ନୂଆପଡ଼ା ୬।୧୧: ନୂଆପଡା ନିର୍ବାଚନ ପ୍ରଚାର ଆଉ ମାତ୍ର ୪ ଦିନ । ଭୋଟରଙ୍କ ନିକଟରେ ପହଞ୍ଚିବାକୁ ସବୁଦଳର ପ୍ରାର୍ଥୀ ଓ ନେତାଙ୍କ ଜୋରଦାର କସରତ । ଏହାସାଙ୍ଗକୁ ହେଭିଓ୍ବେଟ୍ଙ୍କୁ ମୈଦାନକୁ ଓହ୍ଲାଇ ଭୋଟ୍ ହାତେଇବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ । ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଥିବାବେଳେ ୭ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ପ୍ରଚାର ମୈଦାନକୁ ଓହ୍ଲାଇବେ । ଏହାପରେ ୮ ତାରିଖରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଆଉ ଏକ ପ୍ରଚାର କାର୍ଯ୍ୟକ୍ରମ ରହିଛି ।
ନୂଆପଡାବାସୀଙ୍କୁ ନିଜ ଆଡକୁ ମନାଇବାକୁ ଲାଗି ପଡିଛନ୍ତି ପ୍ରମୁଖ ଦଳର ପ୍ରାର୍ଥୀ । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ନୂଆପଡାରେ ଡେରା ପକାଇଛନ୍ତି ବିଜେଡିର ହେଭିୱେଟ୍ ନେତା । ପ୍ରଚାର ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭିଡିଓ କଲ୍ କରି ନେତାଙ୍କ ସହ କଥା ହୋଇଛନ୍ତି । ନୂଆପଡାରେ କେମିତି ଚାଲିଛି ପ୍ରଚାର ସେନେଇ ନବୀନ ପଟ୍ଟନାୟକ ତଦାରଖ କରିଛନ୍ତି ।
ଆସନ୍ତା ୭ ତାରିଖରେ ଦ୍ବିତୀୟ ଥର ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ସେ ଖରିଆର ରୋଡ୍ରୁ ନୂଆପଡା ଯାଏଁ ରୋଡ୍ ଶୋ’ କରିବା ସହ ଏକ ସାଧାରଣରେ ମଧ୍ୟ ଉଦବୋଧନ ଦେବେ ।
ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଉପନିର୍ବାଚନ ଫଳାଫଳ ନଭେମ୍ବର ୧୪ ତାରିଖରେ ପ୍ରକାଶ ପାଇବ । ବିଜେଡିର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଉପନିର୍ବାଚନ ପାଇଁ ବିଜେପି ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ବିଜେଡି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରି ମୈଦାନରେ ଓହ୍ଲାଇଛି




