ଲେହ, ୧୦|୧୧ : ଖୁବ ଶୀଘ୍ର ଲଦ୍ଦାଖକୁ ମିଳିବ ରାଜ୍ୟ ମାନ୍ୟତା । ଆରମ୍ଭ ହୋଇ ସାରିଛି ଆଲୋଚନା । ଲେହର ପ୍ରମୁଖ ସଙ୍ଗଠନ ଏବିଏଲ ଏବଂ କାରଗିଲ ଡେମୋକ୍ରାଟିକ୍ ଆଲିଆନ୍ସ ଏବଂ ଭାରତ ସରକାରଙ୍କ ମଧ୍ୟରେ କଥାବର୍ତ୍ତା ଆରମ୍ଭ ହୋଇଛି । ଏହାସହ ଲଦ୍ଦାଖକୁ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ସାମିଲ କରିବାକୁ ଦାବି କରାଯାଇଛି । କିନ୍ତୁ ସେଠାରେ ରହୁଥିବା ବୌଦ୍ଧ ସମୁଦାୟଙ୍କୁ ଏହା ପସନ୍ଦ ଆସିନି । କାରଣ ବୌଦ୍ଧ ସମାଜର ଅଧିକ ପ୍ରତିନିଧି ଆଲୋଚନାରେ ସାମିଲ ହୋଇ ନାହାଁନ୍ତି । କିଛି ନେତା ମଧ୍ୟ ରାଜ୍ୟ ମାନ୍ୟତାକୁ ନେଇ ଖୁସି ନଥିବା ଜଣାପଡିଛି ।
ରିପୋର୍ଟ ଅନୁସାରେ, ସେପ୍ଟେମ୍ବରରେ ଲେହରେ ପ୍ରବଳ ବିକ୍ଷୋଊ ପ୍ରଦର୍ଶନ ହୋଇଥିଲା । ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ଏହାପରେ ସରକାରଙ୍କ ସହ ହୋଇଥିବା ଆଲୋଚନାରେ ମୁସଲିମ ସମୁଦାୟର ୬ ଜଣ ଏବଂ ବୌଦ୍ଧ ସମୁଦାୟର ୩ ଜଣ ପ୍ରତିନିଧି ସାମିଲ ଥିଲେ ।
ପ୍ରତିନିଧି ମଣ୍ଡଳରେ ଲଦ୍ଦାଖର ସାଂସଦ ହାଜୀ ହନିଫା ଜାନ୍ ଏବଂ କାରଗିଲ ବିକାଶ ପରିଷଦର ଜାଫର ଅଖୁନ୍ ନେତୃତ୍ୱ ନେଇଥିଲେ । ଏଥିରେ ସଦ୍ଦାଜ କାରଗିଲି, ଅସଗର କରବଲାଇ ଏବଂ କମର ଅଖୁନଙ୍କୁ ସାମିଲ କରାଯାଇଥିଲା । ଲେହ ତରଫରୁ ଅଶରଫ ଅଲୀ କମିଟିର ନେତୃତ୍ୱ ନେଉଥିଲେ । ସମସ୍ତେ ମୁସଲିମ ସମ୍ପ୍ରଦାୟରୁ ରହିଥିଲେ ।
ତେବେ ଲଦ୍ଦାଖ ପ୍ରତିନିଧିମଣ୍ଡଳରେ ବୌଦ୍ଧଙ୍କ ସଂଖ୍ୟାକୁ ନେଇ ଚିନ୍ତା ପ୍ରକାଶ ପାଇଛି । ପୂର୍ବତନ ସାଂସଦ ଧୁପସ୍ତାନ ଛେବାଙ୍ଗ୍, ଛିରିଙ୍ଗ୍ ଦୋରଜେ ଲକରୁକ ଏବଂ ତାସୀ ଗ୍ୟାଲସନ ବୌଦ୍ଧଙ୍କ ତରଫରୁ ଆଲୋଚନାରେ ସାମିଲ ଥିଲେ । ଅନ୍ୟ ଦିଗରେ ତାଶୀଙ୍କ କାର୍ଯ୍ୟକାଳ ସମାପ୍ତ ହେବା କାରଣରୂ ଯଦି ସେ ବାଦ୍ ପଡନ୍ତି ମାତ୍ର ଦୁଇ ଜଣ ବୌଦ୍ଧ ହିଁ କଥାବାର୍ତ୍ତାରେ ଭାଗ ନେଇପାରିବେ ।
ଲଦ୍ଦାଖ ବୌଦ୍ଧ ସଙ୍ଘର କାରଗିଲ ଶାଖା ମୁଖ୍ୟ ସ୍ତାରିଙ୍ଗ୍ ସମ୍ପେଲ କହିଛନ୍ତି ଯେ, ସେମାନଙ୍କ ଧର୍ମରୁ ଆଉ କିଛି ନେତାଙ୍କୁ ଆଲୋଚନାରେ ସୁଯୋଗ ମିଳୁ । ଯାହାଦ୍ୱାରା ସେମାନେ ନିଜର ଦାବି ଉପସ୍ଥାପନା କରିପାରିବେ । କିଛି ମହିଳା ପ୍ରତିନିଧିଙ୍କୁ ସରକାରଙ୍କ ସହ ଆଲୋଚନାରେ ସାମିଲ କରାଯିବ ନେଇ ଦାବି କରିଛନ୍ତି ।




