ପୁରୀ ୩୧।୧: ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୩ ଓ ୪ ତାରିଖ ଦୁଇ ଦିନିଆ ପୁରୀ ଗସ୍ତରେ ରାଷ୍ଟ୍ରପତି ଆସୁଥିବା ବେଳେ ଏହାକୁ ନେଇ ପୁରୀ ପୋଲିସ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସ୍ପି ପ୍ରତୀକ ସିଂ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀ ପୋଲିସ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବା କହିଛନ୍ତି ଏସ୍ପି । ବ୍ଲୁ ବୁକ୍ ଅନୁସାରେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ସୁରକ୍ଷା ଦାୟିତ୍ବରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ତାଳବଣିଆ ହେଲିପ୍ୟାଡ ଠାରୁ ଲୋକ ଭବନ, ଶ୍ଵେତଗଙ୍ଗା, ଶ୍ରୀମନ୍ଦିର ଭିତରେ ଓ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଉଛି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ପୁରୀ ସହରକୁ ରଖାଯିବ। ପୁରୀକୁ ଆସୁଥିବା ପର୍ଯ୍ୟଟକ ଓ ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଉଛି । ସମସ୍ତ ହୋଟେଲ, ଲଜିଂରେ କଡ଼ାକଡ଼ି ଯାଞ୍ଚ କରାଯାଉଛି । ସହରର ମୁଖ୍ୟ ପ୍ରବେଶ ପଥରେ ନାକା ଲଗାଯାଇ ପୋଲିସ ପକ୍ଷରୁ ଚେକିଂ କରାଯାଇଛି ।
ଡଗ୍ ସ୍କ୍ୱାଡ୍, ବମ୍ ସ୍କ୍ୱାଡ୍ ଦ୍ବାରା ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଚେକିଂ କରାଯାଉଛି । ଶ୍ଵେତଗଙ୍ଗା ଚତୁଃପାର୍ଶ୍ଵରେ ଥିବା ହୋଟେଲ, ଲଜ୍ ଏବଂ କୋଠା ଗୁଡିକର ମଧ୍ୟ ଯାଞ୍ଚ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ବାଲିସାହି ରାସ୍ତାରେ ଯାତାୟତ ବନ୍ଦ ରହିବ। ବଡ଼ଦାଣ୍ଡରେ ସୁରକ୍ଷା ବ୍ୟବସ୍ଥା ପାଇଁ ଉଭୟ ପାର୍ଶ୍ୱରେ ବ୍ୟାରିକେଡ଼ କରାଯାଇଛି । ରାଷ୍ଟ୍ରପତିଙ୍କ କାରକେଡ ସମୟରେ ନୋ ଭେହିକିଲ୍ ଜୋନ୍ କରାଯିବ। ରାଷ୍ଟ୍ରପତିଙ୍କ ଗସ୍ତକୁ ସଫଳ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର କରିଯାଇଥିବା ଏସ୍ପି କହିଛନ୍ତି ।




