ରୋହିତ-କୋହଲି ଦିନିକିଆ ବିଶ୍ଵକପ୍ ୨୦୨୭ ଖେଳିବେ କି ନାହିଁ ? ଆକଳନ ଉପରେ ପୂର୍ଣ୍ଣଛେଦ ପକାଇଲେ ଗିଲ୍

ରୋହିତ-କୋହଲି-ଦିନିକିଆ-ବିଶ୍ଵକପ୍-୨୦୨୭-ଖେଳିବେ-କି-ନାହିଁ-?-ଆକଳନ-ଉପରେ-ପୂର୍ଣ୍ଣଛେଦ-ପକାଇଲେ-ଗିଲ୍

ନୂଆଦିଲ୍ଲୀ: ତାରକା ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲି କଣ ୨୦୨୭ ବିଶ୍ଵକପ୍ ଖେଳିବେ ? କଣ ସେହି ସମୟରେ ଉଭୟଙ୍କୁ ଦଳରେ ସ୍ଥାନ ମିଳିବ ? କଣ ଦୁଇ ବ୍ୟାଟର ଫିଟ୍ ରହିବେ ? ଏମିତି ଅନେକ ପ୍ରଶ୍ନ କ୍ରିକେଟ୍ ପ୍ରେମୀଙ୍କ ମନରେ ଉଙ୍କି ମାରୁଛି। ଏହାକୁ ନେଇ ଅନେକ ବିତର୍କ ମଧ୍ୟ ହୋଇ ସାରିଲାଣି। ଏହା ମଧ୍ୟରେ ଭାରତର ନବ ନିଯୁକ୍ତ ଦିନିକିଆ ଅଧିନାୟକ ଶୁଭମନ ଗିଲ୍ ଏହି ପ୍ରସଙ୍ଗରେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି,  ଏହି ଦୁଇ ତାରକା ବ୍ୟାଟର ଦିନିକିଆ ବିଶ୍ଵକପ୍ ୨୦୨୭ ପାଇଁ ସଂପୂର୍ଣ୍ଣ ଭାବେ ଦଳରେ ରହିବେ। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦ୍ଵିତୀୟ ଟେଷ୍ଟ ପୂର୍ବରୁ ଗଣମାଧ୍ୟମ ପ୍ରତିନିଧି ସହ ଆଲୋଚନା ବେଳେ  ଗିଲ୍ ବରିଷ୍ଠ ଖେଳାଳିଙ୍କ ଭୂମିକା ଉପରେ ଭରସା ପ୍ରକଟ କରିଛନ୍ତି। ରୋହିତ ଓ କୋହଲିଙ୍କ ଅନୁଭବ ଓ କୌଶଳ ଦଳ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ବୋଲି ଗିଲ୍ କହିଛନ୍ତି।

ରୋହିତଙ୍କୁ ହଟାଯାଇ ଶୁଭମନ ଗିଲଙ୍କୁ ଦିନିକିଆ ଦଳର ଅଧିନାୟକ କରାଯିବାରୁ ପ୍ରଶଂସକଙ୍କ ମହଲରେ ନିରାଶର ମାହୋଲ ରହିଛି। ବିରାଟ କୋହଲି ଇସ୍ତଫା ଦେବା ପରେ ରୋହିତ ଶର୍ମା ବେଶ ସଫଳତାର ସହ ଭାରତୀୟ ଦଳର ନେତୃତ୍ଵ ନେଇଥିଲେ। ଏବେ ନେତୃତ୍ଵ ପରିବର୍ତ୍ତନ ପରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ମାର୍ଗ ଦର୍ଶନରେ ରୋହିତ ଓ ବିରାଟଙ୍କ ଦିନିକିଆ କ୍ରିକେଟରେ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଶୁଭମନ ଗିଲ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରୋହିତ ଓ ବିରାଟଙ୍କ ଅନୁଭବ ଓ ଦକ୍ଷତା ବହୁତ କମ ଖେଳାଳିଙ୍କ ପାଖରେ ଥାଏ। ଉଭୟ ଖେଳାଳି ଭାରତ ପାଇଁ ଯେତିକି ମ୍ୟାଚ୍ ଜିତିଛନ୍ତି, ତାହା ବହୁତ କମ ଖେଳାଳି ହାସଲ କରି ପାରିଛନ୍ତି। ସେମାନଙ୍କ କ୍ଷମତା, ଦକ୍ଷତା ଓ ଅନୁଭବ ଦଳ ପାଇଁ ବହୁମୂଲ୍ୟ ଅଟେ। ଏଥିପାଇଁ ଦୁଇ ଖେଳାଳି ଦିନିକିଆ ବିଶ୍ଵକପ୍ ୨୦୨୭ ପାଇଁ ସଂପୂର୍ଣ୍ଣ ଭାବେ ଦଳରେ ଅଛନ୍ତି।

ଗିଲ୍ ଏହା ମଧ୍ୟ କହିଛନ୍ତି ଯେ, ସେ ରୋହିତଙ୍କଠୁ ବହୁତ କିଛି ଶିଖିଛନ୍ତି। ରୋହିତ ଯେଉଁଭଳି ଦଳ ଭିତରେ ଆପଣାପଣ ଏବଂ ବନ୍ଧୁତ୍ଵର ମାହୋଲ ତିଆରି କରିଛନ୍ତି, ତାହା ମୋ ପାଇଁ ପ୍ରେରଣାଦାୟକ। ଆଉ ଏହି ଗୁଣ ହିଁ ରୋହିତଙ୍କଠୁ ଆପଣେଇବାକୁ ଚାହୁଁଛି।  କ୍ରିକେଟ୍ ବିଶେଷଜ୍ଞଙ୍କ ମତରେ ଭାରତ ସଂପ୍ରତି ଟ୍ରାଞ୍ଜିସନ ସମୟ ଦେଇ ଗତି କରୁଛି। ଆଉ ଗିଲ୍‌ଙ୍କ ବୟାନ ସ୍ପଷ୍ଟ ଏବଂ ସ୍ଥିରତାର ସନ୍ଦେଶ ଦେଇଛି। ଦଳ ଭବିଷ୍ୟତ ଆଡ଼େ ମୁହାଁଇଛି ଏବଏଂ ରୋହିତ ଓ କୋହଲିଙ୍କ ପରି ଅନୁଭବୀ ଖେଳାଳିଙ୍କ ଅନୁଭବ ବି ଚାହୁଁଛି। ଉଭୟଙ୍କ ଅନୁଭବ ବଡ଼ ଟୁର୍ଣ୍ଣାମେଣ୍ଟ ବିଶେଷ କରି ବିଶ୍ଵକପ୍ ଦଳ ପାଇଁ ବେଶ ସହାୟକ ହେବ। ​​​​​​​

Scroll to Top