ରୁଷ-ୟୁକ୍ରେନ ଯୁଦ୍ଧ ଶେଷ ପାଇଁ ପ୍ରୟାସ ଜୋରଦାର ! ଆଲାସ୍କାରେ ପୁଟିନଙ୍କୁ ଭେଟିବେ ଟ୍ରମ୍ପ

ରୁଷ-ୟୁକ୍ରେନ-ଯୁଦ୍ଧ-ଶେଷ-ପାଇଁ-ପ୍ରୟାସ-ଜୋରଦାର-!-ଆଲାସ୍କାରେ-ପୁଟିନଙ୍କୁ-ଭେଟିବେ-ଟ୍ରମ୍ପ

ନୂଆଦିଲ୍ଲୀ: ଆଲାସ୍କାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ବୈଠକର ଉଦ୍ଦେଶ୍ୟ ହେଉଛି ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ଶାନ୍ତି ଚୁକ୍ତିନାମା ଉପରେ ଆଲୋଚନା କରିବା। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍’ରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ସମେତ ସମସ୍ତ ପକ୍ଷ ଏହି ତିନି ବର୍ଷ ପୁରୁଣା ସଂଘର୍ଷର ସମାଧାନ ପାଇଁ ଏକ ଅସ୍ତ୍ରବିରତି ଚୁକ୍ତିର ନିକଟତର।

ଟ୍ରମ୍ପ ଲେଖିଛନ୍ତି, ‘ଆମେରିକାର ରାଷ୍ଟ୍ରପତି ଭାବରେ ମୁଁ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବହୁ ପ୍ରତୀକ୍ଷିତ ବୈଠକ ଆସନ୍ତା ଅଗଷ୍ଟ ୧୫ରେ ଆମେରିକାର ଆଲାସ୍କା ରାଜ୍ୟରେ ଅନୁଷ୍ଠିତ ହେବ। ଆଗାମୀ ସମୟରେ ଅଧିକ ବିବରଣୀ ସେୟାର କରାଯିବ। ଏହି ବିଷୟରେ ଧ୍ୟାନ ଦେବା ପାଇଁ ଧନ୍ୟବାଦ!’

ଶୁକ୍ରବାର ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ, ଟ୍ରମ୍ପ ସୂଚାଇ ଦେଇଥିଲେ ଯେ ଚୁକ୍ତିରେ କିଛି କ୍ଷେତ୍ରର ବିନିମୟ ମଧ୍ୟ ହୋଇପାରେ। ଏକ ଭଲ ଭବିଷ୍ୟତ ପାଇଁ କିଛି କ୍ଷେତ୍ରର ବିନିମୟ ହେବ।”

ଏହି ସମ୍ଭାବ୍ୟ ଚୁକ୍ତି ଅନୁଯାୟୀ, ରୁଷ ଖେରସନ୍ ଏବଂ ଜାପୋରିଝିଆ ଅଞ୍ଚଳରେ ତାର ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବ। ଜାନୁଆରୀରେ ହ୍ୱାଇଟ୍ ହାଉସକୁ ଫେରିବା ପରଠାରୁ, ଟ୍ରମ୍ପ ରୁଷ ସହିତ ସମ୍ପର୍କ ଉନ୍ନତ କରିବାକୁ ଏବଂ ଯୁଦ୍ଧ ସମାପ୍ତ କରିବାକୁ ଚେଷ୍ଟା କରିଛନ୍ତି।

ସମ୍ପ୍ରତି ପୁଟିନଙ୍କ ଆଭିମୁଖ୍ୟରେ ବିରକ୍ତ ଟ୍ରମ୍ପ ଚେତାବନୀ ଦେଇଥିଲେ ଯେ ଯଦି ରୁଷ ଯୁଦ୍ଧ ସମାପ୍ତ କରିବାକୁ ରାଜି ନହୁଏ, ତେବେ ସେ ରୁଷ ଏବଂ ଏହାର ରପ୍ତାନି କ୍ରୟ କରୁଥିବା ଦେଶଗୁଡ଼ିକ ଉପରେ ନୂତନ କଟକଣା ଏବଂ ଶୁଳ୍କ ଲାଗୁ କରିବେ। ତଥାପି, ଏହି କଟକଣାଗୁଡ଼ିକ କାର୍ଯ୍ୟକାରୀ ହେବ କି ନାହିଁ ତାହା ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲା।

ଏହି ସପ୍ତାହରେ, ଆମେରିକା ରୁଷ ତେଲ କିଣିବା ପାଇଁ ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛି। ଏହି ନିଷ୍ପତ୍ତି ପାଇଁ ଟ୍ରମ୍ପଙ୍କୁ ମଧ୍ୟ ବହୁତ ସମାଲୋଚନା କରାଯାଉଛି। ଏହି ସମୟରେ, ମସ୍କୋରେ ଟ୍ରମ୍ପଙ୍କ ବିଶେଷ ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ପୁଟିନଙ୍କ ସହ ତିନି ଘଣ୍ଟା ଆଲୋଚନା କରିଥିଲେ, ଯାହାକୁ ଉଭୟ ପକ୍ଷ “ଗଠନାତ୍ମକ” ବୋଲି ବର୍ଣ୍ଣନା କରିଥିଲେ।

Scroll to Top