ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ଏସ୍ଆଇଆର୍ ବିରୋଧରେ ଦାଖଲ ଆବେଦନ ଉପରେ ଶୁଣାଣି କରିଛନ୍ତି । ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁ ଲୋକଙ୍କ ନାଁ ମତଦାନ ସୂଚୀରୁ ବାହାର ହୋଇଛି, ସେମାନେ ଅନଲାଇନ୍ ଜରିଆରେ ଆବେଦନ କରିପାରିବେ । ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟା ବାଗଚୀଙ୍କ ଖଣ୍ଡପୀଠ ଆବେଦନକାରୀଙ୍କୁ ଆଧାରକାର୍ଡ ଓ ଅନ୍ୟ ୧୧ ଦସ୍ତାବିଜ ସହ ଆବେଦନ କରିବା ପାଇଁ ମଞ୍ଜୁରି ଦେଇଛନ୍ତି ।
ରାଜନୈତିକ ପାର୍ଟିଗୁଡ଼ିକ ମତଦାନ ସୂଚୀରୁ ବାହାର ହୋଇଥିବା ୬୫ ଲକ୍ଷ ଲୋକଙ୍କ ନାଁ ଉପରେ ଆପତ୍ତି ଉଠାଇବା ପାଇଁ ଆଗକୁ ନସିବା ଉପରେ ସୁପ୍ରିମକୋର୍ଟ ଆଶ୍ଚର୍ଯ୍ଯ ପ୍ରକାଶ କହିଥିଲେ । ସୁପ୍ରମକୋର୍ଟ ରାଜନୈତିକ ଦଳଗୁଡ଼ିକର ନିଷ୍କ୍ରିୟତା ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ଶୁଣାଣି ବେଳେ ନିର୍ବାଚନ ଆୟୋଗ କହିଥିଲେ ଯେ ୮୫ ହଜାର ନୂଆ ମତଦାତାଙ୍କୁ ଭୋଟର ଲିଷ୍ଟରେ ଯୋଡ଼ାଯାଇଛି । ଏହାସହ ନିର୍ବାଚନ ଆୟୋଗ କହିଥିଲେ ଯେ ରାଜନୈତିକ ପାର୍ଟିଗୁଡ଼ିକ ବୁଥ୍ ସ୍ତରୀୟ ଏଜେଣ୍ଟଙ୍କ ଜରିଆରେ ଏବେ ସୁଦ୍ଧା କେବଳ ଦୁଇଟି ଅଭିଯୋଗ କରିଛନ୍ତି ।
ସୁପ୍ରିମକୋର୍ଟ କହିଥିଲେ ଯେକୌଣସି ବ୍ୟକ୍ତି ନିଜେ କିମ୍ୱା ରାଜନୈତିକ ପାର୍ଟିର ବୁଥ୍ ସ୍ତରୀୟ ଏଜେଣ୍ଟଙ୍କ ସାହାଯ୍ୟରେ ଅନଲାଇନ୍ ଅବେଦନ କରିପାରିବେ । ଏଥିପାଇଁ ହାର୍ଡ କପି ଜମା କରିବାକୁ ପଡ଼ିବ ନାହିଁ । କୋର୍ଟ କହିଥିଲେ ଯେ ଆବେଦନ ଫର୍ମ ୬ ସହ ଆବେଦନକାରୀ ଆଧାର କାର୍ଡ ସମେତ ୧୧ ଦସ୍ତାବିଜଙ୍କ ମଧ୍ୟରୁ ଯେକୌଣସି ଦସ୍ତାବିଜ ଜମା କରିପାରିବେ । ସୁପ୍ରିମକୋର୍ଟ ଏହା ବି କହିଥିଲେ, ବିହାରର ସମସ୍ତ ୧୨ ରାଜନୈତିକ ଦଳ ନିଜ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ଲୋକଙ୍କୁ ସାହାଯ୍ୟ, ସଚେତନ କରାଇବା ଦରକାର । ଫଳରେ ମତଦାନ ସୂଚୀରୁ ନାଁ ହଟିବା ସ୍ଥିତିରେ ଆନଲାଇନ୍ ଆବେଦନ କରିପାରିବେ ।
ଶୁଣାଣିରେ ଖଣ୍ଡପୀଠ କହିଥିଲେ, ପରବର୍ତ୍ତୀ ଶୁଣାଣିରେ ସବୁ ରାଜନୈତିକ ଦଳ ଷ୍ଟାଟସ୍ ରିପୋର୍ଟ ଜମା କରିବେ । ଏଥିରେ କେତେ ଲୋକଙ୍କୁ ଅନଲାଇନ୍ ଫର୍ମ ଭରିବାରେ ସାହାଯ୍ୟ କରିଛନ୍ତି, ତାହା ଦର୍ଶାଇବାକୁ ହେବ । ସେପ୍ଟେମ୍ୱର ୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଅନ୍ୟପଟେ ନିର୍ବାଚନ ଆୟୋଗଙ୍କ ପକ୍ଷ ରଖିଥିବା ବରିଷ୍ଠ ଆଇନଜୀବୀ ରାକେଶ ଦ୍ୱିବେଦୀ କୋର୍ଟଙ୍କୁ ନିବେଦନ କରି ନିର୍ବାଚନ ଆୟୋଗଙ୍କ ପାଇଁ ୧୫ ଦିନ ସମୟ ମାଗିଥିଲେ । କୌଣସି ମତଦାତା ନିର୍ବାଚନ ସୂଚୀରୁ ବାହାର ହୋଇନାହାନ୍ତି ବୋଲି ପ୍ରମାଣିତ କରିବା ପାଇଁ ସେ ଏହି ସମୟ ମାଗିଥିଲେ । ଦ୍ୱିବେଦୀ କହିଥିଲେ, ‘ରାଜନୈତିକ ପାର୍ଟିଗୁଡ଼ିକ ହୋହାଲ୍ଲା କରୁଛନ୍ତି, କିନ୍ତୁ ସ୍ଥିତି ସେଭଳି ଖରାପ ନାହିଁ । ଆମ ଉପରେ ବିଶ୍ୱାସ ରଖନ୍ତୁ ଓ ଆମକୁ କିଛି ସମୟ ଦିଅନ୍ତୁ । ଆମେ ଆପଣଙ୍କୁ ପ୍ରମାଣୁ ଦେବୁ କେହି ବି ମତଦାତା ସୂଚୀରୁ ବାହାର ହୋଇନାହାନ୍ତି ।’




