ନୂଆଦିଲ୍ଲୀ: ଆଇସିସି ମହିଳା କ୍ରିକେଟ ଓ୍ବାର୍ଲ୍ଡ କପ୍ ୨୦୨୫ର ୨୦ ନମ୍ବର ମ୍ୟାଚ୍ରେ ରବିବାର ଭାରତୀୟ ଦଳ ଇଂଲଣ୍ଡ ଟିମ୍ର ସାମ୍ନା କରିଥିଲା। ଇନ୍ଦୋରର ହୋଲକର ଷ୍ଟାଡିୟମରେ ହୋଇଥିବା ଏହି ମୁକାବିଲାରେ ଇଂଲଣ୍ଡ ୪ ରନ୍ରେ ବିଜୟୀ ହୋଇଛି। ଏହି ବିଜୟ ସହ ଇଂଲଣ୍ଡ ସେମିଫାଇନାରେ ପହଞ୍ଚିଛି। ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ପୂର୍ବରୁ ହିଁ ଫାଇନାଲ-୪ରେ ପହଞ୍ଚିସାରିଛନ୍ତି। ମୁକାବିଲାରେ ଭାରତକୁ ବିଜୟୀ ହେବାକୁ ୨୮୯ ରନ୍ର ଟାର୍ଗେଟ ମିଳିଥିଲା। କିନ୍ତୁ ଭାରତ ୬ ଓ୍ବିକେଟରେ ୨୮୪ ରନ୍ ହିଁ କରିପାରିଥିଲା।
ଭାରତୀୟ ଟିମ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଭଲ ପ୍ରଦର୍ଶନ କରି ପ୍ରଥମେ ଶ୍ରୀଲଙ୍କା ଏବଂ ପରେ ପାକିସ୍ତାନକୁ ପରାଜିତ କରିଥିଲା।କିନ୍ତୁ ଏହା ପରେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ବିରୋଧରେ ମୁକାବିଲା ହାରିଯାଇଥିଲା। ଆଉ ଏବେ ଇଂଲଣ୍ଡ ଠାରୁ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡ଼ିଛି।ତେବେ ଭାରତୀୟ ଟିମ୍ ଏବେ ଅକ୍ଟୋବର ୨୩ରେ ନ୍ୟୁଜିଲାଣ୍ଡ ଏବଂ ଅକ୍ଟୋବର ୨୬ରେ ବାଂଲାଦେଶର ସାମ୍ନା କରିବ।
ଭାରତୀୟ ଦଳର ପ୍ରଦର୍ଶନ କହିଲେ, ଦଳ ଟାର୍ଗେଟର ପିଛା କରିଥିଲେ ବି ପ୍ରତୀକା ରାଓ୍ବଲ ୬ ରନ୍ ସହ ଓ୍ବିକେଟ ହରାଇଥିଲେ। ଏହା ପରେ ହରଲୀନ ଦେୟୋଲ ମଧ୍ୟ ୨୪ ରନ୍ରେ ଆଉଟ୍ ହୋଇଥିଲେ। ଏଠାରୁ ସ୍ମୃତି ମନ୍ଧାନା ଏବଂ କ୍ୟାପ୍ଟେନ ହରମନପ୍ରୀତ କୌର ତୃତୀୟ ଓ୍ବିକେଟ ପାଇଁ ୧୨୪ ରନ୍ର ପାର୍ଟନରସିପ୍ କରିଥିଲେ। ହରମନପ୍ରୀତ କୌର ୧୦୦ ରନ୍ର ଷ୍ଟ୍ରାଇକ୍ ରେଟ୍ ସହ ୭୦ କରିଥଲେ, ଯେଉଁଥିରେ ୧୦ ଚୌକା ରହିଛି।
ହରମନପ୍ରୀତ କୌରଙ୍କ ଆଉଟ ହେବା ପରେ ସ୍ମତି ମନ୍ଧନା ଏବଂ ଦୀପ୍ତି ଶର୍ମା ମଧ୍ୟରେ ଚତୁର୍ଥ ଓ୍ବିକେଟ ପାଇଁ ୬୭ ରନ୍ର ପାର୍ଟନରସିପ୍ ହୋଇଥିଲା। ସ୍ମୃତି ୮ ଚୌକା ସହ ୯୪ ବଲ୍ରେ ୮୮ ରନ୍ କରିଥିଲେ। ସ୍ମୃତି ଆଉଟ ହେବା ପରେ ଭାରତୀୟ ଟିମ୍ ବିପର୍ଯ୍ୟୟର ସାମ୍ନା କରିଥିଲା। ପ୍ରଥମେ ଋଚା ଘୋଷ ୮ ରନ୍ରେ ଆଉଟ ହୋଇଥିଲେ। ଏହା ପରେ ଦୀପ୍ତି ଶର୍ମା ବଡ଼ ସଟ୍ ଖେଳିବାକୁ ଯାଇ ଆଉଟ୍ ହୋଇଥିଲେ। ସେ ୫୭ ବଲ୍ରେ ୫୦ ରନ୍ କରିଥିଲେ। ଶେଷ ଓଭରରେ ଭାରତକୁ ବିଜୟୀ ହେବା ପାଇଁ ୧୪ ରନ୍ର ଆବଶ୍ୟକତା ରହିଥିଲା। କିନ୍ତୁ ସ୍ନେହ ରାଣା ଏବଂ ଅମନଜୋତ କୌର ମ୍ୟାଚ୍ ସାରିପାରିନଥିଲେ।




