ଭୁବନେଶ୍ୱର୧୨।୧୦ : ଦିବ୍ୟାଙ୍ଗ ଦୃଷ୍ଟିବାଧିତଙ୍କୁ ଆଉ ଦରକାର ନାହିଁ ଷ୍ଟିକ୍ କିମ୍ବା ମଣିଷଙ୍କ ସହାୟତା। ସାଧାରଣ ଲୋକଙ୍କ ଭଳି ସେମାନେ ସବୁ କାମ କରିପାରିବେ। ରବିବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଚାଇଲ୍ଡ ଆଣ୍ଡ ଓମେନ୍ସ ଡେଭେଲପମେଣ୍ଟ ସୋସାଇଟି (CWDS) ଏବଂ ଜିନ୍ଦଲ୍ ଫାଉଣ୍ଡେସନ୍ଙ୍କ ସହଯୋଗରେ “ଭୋସାପ୍ ଭିଜନ ଡ୍ରାଇଭ୍ ୨୦୨୫” ଭବ୍ୟ କାର୍ଯ୍ୟକ୍ରମରେ ୨୦୦ ଦିବ୍ୟାଙ୍ଗ ଦୃଷ୍ଟିବାଧିତଙ୍କୁ ମାଗଣାରେ ସ୍ମାର୍ଟ ଅନ ଚଷମା ଓ ସ୍ମାର୍ଟ ୱାଲେଟ ବଣ୍ଟନ କରାଯାଇଛି। ଆଗକୁ ରାଜ୍ୟର ସବୁ ଦିବ୍ୟାଙ୍ଗ ଦୃଷ୍ଟିବାଧିତଙ୍କୁ ମଧ୍ୟ ପ୍ରଦାନ କରାଯିବ। ୨୦୪୭ ସୁଦ୍ଧା ସବୁ ଦିବ୍ୟାଙ୍ଗ ଦୃଷ୍ଟିବାଧିତ ପାଖରେ ଏହି ସ୍ମାର୍ଟ ଅନ ଚଷମା ଓ ସ୍ମାର୍ଟ ୱାଲେଟ ପହଞ୍ଚାଇବା ଲକ୍ଷ୍ୟ ରଖା ଯାଇଛି।
ଦିବ୍ୟାଙ୍ଗ ଦୃଷ୍ଟିବାଧିତ ମାନେ ସ୍ମାର୍ଟ ଅନ ଚଷମା ବ୍ୟବହାର କରି ରାସ୍ତା ପାର କରିପାରିବେ, କମ୍ପ୍ୟୁଟର ସ୍କ୍ରିନ ପଢ଼ି ପାରିବେ, ଟଙ୍କା ଚିହ୍ନି ପାରିବେ। ଏମିତି ସବୁ ଟିକନିକ କାମ ସବୁ କରିପାରିବେ। ଦିବ୍ୟାଙ୍ଗ ଦୃଷ୍ଟିବାଧିତଙ୍କ ପାଇଁ ଏସବୁ କାମ କରିବ ଗୋଟିଏ ଚଷମା। ଏହି ଚଷମାରେ ଲାଗିଛି ସୂକ୍ଷ୍ମ କ୍ୟାମେରା। କ୍ୟାମେରାଟି ମୋବାଇଲରେ ଥିବା ଆପ୍ ସହିତ କନେକ୍ଟ ରହିବ। ଆଉ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏହାକୁ ଅପରେଟ କରିବ। କ୍ୟାମେରା ଯାହା ଦେଖିବ ଅଡିଅ ଜରିଆରେ ଦିବ୍ୟାଙ୍ଗ ଦୃଷ୍ଟିବାଧିତ କାନରେ ଶୁଣାଇ ଦେବ। ସାମ୍ନାରେ କିଏ ଅଛି, କେଉଁ ରଙ୍ଗର ସାର୍ଟ ପିନ୍ଧିଛି, ବହିରେ କଣ ଲେଖାଯାଇଛି, କେତେ ଟଙ୍କିଆ ନୋଟ ଇତ୍ୟାଦି ସବୁ କିଛି କହିବ। ସାଧାରଣ ସୁସ୍ଥ ଲୋକ ମଣିଷର ଆଖି ଯାହା ଦେଖୁଛି, ଯେମିତି ଗଣନା କରୁଛି ଠିକ୍ ସେମିତି ସବୁ କଥା ଏହି କ୍ୟାମେରା ଦେଖିବ, ଜାଣିବ ଓ ଅନାଲିସିସ୍ କରି ଭଏସ ମାଧ୍ୟମରେ କାନରେ କହିଦେବ। ଏହାକୁ ବ୍ୟବହାର କରୁଥିବା ଦିବ୍ୟାଙ୍ଗ ଦୃଷ୍ଟିବାଧିତଙ୍କ ପ୍ରଶ୍ନ ଶୁଣି ଉତ୍ତର ବି ଦେବ। ଏଭଳି ଚମତ୍କାର ଏଆଇ କ୍ୟାମେରାକୁ ବ୍ୟବହାର କରି ଦିବ୍ୟାଙ୍ଗ ଦୃଷ୍ଟିବାଧିତମାନେ ରୋଜଗାର କରିବା ସହିତ ଭାରତ ଅର୍ଥନୀତିରେ ଅଧିକ ଯୋଗଦାନ କରିପାରିବେ। ଏହି ଚଷମାକୁ ବ୍ୟବହାର କରିବା ଦ୍ଵାରା ଅଫିସରେ କମ୍ପ୍ୟୁଟର ସ୍କ୍ରିନକୁ ପଢ଼ି ପାରି କାମ କରିବେ। ସରକାରୀ ଅଫିସରେ ଫାଇଲ ପଢ଼ି ପାରିବେ। ପରୀକ୍ଷା ପାଇଁ ସହଜରେ ପ୍ରସ୍ତୁତ ହୋଇପାରିବେ।
ତେବେ ବର୍ତ୍ତମାନ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଅଡିଓ ଆସିବ । ପରେ ଓଡ଼ିଆ ଭାଷାରେ ମଧ୍ୟ ଓଡ଼ିଆ ଦିବ୍ୟାଙ୍ଗ ଦୃଷ୍ଟିବାଧିତମାନେ ଶୁଣି ପାରିବେ। ଏହାଛଡା ସ୍ମାର୍ଟ ୱାଲେଟ ବି ପ୍ରଦାନ କରାଯାଇଥିଲା। ଏହା ଏକ ଆପ। ମୋବାଇଲରେ ଇନଷ୍ଟଲ୍ କରିବାକୁ ପଡେ। ଏହି ୱାଲେଟକୁ ବ୍ୟବହାର କରି ଟଙ୍କା ଅସଲି କି ନକଲି ଜାଣି ପାରିବେ ଦିବ୍ୟାଙ୍ଗ ଦୃଷ୍ଟିବାଧିତ। ଆଗକୁ ସବସିଡିରେ ଏହି ଉପକରଣ ମିଳିବ।




