ମୋବାଇଲ୍ ଆଇ ଟେଷ୍ଟିଂ ଭ୍ୟାନର ଶୁଭାରମ୍ଭ, ସେବାରୁ ବଞ୍ଚିତ ଅଞ୍ଚଳଗୁଡ଼ିକରେ ଯୋଗାଇବ ନିଶୁଳ୍କ ସେବା

ମୋବାଇଲ୍-ଆଇ-ଟେଷ୍ଟିଂ-ଭ୍ୟାନର-ଶୁଭାରମ୍ଭ,-ସେବାରୁ-ବଞ୍ଚିତ-ଅଞ୍ଚଳଗୁଡ଼ିକରେ-ଯୋଗାଇବ-ନିଶୁଳ୍କ-ସେବା

ଭୁବନେଶ୍ବର: ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର କଳିଙ୍ଗା ଏବଂ ଇଣ୍ଡିଆନ ବ୍ୟାଙ୍କର CSR ପଦକ୍ଷେପ ସହଯୋଗରେ ଏକ ବିଶେଷ ଭାବେ ପ୍ରସ୍ତୁତ ମୋବାଇଲ୍ ଆଇ ଟେଷ୍ଟିଂ ଭ୍ୟାନର ଶୁଭାରମ୍ଭ କରାଯାଇଛି। ଗୁରୁବାର ସନ୍ଧ୍ୟାରେ ଜୟଦେବ ବିହାର ସ୍ଥିତ ଓଡ଼ିଶା ଜ୍ଞାନ କର୍ପୋରେସନ ଲିମିଟେଡ (OKCL) ପରିସରରେ ଏହାର ଶୁଭାରମ୍ଭ ହୋଇଛି।

ରୋଟାରିଆନ ମନୋଜ କୁମାର ତ୍ରିପାଠୀ, ଡିଷ୍ଟ୍ରିକ୍ଟ ଗଭର୍ନର, RI ଡିଷ୍ଟ୍ରିକ୍ଟ ୩୨୬୨, ଭ୍ୟାନଟିକୁ ଔପଚାରିକ ଭାବେ ଶୁଭାରମ୍ଭ କରିଥିଲେ। ସେହିପରି ଶ୍ରୀମତୀ ଅରୁଣା ଏମ୍, ଫିଲ୍ଡ ଜେନେରାଲ ମ୍ୟାନେଜର, ଇଣ୍ଡିଆନ ବ୍ୟାଙ୍କ ଏହି ଭ୍ୟାନଟିକୁ କଟକ JPM ରୋଟାରୀ ଆଇ ହସ୍ପିଟାଲକୁ ଔପଚାରିକ ଭାବେ ହସ୍ତାନ୍ତର କରିଥିଲେ। ଏହି ହସ୍ପିଟାଲ ଭ୍ୟାନଟିକୁ ପରିଚାଳନା କରି ଓଡ଼ିଶାର ଦୂର- ଦୂରାନ୍ତ ତଥା ସେବାରୁ ବଞ୍ଚିତ ଅଞ୍ଚଳଗୁଡ଼ିକରେ ନିଶୁଳ୍କ ଆଖି ଚିକିତ୍ସା ସେବା ପ୍ରଦାନ କରିବ। ପୂର୍ବତନ ସଭାପତି ରୋଟାରିଆନ୍ ଅଜିତ କୁମାର ମହାପାତ୍ର, “ପ୍ରୋଜେକ୍ଟ ରାଇଟ୍ଟୁ ସାଇଟ୍”ର ଅଧ୍ୟକ୍ଷ ଭାବେ ଏହି ପ୍ରକଳ୍ପର ସମନ୍ୱୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ।

ରୋଟାରିଆନ ଡ. ମନୋରଞ୍ଜନ ପୁଥାଳ, ଅଧ୍ୟକ୍ଷ ରୋଟାରୀ କ୍ଲବ୍ ଅଫ ଭୁବନେଶ୍ୱର କଳିଙ୍ଗା ଏବଂ OKCL ପ୍ରବନ୍ଧ ନିର୍ଦ୍ଦେଶକ, କହିଥିଲେ- “ଏହି ‘ରାଇଟ୍ଟୁ ସାଇଟ୍’ ପଦକ୍ଷେପ ରୋକି ପାରିବା ଯୋଗ୍ୟ ଅନ୍ଧତ୍ୱକୁ ଦୂର କରିବାରେ ଏକ ମାଇଲ ଷ୍ଟୋନ ସାବ୍ୟସ୍ତ ହେବ। ମୋବାଇଲ୍ ଆଇ ଟେଷ୍ଟିଂ ଭ୍ୟାନ ମାଧ୍ୟମରେ ଗୁଣାତ୍ମକ ଆଖି ସେବା ସିଧାସଳଖ ଭାବରେ ଅବହେଳିତ ଓ ଅସହାୟ ଲୋକମାନଙ୍କ ପାଖକୁ ପହଞ୍ଚିବ।” ଡିଷ୍ଟ୍ରିକ୍ଟ ଗଭର୍ନର ରୋଟାରିଆନ ମନୋଜ କୁମାର ତ୍ରିପାଠୀ ମତ ପ୍ରକାଶ କରିଥିଲେ ଯେ, ଏପରି ପଦକ୍ଷେପ ସମାଜକୁ ଗୁଣାତ୍ମକ ସେବା ପହଞ୍ଚାଇବାରେ ଅତ୍ୟାବଶ୍ୟକ ଏବଂ ସେ ଏହି ପ୍ରକଳ୍ପର ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ଇଣ୍ଡିଆନ ବ୍ୟାଙ୍କର CSR ପଦକ୍ଷେପ ଏବଂ ଶ୍ରୀମତୀ ଅରୁଣା ଏମ୍ଙ୍କ ନେତୃତ୍ୱରେ ଏହି ଭ୍ୟାନ୍ ମାଧ୍ୟମରେ ସମ୍ପୂର୍ଣ୍ଣ ଆଖି ପରୀକ୍ଷା, ଚଷମା ବଣ୍ଟନ ଓ ଆବଶ୍ୟକ ଅପରେଶନ ପାଇଁ ରେଫରାଲ ସେବା ପ୍ରଦାନ କରାଯିବ।ଏଥିରେ ଆଧୁନିକ ଡାୟାଗ୍ନୋଷ୍ଟିକ ସାଜସଜ୍ଜା ରହିଛି, ଯାହାଦ୍ୱାରା ସେହିସ୍ଥାନରେ ହିଁ ପରୀକ୍ଷା କରାଯାଇପାରିବ। କାର୍ଯ୍ୟକ୍ରମ ରୋଟାରୀ କ୍ଲବ୍, ଇଣ୍ଡିଆନ ବ୍ୟାଙ୍କ ଏବଂ JPM ରୋଟାରୀ ଆଇ ହସ୍ପିଟାଲ ମଧ୍ୟରେ ସଫଳ ସରକାରୀ- ବେସରକାରୀ- ସାମାଜିକ ସହଯୋଗର ଏକ ଉତ୍କୃଷ୍ଟ ଉଦାହରଣ ଭାବେ ପ୍ରତିପାଦିତ ହୋଇଛି।

Scroll to Top