା ଆଶଙ୍କା ବର୍ତ୍ତମାନ ନାହିଁ । ତଥାପି ମହାନଦୀ ଓ ଏହାର ଶାଖା ନଦୀ କାଠଯୋଡ଼ି, କୁଆଖାଇ, କୁଶଭଦ୍ରା ଆଦିରେ ଜଳସ୍ତର ବଢ଼ିପାରେ । ତେଣୁ ତଳି ଅଞ୍ଚଳ ଉପରେ ସତର୍କ ନଜର ରଖାଯାଇଛି ।
ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଅବପାତ ରୂପ ନେବ । ୨୭ ତାରିଖ ସକାଳେ ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିବ । ଏହାର ପ୍ରଭାବରେ କୋରାପୁଟ ଓ ମାଲକାନଗିରିରେ ଅତି ପ୍ରବଳ ଓ ଅନ୍ୟାନ୍ୟ ଦକ୍ଷିଣ ଓଡ଼ିଶା ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହୋଇପାରେ ।
ଏସଆରସି ଭିଡିଓ କନଫରେନ୍ସିଂ ଯୋଗେ ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଜପତି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ନୂଆପଡ଼ା ଜିଲ୍ଲାପାଳଙ୍କ ସହ ସମ୍ଭାବ୍ୟ ସ୍ଥିତି ମୁକାବିଲା ଓ ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି । ବୈଠକରେ ଜଳ ସମ୍ପଦ ବିଭାଗ, ପାଣିପାଗ ବିଭାଗ, ଓସଡମା ଅଧିକାରୀ ଉପସ୍ଥିତ ଥିଲେ । କୋରାପୁଟ, ମାଲକାନଗିରି ସମେତ ଅନ୍ୟ ଜିଲ୍ଲାର ଜିଲ୍ଲାପାଳ କର୍ମକ୍ଷେତ୍ରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଅଗ୍ନିଶମ ସେବା, ଓଡ୍ରାଫ ନିୟୋଜିତ କରିବାକୁ କୁହାଯାଇଛି ।
ପାଣିପାଗ ବିଭାଗ କହିଛି, ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । କୋରାପୁଟ, ମାଲକାନଗିରିରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କନ୍ଧମାଳ, ନୟାଗଡ଼, ବାଲେଶ୍ୱର, ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଶଙ୍କା ଥିବାବେଳେ ଅନେକ ସ୍ଥାନରେ ଘଡ଼ଘଡ଼ି ସହ ଅସରାଏ ଲେଖାଏଁ ବର୍ଷା ହୋଇପାରେ । ୨୭ରେ ବି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ଅଛି । ୨୮, ୨୯, ୩୦ ଓ ଅକ୍ଟୋବର ପହିଲାରେ ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଥିବାବେଳେ ବଡ଼ ବର୍ଷା ନେଇ କୌଣସି ସତର୍କ ସୂଚନା ଜାରି କରାଯାଇନି ।
ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ବର୍ତ୍ତମାନର ଲଘୁଚାପ ପ୍ରଭାବରେ ଗୁରୁବାର ରାତି ଓ ଶୁକ୍ରବାର ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ମାତ୍ର ଶନିବାରଠାରୁ ବର୍ଷା ପ୍ରକୋପ କମିବ । ଯଦିଓ ପ୍ରତିଦିନ କିଛି କିଛି ସ୍ଥାନରେ ଅସରାଏ ଲେଖାଏଁ ବର୍ଷା ହୋଇପାରେ, କିନ୍ତୁ ଲଗାଣ ବର୍ଷା ସମ୍ଭାବନା କମ୍ । ଦୁର୍ଗାପୂଜାରେ ନବମୀ ପର୍ଯ୍ୟନ୍ତ ପାଗ ପ୍ରାୟତଃ ଭଲ ରହିପାରେ । ମାତ୍ର ୧ ତାରିଖବେଳକୁ ଘୂର୍ଣ୍ଣିବଳୟ ଓ ୨ରେ ଲଘୁଚାପ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ନବମୀ ରାତି ଓ ଦଶମୀ (୨ ତାରିଖ)ରେ ଉତ୍ତର ଓଡ଼ିଶା ଉପକୂଳରେ ବର୍ଷା ସମ୍ଭାବନା ଅଛି । ଜଗତସିଂହପୁରରୁ ବାଲେଶ୍ୱର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଅଧିକ । କଟକ, ଭୁବନେଶ୍ୱରରେ କିଛି ବର୍ଷା ହୋଇପାରେ । ୩ ପରେ ବର୍ଷା କମିପାରେ ।
ଆସନ୍ତା ୧୫ ଦିନ ପାଇଁ ପାଣିପାଗ ବିଭାଗ ବିସ୍ତାରିତ ପୂର୍ବାନୁମାନ ଜାରି କରିଛି । ଏହି ଆକଳନ ଅନୁସାରେ ପ୍ରଥମ ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶା, ଛତିଶଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି ଅକ୍ଟୋବର ପ୍ରଥମ ସପ୍ତାହରେ ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।




