କଟକ ୦୮/୧୧: ମାଟ୍ରିକ ପରୀକ୍ଷା ପାଇଁ ଆଜିଠୁ ଆରମ୍ଭ ହେବ ଫର୍ମ ପୂରଣ । ରେଗୁଲାର,ଏକ୍ସ-ରେଗୁଲାର ପରୀକ୍ଷା ପାଇଁ ହେବ ଫର୍ମପୂରଣ । ନଭେମ୍ବର ୮ରୁ ୨୨ ତାରିଖ ଯାଏଁ ଫର୍ମପୂରଣ କରିପାରିବେ ଛାତ୍ରଛାତ୍ରୀ । ଉଭୟ ରେଗୁଲାର, ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ସମସ୍ତେ କେବଳ ଅନଲାଇନରେ ଫର୍ମ ପୂରଣ କରିବେ । bseodisha.ac.in ରେ ଲଗ୍ ଅନ୍ କରି ଆବେଦନ କରିପାରିବେ ଛାତ୍ରଛାତ୍ରୀ । ସେହିପରି ସଂସ୍କୃତ ଟୋଲ୍ ପରୀକ୍ଷାର୍ଥୀ ମାନେ ନଭେମ୍ବର ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ଅଫଲାଇନରେ ଫର୍ମ ପୂରଣ କରିବେ ।
ସୂଚନା ଥାଉକି, ୨୦୨୬ ମସିହା ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ୍) ନିମନ୍ତେ ଫର୍ମ ପୂରଣ ଚଳିତ ନଭେମ୍ବର ମାସ ୮ ତାରିଖ ଶନିବାରରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିସହିତ ଓଡ଼ିଶା ରାଜ୍ୟ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା(ଏସ୍ଓଏସ୍ସି) ଓ ମଧ୍ୟମା (ସଂସ୍କୃତ) ସାର୍ଟିଫିକେଟ୍ ପରୀକ୍ଷା ପାଇଁ ଫର୍ମ ପୂରଣ ୧୨ ତାରିଖରୁ କରାଯିବ । ମାଟ୍ରିକ୍ ପରୀକ୍ଷା ପାଇଁ ୪ଟି ବର୍ଗରେ ଫର୍ମ ପୂରଣ କରାଯିବ ।
ସ୍କୁଲ୍ରେ ରେଗୁଲାର୍ ପାଠ ପଢୁଥିବା, ସ୍କୁଲ୍ରେ ଥିବା କ୍ୱାସି ରେଗୁଲାର୍ ଓ ସ୍କୁଲ୍ର ଏକ୍ସ ରେଗୁଲାର୍ ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନ୍ଲାଇନ୍ରେ ବିଦ୍ୟାଳୟ ମୁଖ୍ୟଙ୍କ ଦ୍ୱାରା କରାଯିବ । ସେହିପରି ପତ୍ର ବିନିମୟ ପାଠ୍ୟକ୍ରମ ରେଗୁଲାର୍ ଓ ପତ୍ର ବିନିମୟ ପାଠ୍ୟକ୍ରମ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟର ଉପ ସମ୍ପାଦକଙ୍କ ଦ୍ୱାରା କରାଯିବ । ଫର୍ମ ପୂରଣର ଶେଷ ସମୟ ୨୨ ତାରିଖ ରାତି ୧୧ଟା ୪୫ ରଖାଯାଇଛି । ରାଜ୍ୟ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ୨୦୨୬(ପ୍ରଥମ) ନିମନ୍ତେ ଫର୍ମପୂରଣ ମଧ୍ୟ ୮ ତାରିଖରୁ ଆରମ୍ଭ ହେଉଛି ।
ଏହି ଫର୍ମପୂରଣ ଅନ୍ଲାଇନ୍ରେ କରାଯିବ । ସମସ୍ତ ମୁକ୍ତ ବିଦ୍ୟାଳୟର ବ୍ଳକ୍ ଓ ଜିଲ୍ଲା ଷ୍ଟଡି ସେଣ୍ଟର୍ର ମୁଖ୍ୟ ଏହି ଫର୍ମ ପୂରଣର କାର୍ଯ୍ୟକୁ ନିର୍ଦ୍ଦିଷ୍ଟ ସମୟରେ ଶେଷ କରାଇବେ । ଫର୍ମ ପୂରଣ ପରେ ରୋଲ୍ ସିଟ୍ ଡାଉନ୍ଲୋଡ୍ କରି ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହାର ଏକ ନକଲ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟରେ୨୪ ତାରିଖ ସୁଦ୍ଧା ଦାଖଲ କରିବେ । ଏଥିସହିତ ୨୦୨୬ ମସିହା ଦଶମ ଶ୍ରେଣୀ ମଧ୍ୟମା (ସଂସ୍କୃତ) ପରୀକ୍ଷା ପାଇଁ ଫର୍ମ ପୂରଣ ଚଳିତ ମାସ ୧୨ ତାରିଖରୁ ଆରମ୍ଭ ହୋଇ ୨୨ରେ ସରିବ ।
ଉଭୟ ରେଗୁଲାର୍ ଓ ଏକ୍ସ ରେଗୁଲାର୍ ପରୀକ୍ଷାର୍ଥୀ ଏହି ଫର୍ମ ପୂରଣ କରିବେ । ସଂପୃକ୍ତ ଟୋଲ୍ର ହେଡ୍ ପଣ୍ଡିତମାନେ ନିଜ ଟୋଲ୍ର ଡିଆର୍ ସିଟ୍ ସଂପୃକ୍ତ ଶାଖା କାର୍ଯ୍ୟାଳୟରୁ ସଂଗ୍ରହ କରି ଫର୍ମ ପୂରଣ କରିବା ପରେ ସଂପୃକ୍ତ ଶାଖା କାର୍ଯ୍ୟାଳୟରେ ଦାଖଲ କରିବେ । ଏହାର ଶେଷ ଦିନ ଚଳିତ ମାସର ୨୪ ତାରିଖ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।




