ଶରୀର ଗଠନକୁ ନେଇ ଥଟ୍ଟା କରୁଥିଲେ ସାଙ୍ଗ, ଜୀବନରୁ ମାରିଦେଲେ ଦୁଇ ସାଙ୍ଗ

ଶରୀର-ଗଠନକୁ-ନେଇ-ଥଟ୍ଟା-କରୁଥିଲେ-ସାଙ୍ଗ,-ଜୀବନରୁ-ମାରିଦେଲେ-ଦୁଇ-ସାଙ୍ଗ

ଗୁଡ଼ଗାଓଁ: ଦୁଇ ବନ୍ଧୁଙ୍କ ଶରୀର ଗଠନକୁ ନେଇ ଥଟ୍ଟା କରୁଥିଲେ ତୃତୀୟ ସାଙ୍ଗ। ବାରମ୍ବାର ମନା କଲେବି ଶୁଣୁନଥିଲେ। ହେଲେ ସୀମା ଟପିଗଲା ଥଟ୍ଟା ମଜା। ରାଗରେ ସାଙ୍ଗକୁ ହତ୍ୟା କରିଦେଲେ ଦୁଇ ସାଙ୍ଗ। ହରିୟାଣାର ପଟୌଦିରେ ଏକ ସରକାରୀ ସ୍କୁଲ ପରିସରରୁ ଉଦ୍ଧାର ଯୁବକଙ୍କ ମୃତଦେହ ଘଟଣାର ପର୍ଦ୍ଦାଫାସ କରି ପୋଲିସ। ପ୍ରାୟ ଏକ ସପ୍ତାହର ତଦନ୍ତ ପରେ ପୋଲିସ ଏହି ଘଟଣାର ପର୍ଦ୍ଦାଫାସ ହୋଇଛି।ପୋଲିସ ଦୁଇ ବନ୍ଧୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଶାରୀରିକ ଗଠନକୁ ନେଇ ତାତ୍ସଲ୍ୟ କରିବାକୁ କେନ୍ଦ୍ର ଏହି ଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି।  

ସୂଚନା ଅନୁସାରେ, ଗତ ଅଗଷ୍ଟ ୪ ତାରିଖରେ ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଯୁବକଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଜଣାପଡ଼ିଥିଲା ମୃତକ ହେଉଛନ୍ତି ଜଟୌଲୀର କର୍ଣ୍ଣ (୨୧)। କର୍ଣ୍ଣଙ୍କୁ ତାଙ୍କର ଦୁଇ ବନ୍ଧୁ ଆକାଶ ଏବଂ ଶିବ କୁମାର ହତ୍ୟା କରିଛନ୍ତି। 

ପୋଲିସର ସୂଚନା ଅନୁସାରେ, ଏହି ତିନି ଜଣ ଭଲ ବନ୍ଧୁ ଥିଲେ। ମାତ୍ର କର୍ଣ୍ଣ, ଆକାଶ ଏବଂ ଶିବ କୁମାରଙ୍କୁ ସେମାନଙ୍କ ଶରୀର ଗଠନକୁ ନେଇ ସବୁବେଳେ ଥଟ୍ଟା କରୁଥିଲେ। କର୍ଣ୍ଣ ସବୁବେଳେ ସେମାନଙ୍କୁ ନିଜର ବଳିଷ୍ଠ ଚେହେରା ଦେଖାଇ ଥଟ୍ଟା କରୁଥିଲେ ଏବଂ ସେମାନଙ୍କୁ ଦୁର୍ବଳ ବୋଲି କହୁଥିଲେ। ଯାହାକୁ ନେଇ ଉଭୟ ବିରକ୍ତ ହୋଇପଡ଼ିଥିଲେ।

ଅଗଷ୍ଟ ୩ ତାରିଖ ସକାଳେ ତିନି ବନ୍ଧୁ ସେମାନଙ୍କ ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟର କାନ୍ଥ ଡେଇଁ ସ୍କୁଲ ଭିତରକୁ ପଶିଥିଲେ। ସେଠାରେ ଧୂମ୍ରପାନ କରୁଥିବା ସମୟରେ କର୍ଣ୍ଣ ପୁଣି ତାଙ୍କର ଅନ୍ୟ ଦୁଇ ବନ୍ଧୁଙ୍କୁ ଥଟ୍ଟା କରିଥିଲେ। ଏଥିରେ କ୍ରୋଧିତ ହୋଇ ସେମାନେ କର୍ଣ୍ଣଙ୍କ ମୁଣ୍ଡକୁ ପଥରରେ  ଆଘାତ କରିଥିଲେ ଓ ପରେ କଇଁଚି ଭୁଶି ହତ୍ୟା କରିଥିଲେ।

ପରେ କର୍ଣ୍ଣଙ୍କ ମୃତଦେହକୁ ସ୍କୁଲ ହତାରେ ଥିବା ଏକ ଶୌଚାଳୟରେ ଲୁଚାଇଦେଇଥିଲେ। ତେବେ ୪ ତାରିଖରେ ମୃତଦେହ ମିଳିଥିଲା ଏବଂ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଆକାଶ ଏବଂ ଶିବଙ୍କୁ ଅଗଷ୍ଟ ୭ ତାରିଖରେ ଗିରଫ କରିଥିଲା। ପଚରା ଉଚରା ସମୟରେ ସେମାନେ ସତ ମାନିନେଇଥିଲେ ଏବଂ କର୍ଣ୍ଣ ସେମାନଙ୍କ ଶରୀର ଗଠନକୁ ନେଇ ମଜା ଉଡ଼ାଉଥିବାରୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ପୋଲିସ ଉଭୟଙ୍କ ଗିରଫ କରି କୋର୍ଟ ଚାଲାଣ କରିଛି। 

Scroll to Top