ଭୁବନେଶ୍ବର ୨୨।୩: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ବିଜୁ ଜନତା ଦଳର ୬ ଜଣ ବିଧାୟକ ନିଲମ୍ବିତ ହେବା ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ବିଜେଡି ଦଳରୁ ନିଲମ୍ବନ ପରେ ପ୍ରତିକ୍ରିୟା ରଖିଛନ୍ତି ସୌଭିକ ବିଶ୍ୱାଳ । ସେ କହିଛନ୍ତି, ଯେଉଁଦିନ ମୋ ବାପାଙ୍କୁ ବିଜେଡି ଦଳରୁ ବହିଷ୍କାର କରାଯାଇଥିଲା ମୁଁ ମଧ୍ୟ ସେହି ଦିନ ବିଜେଡି ଦଳରୁ ବହିଷ୍କାର ହୋଇଛି ବୋଲି ଭାବିଥିଲି । ମୁଁ ଭାବିଥିଲି ମୋତେ ଦଳରୁ ବହିଷ୍କାର କରିବେ । ମୋ ବାପା ନବୀନ ନିବାସରେ ସଂତୃପ୍ତ ମିଶ୍ରଙ୍କୁ ରାଜ୍ୟସଭା ପ୍ରାର୍ଥୀ ନ କରିବାକୁ ପ୍ରସ୍ତାବ ରଖିଥିଲେ । କାରଣ ମୂଳରୁ ଦଳ ଗଠନରେ ତାଙ୍କର ଅବଦାନ କିଛି ନାହିଁ, ଏହା ଦଳର ସ୍ବାର୍ଥରେ ଥିଲା ।
ରାଜ୍ୟସଭା ନିର୍ବାଚନ ପୂର୍ବରୁ ମୋତେ ନବୀନ ନିବାସ ଡକାଯାଇଥିଲା । ମୋ ସାଙ୍ଗରେ ୭ ଜଣ ବିଧାୟକ ବନ୍ଧୁ ମଧ୍ୟ ଉପସ୍ଥିତ ଥିଲେ । ସେତେବେଳେ ନିର୍ମାଲ୍ୟ ଛୁଇଁ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ କୁହାଯାଇଥିଲା, କିନ୍ତୁ ମୁଁ ନବୀନ ବାବୁଙ୍କୁ ହାତଯୋଡି ସତ କହିଥିଲି । ମୁଁ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ଦେଇପାରିବି ନାହିଁ । ମୋ ବାପାଙ୍କୁ ଅସମ୍ମାନ କରାଯାଇଛି, ପୁଅ ହୋଇ ମୁଁ କେମିତି ତାଙ୍କ ବିରୋଧରେ ଯାଇପାରିବି । ମୋ ବାପାଙ୍କୁ ଯେଉଁଭଳି ଅତ୍ୟାଚାର କରାଯାଇଛି ମୁଁ ସହି ପାରିବିନାହିଁ । ୨୦୦୪ରେ ପ୍ରଭାତ ବିଶ୍ୱାଳ ଟିକେଟ୍ ପାଇଁ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ କିନ୍ତୁ ତାଙ୍କୁ ଟିକେଟ୍ ଦିଆଗଲାନାହିଁ ।
Also Read:- BJD Politics : ଦଳର ସମ୍ବିଧାନ ଅଛି, ଯିଏ ଶୃଙ୍ଖଳା ଭାଙ୍ଗିବ, ତାଙ୍କ ବିରୋଧରେ ହେବ ଆକ୍ସନ
ମୋ ବାପା ବାରମ୍ବାର ବିଧାୟକ ଭାବରେ ବିଜୟ ଲାଭ କରିଛନ୍ତି । ୩୬ ସଂଘରେ ୩୦ ବର୍ଷ ହେବା ସଭାପତି ଏବଂ ଉପଦେଷ୍ଟା ଭାବରେ କାର୍ଯ୍ୟ କରିଆସୁଛନ୍ତି । ଆମେ ଅର୍ଥ ଲୋଭି ନୁହେଁ । ଆମେ ନା ପୂର୍ବରୁ ଅର୍ଥ ପାଇଁ ଲଢ଼ିଛୁ ନା ପରେ ନା ଭବିଷ୍ୟତରେ ଲଢ଼ିବୁ । ଘୋଡା ବେପାର ଏବଂ ପ୍ରଭାତ ବିଶ୍ୱାଳ ଦୁଇଟି ଅଲଗା ଅଲଗା ରାସ୍ତା ବୋଲି ସୌଭିକ୍ କହିଛନ୍ତି ।




