ରକ୍ତମୁଖା ଲାଲ୍ବାହିନୀ, ପୋଲିସ ଇନ୍ଫର୍ମର ସନ୍ଦେହରେ ଆଦିବାସୀ ଯୁବକଙ୍କୁ ନିର୍ମମ ହତ୍ୟା
Published By : Prameya-News7 Bureau | August 20, 2025 IST

ମାଲକାନଗିରି ୨୦।୦୮ : ପୁଣି ମାଓ ହିଂସା । ମାଲକାନଗିରି-ଛତିଶଗଡ଼ ସୀମାନ୍ତ କାଙ୍କେର ଜିଲ୍ଲାରେ ପୁଣି ଥରେ ମାଓବାଦୀଙ୍କ ହିଂସା କାଣ୍ଡ ଦେଖିବାକୁ ମିଳିଛି । ଜଣେ ଆଦିବାସୀଙ୍କୁ ଅତି ବର୍ବରତା ସହ ହତ୍ୟା କରିଛନ୍ତି ଲାଲ ବାହିନୀ ।

ଖବର ଅନୁଯାୟୀ, ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାରେ ମାଓ ହିଂସା। ଛୋଟେବେଠିଆ ଥାନା ଅନ୍ତର୍ଗତ ବିଣାଗୁଣ୍ଡା ଗାଁର ଜଣେ ଆଦିବାସୀ ଯୁବକଙ୍କୁ ପ୍ରଜା କୋର୍ଟରେ ହତ୍ୟା କରିଛନ୍ତି ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ଶହ ଶହ ଗ୍ରାମବାସୀଙ୍କ ସମ୍ମୁଖରେ ଯୁବକଙ୍କୁ ମୃତ୍ୟୁ ଦଣ୍ଡ ଘୋଷଣା କରିବା ସହ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଲାଲ୍ ବାହିନୀ। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଗତ ସୋମବାର ରାତିରେ ବିଣାଗୁଣ୍ଡା ଗାଁର ମନୀଷ ନୁରୁତିଙ୍କୁ ସଶସ୍ତ୍ର ମାଓବାଦୀମାନେ ଘରୁ ଉଠାଇ ନେଇଥିଲେ। ମଙ୍ଗଳବାର ଦିନ ପ୍ରଜାକୋର୍ଟରେ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଛି। ବାକି ଅନ୍ୟ ଦୁଇ ଆଦିବାସୀ ଯୁବକଙ୍କୁ ମାଡ ମାରି ଛାଡି ଦେଇଛନ୍ତି। ମାଓବାଦୀଙ୍କ ପରତାପୁର ଏରିଆ କମିଟି ବ୍ୟାନର ଲଗାଇ ହତ୍ୟା କରିଥିବା ନେଇ ସୂଚନା ଦେଇଛି।





