ନୂଆଦିଲ୍ଲୀ: ଭାରତ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଘରୋଇ ଅଷ୍ଟ୍ରେଲିଆକୁ ଲାଗିଛି ବଡ଼ ଝଟକା। ଏହା ପୂର୍ବରୁ କିଛି ତାରକା କ୍ରିକେଟର ଆହତ କାରଣରୁ ସିରିଜ୍ରୁ ବାଦ୍ ପଡ଼ି ସାରିଛନ୍ତି। ଏବେ ଏହି ତାଲିକାରେ ଯୋଡ଼ି ହୋଇ ଯାଇଛି ଅଷ୍ଟ୍ରେଲିଆର ତାରକା ଅଲରାଉଣ୍ଡର କ୍ୟାମେରୁନ ଗ୍ରୀନଙ୍କ ନାଁ। ଆହତ କାରଣରୁ ତାରକା ଅଲରାଉଣ୍ଡର ଦିନିକିଆ ସିରିଜ୍ରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ମାର୍ନସ ଲାବୁସେନଙ୍କୁ ଦଳରେ ସାମିଲ୍ କରାଯାଇଛି।
ଅଷ୍ଟ୍ରେଲିଆର ତାରକା ଅଲରାଉଣ୍ଡର କ୍ୟାମେରୁନ ଗ୍ରୀନଙ୍କୁ ଟ୍ରେନିଂ ସମୟରେ ଆଘାତ ଲାଗିଥିଲା। ଏହି କାରଣରୁ ସେ ସିରିଜ୍ ଖେଳି ପାରିବେ ନାହିଁ। ତାଙ୍କ ସ୍ଥାନରେ ଟପ୍ ଅର୍ଡର ବ୍ୟାଟର ମାର୍ନସ ଲାବୁସେନଙ୍କୁ ଟିମରେ ସାମିଲ୍ କରାଯାଇଛି। ସିରିଜର ପ୍ରଥମ ମ୍ୟାଚ୍ ଅକ୍ଟୋବର ୧୯ରେ ପର୍ଥରେ ଖେଳାଯିବ।
ଲାବୁସେନଙ୍କୁ ଆରମ୍ଭରେ ଅଷ୍ଟ୍ରେଲିଆ ଦଳରେ ସ୍ଥାନ ମିଳି ନ ଥିଲା। ମାତ୍ର ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କାରଣରୁ ଏବେ ତାଙ୍କୁ ଦଳରେ ସୁଯୋଗ ମିଳିଛି। କ୍ୟାମେରୁନ ଗ୍ରୀନଙ୍କ ଏହି ଆହତ ସମସ୍ୟା ଅଷ୍ଟ୍ରେଲିଆକୁ ବଡ଼ ଝହକା ଲାଗିଛି। ନିକଟରେ ସେ ପିଠିଜନିତ ସମସ୍ୟାରୁ ମୁକୁଳି ମଇଦାନକୁ ଫେରିଥିଲେ। ନିଜର ଶେଷ ଦିନିକିଆରେ ଅପରାଜିତ ୨୩୪ ରନ ଦମଦାର ଇନିଂସ ଖେଳିଥିଲେ।
ଅଷ୍ଟ୍ରେଲିଆ କ୍ରିକେଟ୍ ପକ୍ଷରୁ ଜାରି ବୟାନ ଅନୁସାରେ, କ୍ୟାମେରୁନ ଗ୍ରୀନଙ୍କ ଆହତ ସମସ୍ୟା ସାମାନ୍ୟ ଅଟେ। ଚଳିତ ମାସ ଶେଷ ସୁଦ୍ଧା ସେ ଘରୋଇ କ୍ରିକେଟ୍ରେ ପ୍ରତ୍ୟାବର୍ତ୍ତନ କରି ପାରନ୍ତି। ସେ ଆଗାମୀ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଆସେସ୍ ଟେଷ୍ଟ ସିରିଜ୍ର ପ୍ରସ୍ତୁତ କରି ପାରିବେ। କ୍ରିକେଟ୍ ଅଷ୍ଟ୍ରେଲିଆାର ମୁଖପାତ୍ର କହିଛନ୍ତି, ଗ୍ରୀନ କିଛି ସମୟ ପୁନଃଥଇଥାନ ପ୍ରକ୍ରିୟା ଦେଇ ଗତି କରିବେ।
ଏହା ପୂର୍ବରୁ ନିୟମିତ ଅଧିନାୟକ ପାଟ୍ କମିନ୍ସ ଆହତ କାରଣରୁ ଭାରତ ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡ଼ିଥିଲେ। ଏହା ପରେ ସେହି ଆହତ ସମସ୍ୟା କାରଣରୁ ପ୍ରଥମ ଦିନିକିଆରେ ଦଳରେ ଉପଲବ୍ଧ ରହିବେ ନାହିଁ ସ୍ପିନର ଆଡମ ଜାମ୍ପା ଓ ଓ୍ଵିକେଟ୍ କିପର ଜୋଶ ଇଂଲିଶ। ପ୍ରଥମ ଦିନିକିଆ ଅକ୍ଟୋବର ୧୯ରେ ପର୍ଥ, ଦ୍ଵିତୀୟ ଦିନିକିଆ ୨୩ରେ ଆଡିଲେଡ୍ ଏବଂ ତୃତୀୟ ଦିନିକିଆ ଅକ୍ଟୋବର ୨୫ରେ ସିଡନୀରେ ଖେଳାଯିବ।
ଭାରତ ବିପକ୍ଷ ଅଷ୍ଟ୍ରେଲିଆର ଦିନିକିଆ ଦଳ-
ମିଚେଲ୍ ମାର୍ଶ(ଅଧିନାୟକ), ଜେଭିୟର ବାର୍ଟଲେଟ୍, କୁପର କୋନୋଲି, ବେନ ଦ୍ଵାରଶୁଇସ, ନାଥନ ଏଲିସ, ଜୋଶ ହେଜେଲଉଡ, ଟ୍ରେଭିସ ହେଡ, ମାଥ୍ୟୁ କୁହନେମେନ, ମାର୍ନସ ଲାବୁସେନ, ମିଚେ ଓଭେନ, ଜୋଶ ଫିଲିପ, ମାଥ୍ୟୁ ରେନଶ, ମାଥ୍ୟୁ ସର୍ଟ, ମିଚେଲ୍ ଷ୍ଟାର୍କ।




