କୁଆଲାଲମ୍ପୁର ୨୭/୧୦: ମାଲେସିଆରେ ଚାଲିଛି ASEAN ଶିଖର ସମ୍ମିଳନୀ । ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ମାଲେସିଆରେ ପହଞ୍ଚିଥିଲେ। ମାଲେସିଆ ବିମାନବନ୍ଦରରେ ତାଙ୍କୁ ଧୁମଧାମରେ ସ୍ୱାଗତ କରାଯାଇଥିଲା। ତେବେ ଏହି ଗ୍ରାଣ୍ଡ ଓ୍ୱେଲକମ୍ ବେଳେ ଟ୍ରମ୍ପ ବି ଦେଖାଇଥିଲେ ତାଙ୍କର ଜଲଓ୍ୱା । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ରାଷ୍ଟ୍ରପତି ଟ୍ରମ୍ପଙ୍କ ଗସ୍ତର ଉଦ୍ଦେଶ୍ୟ ହେଉଛି ମାଲେସିଆ ସହିତ ବାଣିଜ୍ୟ, ସୁରକ୍ଷା ଏବଂ ପର୍ଯ୍ୟଟନ ସହଯୋଗକୁ ସୁଦୃଢ଼ କରିବା।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରବିବାର ସକାଳେ ମାଲେସିଆ ଗସ୍ତରେ ଆସି ପହଞ୍ଚିଥିଲେ । ତାଙ୍କୁ ସ୍ୱାଗତ ପାଇଁ ରେଡ୍ କାର୍ପେଟ୍ ବିଛାଯାଇଥିଲା । କଳାକାରମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ତାଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ସମୟରେ ରେଡ୍ କାର୍ପେଟ୍ରେ ସ୍ଥାନୀୟ କଳାକାରଙ୍କ ସହ ନୃତ୍ୟ କରିଥିଲେ ରାଷ୍ଟ୍ରପତି ଟ୍ରମ୍ପ୍ । ଏହାଛଡ଼ା କୁଆଲାଲମ୍ପୁରରେ ଟ୍ରମ୍ପ୍ଙ୍କ ଉପସ୍ଥିତିରେ ଥାଇଲାଣ୍ଡ ଓ କମ୍ବୋଡିଆ ସାମରିକ ସଙ୍ଘର୍ଷ ଶେଷ କରିବା ଲାଗି ଶାନ୍ତି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।
— Margo Martin (@MargoMartin47) October 26, 2025
ଟ୍ରମ୍ପ୍ କହିଥିଲେ, ଯାହାକୁ ଲୋକେ ଅସମ୍ଭବ ଭାବୁଥିଲେ ମୁଁ ତାହାକୁ ସମ୍ଭବ କରି ଦେଖାଇଛି । ଥାଇଲାଣ୍ଡ ଓ କମ୍ବୋଡିଆ ମଧ୍ୟରେ ଏକ ମନ୍ଦିର ବିବାଦକୁ କେନ୍ଦ୍ରକରି ୫ ଦିନ ଧରି ଯୁଦ୍ଧ ହୋଇଥିଲା । ଏଥିରେ ୪୮ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ଶେଷ କରିବାରେ ଟ୍ରମ୍ପ୍ଙ୍କର ବଡ଼ ଭୂମିକା ରହିଥିଲା । ଟ୍ରମ୍ପ୍ କୁଆଲାଲମ୍ପୁରରେ ପହଞ୍ଚିବା ପରେ ତାଙ୍କୁ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱରଇବ୍ରାହିମ୍ ସ୍ୱାଗତ କରିଥିଲେ । ସେ ଆସିଆନ୍ ଶିଖର ସମ୍ମିଳନୀରେ ସାମିଲ ହେବାକୁ ମାଲେସିଆ ଆସିଛନ୍ତି । ଟ୍ରମ୍ପ୍ ୨୦୧୭ ପରେ ପ୍ରଥମ ଥର ପାଇଁ ଏହି ସମ୍ମିଳନୀରେ ସାମିଲ ହୋଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଇବ୍ରାହିମ୍ଙ୍କ ସହ ସେ ଦ୍ୱିପାକ୍ଷିକ ବୈଠକ କରିବେ ।




