ରାଜଧାନୀବାସୀଙ୍କୁ କିମିଆ କରୁଛି ‘ତୁ ମୋ ବଜରଙ୍ଗୀ’, ଟିକେଟ୍ ପାଇଁ ଖଣ୍ଡଗିରି ପାଲଟିଲା ରଣକ୍ଷେତ୍ର
Published By: Kirti – Prameya-News7 Bureau | January 31, 2026 10:13 AM
NEWS7
ଭୁବନେଶ୍ୱର ୩୧।୦୧ : ରାତି ୩ଟାରୁ ଆସିଛୁ, ଲାଇନରେ ଠିଆ ହେଲୁ, ତଥାପି ମିଳୁନି ଟିକେଟ୍। ପ୍ରଶାସନ ସବୁ ଜାଣିଛି, ତଥାପି ଚୁପ୍ ବସିଛି । ଯାତ୍ରା କମିଟି ବି ସବୁ ଜାଣି ଚୁପ୍ ବସିଛି । ଖଣ୍ଡଗିରିରେ ଟିକେଟ୍ କିଣା ବିକା ବେଳେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ।
ଖଣ୍ଡଗିରିର ଇନ୍ଦିରା ସାଂସ୍କୃତିକ ପରିଷଦରେ ପଡିଛି ଯାତ୍ରା ସିଂହବାହିନୀ । ଚଳିତ ବର୍ଷ ଖଣ୍ଡଗିରିରେ ସିଂହବାହିନୀ ତାର ଭାଇରାଲ ନାଟକ ‘ତୁ ମୋ ବଜରଙ୍ଗୀ’ ପରିବେଶଷ କରୁଛି । ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି ନାଟକ ହାଉସଫୁଲ୍ ଚାଲୁଛି । ପ୍ରତିଦିନ ଶହ ଶହ ଦର୍ଶକ ଲମ୍ବା ଲାଇନ ଲଗାଇ ଟିକେଟ୍ ନେଉଛନ୍ତି । ଆଉ ରାତିରେ ଯାତ୍ରା ଦେଖୁଛନ୍ତି । ଏହିକ୍ରମରେ ଶନିବାର ଦେଖିବାକୁ ମିଳିଥିଲା ଅଭାବନୀୟ ଘଟଣା । ସିଂହବାହିନୀ ଟିକେଟ କାଉଣ୍ଟର ଆଗରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଯାହାଫଳରେ କି ଠେଲାପେଲା ହୋଇଥିବାର ମଧ୍ୟ ଖବର ସାମ୍ନାକୁ ଆସିଥିଲା । ସେପଟେ କିଛି ଯାତ୍ରା ପ୍ରେମୀଙ୍କ ଆଣିଛନ୍ତି ସାଂଘାତିକ ଅଭିଯୋଗ । ତାଙ୍କ ମତରେ, କମିଟି ଜାଣିଶୁଣି ଲୋକଙ୍କୁ ଏପରି ହଇରାଣ କରୁଛି । ଆମେ ବହୁ ସମୟ ଧରି ଲାଇନ୍ରେ ଛିଡା ହୋଇଛି ଟିକେଟ୍ ଲାଗି । ହେଲେ ପଛରୁ କିଛି ଦୁର୍ବୃତ୍ତ ଆସି ଠେଲାପେଲା କରି ଟିକେଟ୍ ନେଉଛନ୍ତି । କମିଟି ସବୁ ଦେଖୁଛି, ତଥାପି ଚୁପ୍ ରହୁଛି । ସ୍ଥାନୀୟ କିଛି ଯୁବକ କୌଣସି କ୍ରମେ ପୁଳାପୁଳା ଟିକେଟ୍ କିଣି ନେଉଛନ୍ତି । ପରେ ସେହି ଟିକେଟ୍କୁ ୩ ଶହରେ କିଣି ହଜାରେ ଟଙ୍କାରେ ବିକ୍ରି ପାଇଁ ଯାଚୁଛନ୍ତି । ସେପଟେ ପରିସ୍ଥିତି ଅଣାୟତ୍ତ ଦେଖି ଖଣ୍ଡିଗିରି ପୋଲିସ କାଉଣ୍ଟର ସମ୍ମୁଖରେ ପହଞ୍ଚିଥିଲା । ଆଉ ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ କରିଥିଲେ । ଶେଷରେ କିଛି ସମୟରେ ପରିଶ୍ରମ ପରେ ପରିସ୍ଥିତରେ ସୁଧାର ଆସିଥିଲା ।




