ରାୟଗଡ଼ା ୧।୯: ଜଙ୍ଗଲୀ ମହୁମାଛି ଆକ୍ରମଣରେ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୩ ବର୍ଷର ଶିଶୁ କନ୍ୟା ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଦୁନ୍ଦୁଲିଗୁଡା ଛକ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗୁଆହତ ଗର୍ଭବତୀ ମଞ୍ଜୁଳା ହିଆଲୁ ଓ ତାଙ୍କ ୩ବର୍ଷର ଶିଶୁ କନ୍ୟାଙ୍କୁ ଗୁରୁତର ଅବସ୍ଥାରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଉଭୟ ମା’ ଝିଅ ଦୁନ୍ଦୁଲିଗୁଡା ଗାଁରୁ କେନ୍ଦୁଗୁଡା ଗାଁ ଅଭିମୁଖେ ଚାଲି ଚାଲି ଯାଉଥିବା ବେଳେ ହାଠାତ ରାସ୍ତା କଡରେ ଥିବା ଆମ୍ବ ଗଛରୁ ଜଙ୍ଗଲୀ ମହୁମାଛି ଦୁଇ ଜଣଙ୍କୁ ହାତ, ମୁହଁ ଓ ବେକରେ ଆକ୍ରମଣ କରିଥିଲା । ଫଳରେ ଦୁହେଁ ସେଠାରେ ଚିତ୍କାର କରି ତଳେ ପଡିଯାଇଥିଲେ । ପରେ ସେଠାରେ କିଛି ଚାଷୀ ଜମିରେ ଚାଷ କରୁଥିବା ବେଳେ ଚିତ୍କାର ଶୁଣି ଦୁଇ ଜଣଙ୍କୁ ଉଦ୍ଧାର କରି ବିଦ୍ୟୁତ ବିଭାଗର ଏକ ଗାଡିରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଉଭୟ ଗର୍ଭବତୀ ଓ ଶିଶୁ କନ୍ୟାକୁ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।




