ଭୁବନେଶ୍ୱର ୧୦।୧୧ : ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା। ଖସିବ ରାତି ପାରଦ। ଶୁକ୍ରବାର ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ୧୨ ଡିଗ୍ରୀ ଥିଲା । ଶନିବାର ଏହା ୧୧ ଡିଗ୍ରୀକୁ ଖସିଛି । ଝାରସୁଗୁଡ଼ାରେ ୧୫.୮ରୁ ୧୧.୭ ଡିଗ୍ରୀକୁ ଖସିଛି । ରାଉରକେଲାରେ ୧୬.୧ରୁ ୧୩.୨ ଓ ଭଦ୍ରକରେ ୧୫.୫ରୁ ୧୪ ଡିଗ୍ରୀକୁ ଖସିଛି । ସୋମବାର ଉତ୍ତର ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ରାତି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀକୁ ଖସିପାରେ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହି ପୂର୍ବାନୁମାନ କରିଛି ।
ରାଜ୍ୟର ୯ଟି ସହରରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଛି । ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ସର୍ବନିମ୍ନ ୧୧ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ଫୁଲବାଣୀରେ ୧୨, ରାଉରକେଲାରେ ୧୩.୨, ଭଦ୍ରକରେ ୧୪, ଅନୁଗୁଳ ଓ କୋରାପୁଟରେ ୧୪.୬, ଭବାନୀପାଟଣାରେ ୧୫, ବଲାଙ୍ଗୀରରେ ୧୫.୭ ଡିଗ୍ରୀ ରେକର୍ଡ ହୋଇଛି ।
ଖାଲି ଏହି ୯ଟି ସହର ନୁହେଁ, ଆହୁରି ଅନେକ ସହରର ତାପମାତ୍ରା ଖସିଛି। ରାଜଧାନୀ ଭୁବନେଶ୍ୱରର ରାତି ତାପମାତ୍ରା ୧୭.୪ ଡିଗ୍ରୀ ରହିଥିଲା । ଏହା ସହର ପାଇଁ ଚଳିତବର୍ଷର ସବୁଠୁ କମ୍ ତାପମାତ୍ରା । ଭବାନୀପାଟଣାରେ ୧୫, ବଲାଙ୍ଗୀରରେ ୧୫.୭, ସୋନପୁରରେ ୧୬.୫, ଟିଟିଲାଗଡ଼ ଓ ସମ୍ବଲପୁରରେ ୧୭, ହୀରାକୁଦରେ ୧୭.୨ ନବରଙ୍ଗପୁରରେ ୧୮.୫ ଡିଗ୍ରୀ ରେକର୍ଡ ହୋଇଛି। ଆଗକୁ ରାତି ତାପମାତ୍ରା ଆହୁରି ଖସିବ। ଏବେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ପାରଦ ୧୫ ଡିଗ୍ରୀରୁ ତଳକୁ ଖସିଛି ।
ରବିବାର ରାତିରୁ ଉତ୍ତର ଓ ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ । ଏବେ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ଆସୁଛି । ଏହା ପ୍ରଭାବରେ ରବିବାର ରାତିରୁ ରାଜ୍ୟର କିଛି ଅଞ୍ଚଳରେ ଉଭୟ ଦିନ ଓ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ । ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ଶୀତ ଅନୁଭୂତ ହୋଇପାରେ । ଆସନ୍ତା ୨ରୁ ୩ ଦିନରେ ପାରଦ ଆହୁରି ୩ରୁ ୪ ଡିଗ୍ରୀ ଖସିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।




