ନୂଆଦିଲ୍ଲୀ: ସିଭିୟର ସାଇକ୍ଲୋନ ଷ୍ଟର୍ମର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ମୋନ୍ଥା’ । କେଉଁଠି ଅତିକ୍ରମ କରିବ, କେତେ ବେଗରେ ମାଡ ହେବ, ଅଧିକ ସ୍ପଷ୍ଟ କରିଛି IMD। ଏହାର ତୀବ୍ରତା କେତେ ରହିବ? କେଉଁଠି ସ୍ଥଳଭାଗ ଅତିକ୍ରମ କରିବ? ତାହା ସ୍ପଷ୍ଟ ହୋଇନଥିଲେ ବି ୨୭ରେ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରିଛି ଆଇଏମଡି ।
ଏହାର ପ୍ରଭାବରେ ଓଡ଼ିଶାରେ ବଡ ବର୍ଷାର ସମ୍ଭାବନା ରହିଛି । ଆଇଏମଡିର ଆକଳନ ଅନୁସାରେ, ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ଆଗକୁ ବଢ଼ୁଥିବା ଲଘୁଚାପ ଅବପାତର ରୂପ ନେଇଛି । ୨୬ ତାରିଖ ସକାଳୁ ଗଭୀର ଅବପାତରେ ପରିଣତ ହେବ । ଯାହା ଆସନ୍ତା ୨୭ ତାରିଖ ସକାଳୁ ବାତ୍ୟାର ରୂପ ନେବ । ଏହା ପରେ ୨୮ ତାରିଖରେ ଭୀଷଣ ଝଡ଼ର ରୂପ ନେବ।
ତାପରେ ବଳ ଗୋଟାଇ ଉପକୂଳ ମୁହାଁ ହେବ ବାତ୍ୟା । ଆନ୍ଧ୍ର ପ୍ରଦେଶର ବିଶାଖପାଟଣା ନିକଟ ଦେଇ ଅତିକ୍ରମ କରିପାରେ ଉପକୂଳ । ତେବେ ଲଘୁଚାପ ଅବପାତର ରୂପ ନେବା ପରେ ବାତ୍ୟାର ଗତିପଥ ସ୍ପଷ୍ଟ ହେବ ବୋଲି କହିଛି ଆଇଏମଡି । ପାଣିପାଗ ବିଶେଷଜ୍ଞମାନେ ମଧ୍ୟ ସମାନ ଆକଳନ କରିଛନ୍ତି ।




