ଗଜପତି ୨୬।୧୦: ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ଆନ୍ଧ୍ର ଉପକୂଳ କାକିନାଡା ଠାରେ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ ପରେ ଗଜପତି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି । ୩ଦିନ ପାଇଁ ଜିଲ୍ଲାର ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଜିଲ୍ଲାରେ ରହିଥିବା ବାତ୍ୟା ଆଶ୍ରୟସ୍ଥଳୀ ଓ ସ୍କୁଲ ଗୃହ ଗୁଡିକୁ ପ୍ରସ୍ତୁତ କରାଯାଇଛି । ଜିଲ୍ଲାରେ ସମସ୍ତ ସରକାରୀ ଅଧିକାରୀଙ୍କର ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କରାଯାଇଛି । ତଳିଆ ଅଞ୍ଚଳ ଓ ଜିଲ୍ଲାରେ ଥିବା ୧୩୯ଟି ଭୁସ୍ଖଳନ ପ୍ରଭାବିତ ଅଞ୍ଚଳ ଗୁଡିକରେ ଲୋକଙ୍କୁ ସଚେତନ ପାଇଁ ଡାକବାଜି ଯନ୍ତ୍ର ଜରିଆରେ ସଚେତନ କରାଯାଉଛି ।
ପ୍ରାଥମିକ ସ୍ତରରେ ଗର୍ଭବତୀ ମା’ ମାନଙ୍କୁ ସମସ୍ତ ମା’ ଗୃହ ଏବଂ ପ୍ରାଥମିକ ଚିକିତ୍ସାଳୟ ମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ପରବର୍ତ୍ତୀ ସମୟରେ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ପରିସ୍ଥିତି ଦେଖି ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରତି ବ୍ଲକ ସ୍ତରରେ ଜଣେ ଜଣେ ନୋଡାଲ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । ବ୍ଲକ ଏବଂ ଜିଲ୍ଲା ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରାଯାଇଛି । ସମସ୍ତ ମୋବାଇଲ ସେବା ସଂସ୍ଥା ମାନଙ୍କୁ ସତର୍କ କରାଯାଇଛି ଯେଭଳି ନେଟୱାର୍କ ସେବାରେ କୌଣସି ବ୍ୟାହତ ନହେବ ।
ସେହିପରି ବିଦ୍ୟୁତ ବିଭାଗକୁ ମଧ୍ୟ ସତର୍କ କରାଯାଇଛି । ପୂର୍ତ୍ତ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ବାତ୍ୟା ଜନିତ କୌଣସି କ୍ଷୟକ୍ଷତି ହୁଏ କିମ୍ବା ଭୁସ୍ଖଳନ ଓ କୌଣସି କାରଣରୁ ରାସ୍ତା ଅବରୋଧ ହେଲେ ତୁରନ୍ତ ସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ବାତ୍ୟାକୁ ଦୃଷ୍ଟିରେ ରଖି ଦୁଇଟି ଓଡ୍ରାଫ ଟିମ୍ ସୋମବାର ସକାଳ ସୁଦ୍ଧା ପାରଳାଖେମୁଣ୍ଡିରେ ଆସି ପହଞ୍ଚିବେ ଏବଂ ଅଗ୍ନିଶମ ବିଭାଗକୁ ମଧ୍ୟ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଗତ ଅକ୍ଟୋବର ୨ ତାରିଖରେ ଯେଭଳି ଟିକିଏ ଅସାବଧାନତା ଲାଗି ୩ ଜଣଙ୍କ ମୃତ୍ୟୁ ଘଟିଥିବା ଏହାସହ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଜଣ ନିଖୋଜ ଅଛନ୍ତି । ଏଭଳି ଘଟଣାର ଯେମିତି ପୁନରାବୃତ୍ତି ନହୁଏ ତାହାକୁ ଦୃଷ୍ଟିରେ ରଖି ପ୍ରଶାସନ ସମସ୍ତ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି । ସେପଟେ ଜିଲ୍ଲାର ସମସ୍ତ ପର୍ଯ୍ୟଟନସ୍ଥଳୀକୁ ବିଭାଗ ପକ୍ଷରୁ ବାରଣ କରାଯାଇଛି । ଯେଭଳି କୌଣସି ବ୍ୟକ୍ତି ଅମାନିଆ ହୋଇ ପର୍ଯ୍ୟଟନସ୍ଥଳୀକୁ ପ୍ରବେଶ ନକରିବେ ଏହି ସମସ୍ତ ଜିନିଷର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ମଧୁମିତା । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ବିସ୍ତୃତ ସୂଚନା ଦେଇଛନ୍ତି ।




