ରାଜନୈତିକ ଦଳଗୁଡ଼ିକ ସଠିକ୍ ସମୟରେ ଭୋଟର ତାଲିକା ଯାଞ୍ଚ କରୁନାହାନ୍ତି: ନିର୍ବାଚନ ଆୟୋଗ

ରାଜନୈତିକ-ଦଳଗୁଡ଼ିକ-ସଠିକ୍-ସମୟରେ-ଭୋଟର-ତାଲିକା-ଯାଞ୍ଚ-କରୁନାହାନ୍ତି:-ନିର୍ବାଚନ-ଆୟୋଗ

ନୂଆଦିଲ୍ଲୀ: ବିରୋଧୀଙ୍କ ଦ୍ୱାରା ଭୋଟ୍ ଲିଷ୍ଟରେ ହେର୍‌ଫେର୍ ଅଭିଯୋଗ ପରେ ନିର୍ବାଚନ ଆୟୋଗଙ୍କ ବୟାନ ସାମନାକୁ ଆସିଛି । ନିର୍ବାଚନ ଆୟୋଗ କହିଛନ୍ତି ଯେ ଯଦି ଭୁଲକୁ ସଠିକ୍ ସମୟରେ ସଠିକ୍ ଭାବେ ଉପସ୍ଥାପନା କରାଯାଇଥାନ୍ତା, ତେବେ ସେଥିରେ ସୁଧାର କରାଯାଇପାରନ୍ତା । ଆୟୋଗ କହିଛନ୍ତି ଯେ ପରାଦର୍ଶିତା ପୂରା ପ୍ରକ୍ରିୟାର ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ ଓ ପ୍ରତିଟି ପ୍ରର୍ଯ୍ୟାୟରେ ରାଜନୈତିକ ଦଳ ଏବଂ ମତଦାତାଙ୍କୁ ତ୍ରୁଟି ଜଣାଇବା ପାଇଁ ସୁଯୋଗ ଦିଆଯାଇଥାଏ । ଏହାରି ଭିତରେ ରବିବାର ନିର୍ବାଚନ ଆୟୋଗ ଏକ ସାମ୍ୱାଦିକ ସମ୍ମିଳନୀ କରିବେ ।

କମିଶନ କହିଛନ୍ତି ଯେ ଭୋଟ୍‌ର ତାଲିକା ସହ ଜଡିତ ଯେକୌଣସି ସମସ୍ୟା ଉଠାଇବାର ସଠିକ୍ ସମୟ ହେଉଛି ଦାବି ଏବଂ ଆପତ୍ତି ପର୍ଯ୍ୟାୟ । ସମସ୍ତ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କ ସହ ଭୋଟର ତାଲିକା ବାଣ୍ଟିବା ପଛରେ ଏହା ହିଁ ଉଦ୍ଦେଶ୍ୟ । ଯଦି ଏହି ସମସ୍ୟାଗୁଡ଼ିକୁ ସଠିକ୍ ସମୟରେ ସଠିକ୍ ମାଧ୍ୟମରେ ଉଠାଯାଇଥାନ୍ତା, ତେବେ ନିର୍ବାଚନ ପୂର୍ବରୁ ସମ୍ପୃକ୍ତ SDM ERO ଦ୍ୱାରା ତ୍ରୁଟିଗୁଡ଼ିକୁ ସଂଶୋଧନ କରାଯାଇପାରିଥାନ୍ତା ।

ଭୋଟର ତାଲିକାରେ ହେର୍‌ଫେର୍‌କୁ ନେଇ ଉଠୁଥିବା ପ୍ରଶ୍ନ ଉପରେ କମିଶନ କହିଛନ୍ତି, କିଛି ରାଜନୈତିକ ଦଳ ଓ ସେମାନଙ୍କ ବୁଥ୍ ସ୍ତରୀୟ ଏଜେଣ୍ଟ (ବିଏଲଏ) ସମୟ ଭିତରେ ନାମର ଯାଞ୍ଚ କରନ୍ତି ନାହିଁ ଓ ପରେ ତ୍ରୁଟି ନେଇ ଅଭିଯୋଗ କରୁଛନ୍ତି । କମିଶନ କହିଛନ୍ତି ଯେ ସଂସଦ ଓ ବିଧାନସଭା ନିର୍ବାଚନ ପାଇଁ ଭାରତର ନିର୍ବାଚନ ପ୍ରଣାଳୀ ଆଇନ ଦ୍ୱାରା ସ୍ଥିର ବହୁ-ସ୍ତରୀୟ ବିକେନ୍ଦ୍ରୀକରଣ ଢାଞ୍ଚା ଉପରେ ଆଧାରିତ । ଉପ-ମଣ୍ଡଳ ସ୍ତରରେ ଏସଡିଏମ୍ ଅର୍ଥାତ୍ ନିର୍ବାଚନ ପରିଚାଳନା ଅଧିକାରୀ, ବୁଥ୍ ଲେଭଲ୍ ଅଧିକାରୀଙ୍କ ସାହାଯ୍ୟରେ ଭୋଟର ତାଲିକା ପ୍ରସ୍ତୁତ କରି ଚୂଡାନ୍ତ ରୂପ ଦିଅନ୍ତି ।

କମିଶନ କହିଛନ୍ତି ଯେ ମତଦାନ ତାଲିକାର ଡ୍ରାଫ୍ଟ ପ୍ରକାଶିତ ହେବା ପରେ ଏହାର ଡିଜିଟାଲ୍ ଓ ଫିଜିକାଲ୍ କପି ସବୁ ରାଜନୈତିକ ଦଳ ସହ ସେୟାର କରାଯାଇଥାଏ । ଏହା ସହ ଆୟୋଗର ୱେବସାଇଟ୍‌ରେ ଅପଲୋଡ୍ କରାଯାଇଥାଏ । ମତଦାତା ଓ ରାଜନୈତିକ ଦଳଗୁଡ଼ିକୁ ଆପତ୍ତି ଓ ଅଭିଯୋଗ କରିବା ପାଇଁ ଏକ ମାସ ସମୟ ଦିଆଯାଇଥାଏ । ଚୂଡ଼ାନ୍ତ ସୂଚୀ ପ୍ରକାଶିତ ହେବା ପରେ ତାର କପିକୁ ରାଜନୈତିକ ଦଳଗୁଡିକୁ ପ୍ରଦାନ କରାଯାଇଥାଏ ଓ ଅନ୍‌ଲାଇନ୍ ଉପଲବ୍ଧ ହୋଇଥାଏ ।

Scroll to Top