ଭୂକମ୍ପରେ ଥରିଲା କୋଲକାତା; ରିକ୍ଟର ସ୍କେଲ୍ରେ ତୀବ୍ରତା ୫.୬ ରେକର୍ଡ, ଲୋକେ ଭୟଭୀତ
Published By: Simran – Prameya-News7 Bureau | November 21, 2025 11:33 AM
NEWS7
ନୂଆଦିଲ୍ଲୀ ୨୧।୧୧ :ସକାଳୁ ସକାଳୁ ଭୂକମ୍ପ ଝଟ୍କାରେ ଥରିଲା କୋଲକାତା। ଶୁକ୍ରବାର ସକାଳ ୧୦ଟା ୧୦ରେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୫.୬ ରେକର୍ଡ ହୋଇଛି। ଏହାର କେନ୍ଦ୍ରସ୍ଥଳ ପଡୋଶୀ ଦେଶ ବାଂଲାଦେଶର ଟୁଙ୍ଗୀରେ ଥିଲା। ଭୂକମ୍ପ ଅନୁଭୂତ ହେବା ମାତ୍ରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ। ଏହି କମ୍ପନରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।
ୟୁରୋପିଆନ ମେଡିଟେରେନିୟନ ସେଣ୍ଟର ଫର ସିସ୍ମୋଲୋଜୀ ଅନୁସାରେ ଭୂକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶର ଟୁଙ୍ଗୀରୁ ୨୭ କିମି ପୂର୍ବରେ ଥିଲା। ଏହାର ଗଭୀରତା ୧୦ କିଲୋମିଟର ଥିଲା। କୋଲକାତା ସହ ଉତ୍ତର ବଙ୍ଗ ଓ ଆଖପାଖ ଅଞ୍ଚଳରେ ଭୂମିକମ୍ପ ଝଟ୍କା ଅନୁଭବ ହୋଇଛି। କୁଚବିହାର, ଦିନାଜପୁରରେ ମଧ୍ୟ ଝଟ୍କା ଲାଗିଛି।
ସେପଟେ ଶୁକ୍ରବାର ସକାଳେ ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୫.୨ ରେକର୍ଡ କରାଯାଇଛି। ଭୂକମ୍ପର ଗଭୀରତା ୧୩୫ କିଲୋମିଟର ଥିବା ବେଳେ ଏହାର କେନ୍ଦ୍ରସ୍ଥଳ ପାକିସ୍ତାନ-ଆଫଗାନିସ୍ତାନ ସୀମା ନିକଟରେ ରହିଥିଲା। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ରିପୋର୍ଟ ମିଳିନାହିଁ।




