ବଲାଙ୍ଗିର ୨୯।୧୦: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ଆସିଷ୍ଟାଣ୍ଟ CT & GST ଅଫିସର ଉମାକାନ୍ତ ମହାକୁର ଲାଞ୍ଚନେବା ସମୟରେ ଧରିଛି ବଲାଙ୍ଗିର ଭିଜିଲାନ୍ସ । ସେ ଜଣେ ବ୍ୟବସାୟୀଙ୍କ ଠାରୁ ବୃତ୍ତିକର ଅଦାୟ ପାଇଁ ଲଗାଯାଇଥିବା ଜରିମାନା ଓ ସୁଧ ମାଫ୍ କରିବା ପାଇଁ ୧୨ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ବୁଧବାର ସେହି ଟଙ୍କା ନେବାବେଳେ ଧରିଛି ଭିଜିଲାନ୍ସ ବିଭାଗ ।
ବ୍ୟବସାୟୀ ଜଣକ ତିନୋଟି ଆର୍ଥିକ ବର୍ଷ ପାଇଁ (ପ୍ରତିବର୍ଷ ୨,୫୦୦/- ହିସାବରେ) ମୋଟ୍ ୭,୫୦୦/- ବୃତ୍ତିକର ଦେଇନଥିଲେ । ଏଥିପାଇଁ ଅଧିକାରୀ ମହାକୁର ତାଙ୍କୁ ମୋଟ୍ ୨୩,୬୦୦ (କର ସହିତ ଜରିମାନା ଓ ସୁଧ ମିଶାଇ) ଦେବା ପାଇଁ ନୋଟିସ୍ ପଠାଇଥିଲେ । ବ୍ୟବସାୟୀ ମହାକୁରଙ୍କ ସହିତ ଯୋଗାଯୋଗ କରି କେବଳ କର ରାଶି ଦେବା ପାଇଁ ଅନୁରୋଧ କଲେ, କିନ୍ତୁ ଅଭିଯୁକ୍ତ ମହାକୁର କର ରାଶି ମାତ୍ର ନେବାକୁ ଅସ୍ୱୀକାର କରି, ଜରିମାନା ଓ ସୁଧ ମାଫ୍ କରିବା ପାଇଁ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହାପରେ ବ୍ୟବସାୟୀ ଭିଜିଲାନ୍ସ ଅଧିକାରୀଙ୍କୁ ଏ ବିଷୟରେ ଅଭିଯୋଗ କଲେ ଓ ପୂର୍ବ ଯୋଜନା ଅନୁଯାୟୀ ବୁଧବାର ଲାଞ୍ଚ ଟଙ୍କା ନେବାବେଳେ ଭିଜିଲାନ୍ସ ତାଙ୍କୁ ଧରିଛି ।




