ମଦ ପାଇଁ ସାଙ୍ଗ ସୈତାନ, ଚାପଡ଼ରେ ହାଣିଲା, ମନ ବୁଝିଲାନି ମୁଣ୍ଡକୁ ଛେଚି ଛେଚି ମାରିଦେଲା
Published By: Ruby – Prameya-News7 Bureau | March 29, 2026 02:14 PM
NEWS7
ପୁରୀ ୨୯।୩: ମଦ ପାଇଁ ସାଙ୍ଗ ପାଲଟିଗଲା ସୈତାନ । ମଦ ମିଳିଲାନି ବୋଲି ସାଙ୍ଗକୁ ଅତି ନିର୍ମମ ଭାବେ ହତ୍ୟା କଲା ସାଙ୍ଗ । ଶୁକ୍ରବାର ବିଳମ୍ବିତ ରାତ୍ରିରେ ପୁରୀ ସମୁଦ୍ର କୂଳ ଥାନା ଅନ୍ତର୍ଗତ ପେଣ୍ଠକଟା ତାରିଣୀ ବସ୍ତିରେ ଘଟିଥିବା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି ପୁରୀ ପୋଲିସ । ମୁଖ୍ୟ ଅଭିଯୁକ୍ତ ତାରିଣୀ ବସ୍ତିର ଗୋବିନ୍ଦ ପାଇକରାୟକୁ ସମୁଦ୍ର କୂଳ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଠାରୁ ପୋଲିସ ଗୋଟିଏ ଚାପଡ, ଦୁଇଟି ମୋବାଇଲ ଫୋନ୍ ଜବତ କରିଛି।
ପୁରୀ ଏସପିଙ୍କ ସୂଚନା ଅନୁଯାୟୀ ଗତ ଶୁକ୍ରବାର ରାତିରେ ତପୁ, ଗୋବିନ୍ଦ ଓ ଅନ୍ୟ ସାଙ୍ଗ ଚାରିଜଣ ଏକାଠି ହୋଇ ରେଳ ଷ୍ଟେସନ ଠାରେ ମଦ୍ୟପାନ କରିଥିଲେ। ପରେ ଆହୁରି ମଦ ଆଣିବା ପାଈଁ ତପୁ କହିବାରୁ ଗୋବିନ୍ଦ ମଦ ଯୋଗାଇ ଦେବ ବୋଲି କହିଥିଲା। ତେବେ ଗୋବିନ୍ଦ ମଦ ଆଣି ନ ପାରିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଗୋବିନ୍ଦ ଉତକ୍ଷିପ୍ତ ହୋଇ ଘର ଭିତରୁ ଏକ ଚାପଡ ଆଣି ତପୁ ଓ ବବୁଲ୍ କୁ ମରଣାନ୍ତକ ଆକ୍ରମଣ କରିଥିଲା। ତପୁ ବାଲି ଉପରେ ମୁହଁ ମାଡି ପଡିଯିବାରୁ ଗୋବିନ୍ଦ ଏକ ପଥରରେ ତପୁ ମୁଣ୍ଡକୁ ଛେଚି ଦେଇଥିଲା। ଘଟଣା ସ୍ଥଳରେ ହିଁ ତପୁର ମୃତ୍ୟୁ ହୋଇଥିଲା। ସେହିପରି ବବୁଲ୍ ଗୁରୁତର ଅବସ୍ଥାରେ ଘଟଣା ସ୍ଥଳରୁ ଖସି ଆସି ପ୍ରଥମେ ପୁରୀ ଓ ପରେ କଟକ ଏସସିବିରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛି। ଏହି ଘଟଣାକୁ ପୋଲିସ ଅତି ଗୁରୁତର ସହ ନେଇ ତଦନ୍ତ ଚଳାଇଥିବା ବେଳେ ପୁରୀ ପୋଲିସକୁ ବଡ଼ ସଫଳତା ମିଳିଛି ବୋଲି କହିଛନ୍ତି ଏସପି।




