ନୂଆଦିଲ୍ଲୀ : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଓ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷକୁ ଶାନ୍ତ କରିବାରେ ଟାରିଫ୍ ଧମକକୁ ଶାନ୍ତିଦୂତ ଭାବେ ବର୍ଣ୍ଣନା କରିଛନ୍ତି। ମଧ୍ୟ ପ୍ରାଚ୍ୟ ଯାତ୍ରାକୁ ବାହାରିବା ପୂର୍ବରୁ ସାମ୍ୱାଦିକଙ୍କ ସହ କଥାବାର୍ତ୍ତା ବେଳେ ସେ ୮ଟି ଯୁଦ୍ଧକୁ ସମାଧାନ କରିଥିବା ଦାବି କରିଛନ୍ତି।ଟ୍ରମ୍ପ କହିଛନ୍ତି, ମୁଁ କିଛି ଯୁଦ୍ଧକୁ କେବଳ ଟାରିଫ୍ ଆଧାରରେ ସମାଧାନ କରିଛି। ଉଦାହରଣ ସ୍ୱରୂପ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ। ମୁଁ କହିଥିଲି ଯେ, ଯଦି ଆପଣ ଯୁଦ୍ଧ ଲଢିବାକୁ ଚାହାନ୍ତି ଏବଂ ଆପଣଙ୍କ ପାଖରେ ପରମାଣୁ ଅସ୍ତ୍ର ଅଛି , ତ ମୁଁ ଦୁହିଁଙ୍କ ଉପରେ ଖୁବ୍ ଟାରିଫ୍ ଲଗାଇବି। ଏହା ୧୦୦ ପ୍ରତିଶତ , ୧୫୦ ପ୍ରତିଶତ ଏବଂ ୨୦୦ ପ୍ରତିଶତ ମଧ୍ୟ ହୋଇପାରେ। ସେ ଦାବି କରିଛନ୍ତି ଯେ,ତାଙ୍କର ଟାରିଫ୍ ଧମକ ଏହି ମାମଲାକୁ ପାଖାପାଖି ୨୪ ଘଣ୍ଟାରେ ସମାଧାନ କରିଥିଲା।
ଡୋନାଲ୍ଡ ଟ୍ରମ୍ପ ଆହୁରି କହିଛନ୍ତି, ମୁଁ କହିଥିଲି ଯେ, ମୁଁ ଟାରିଫ୍ ଲଗାଉଛି ଏବଂ ସେହି ଜିନିଷକୁ ୨୪ ଘଣ୍ଟାରେ ସମାଧାନ କରାଯାଇ ଥିଲା। ଯଦି ଆମ ପାଖରେ ଟାରିଫ୍ ନଥାନ୍ତା, ତ କେବେ ସେହି ଯୁଦ୍ଧକୁ ସମାଧାନ କରି ହିଁ ପାରି ନଥାନ୍ତେ। ତାଙ୍କର ଏହି ଟିପ୍ପଣୀ ବିଶ୍ୱ କୂଟନୀତିରେ ଆର୍ଥିକ ଚାପର ବ୍ୟବହାରକୁ ଦର୍ଶାଉଛି। ହେଲେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ସମାଧାନ କରିବାରେ ଆମେରିକାର ମଧ୍ୟସ୍ଥି ଭୂମିକା ଉପରେ ପ୍ରଶ୍ନ ଉଠିଛି। ଗତ ୧୦ ମଇରେ ଟ୍ରମ୍ପ ସୋସିଆଲ ମିଡ଼ିଆରେ ଘୋଷଣା କରିଛନ୍ତି ଯେ, ୱାଶିଂଟନର ମଧ୍ୟସ୍ଥତାରେ ହୋଇଥିବା କଥାବାର୍ତ୍ତା ପରେ ଭାରତ ଓ ପାକିସ୍ତାନ ପୂର୍ଣ୍ଣ ଓ ତତ୍କାଳ ଯୁଦ୍ଧବିରତି ଉପରେ ସହମତି ହୋଇ ଥିଲେ।
ଉଲ୍ଲେଖନୀୟ ଯେ, ରାଷ୍ଟ୍ରପତି ଟ୍ରମ୍ପ ଅନେକ ଥର ଏହି ଦାବିକୁ ଦୋହରାଇଛନ୍ତି ଯେ, ସେ ଭାରତ ଓ ପାକସ୍ତାନ ମଧ୍ୟରେ ସଂଘର୍ଷକୁ ରୋକିବାରେ ସାହାଯ୍ୟ କରିଛନ୍ତି। ହେଲେ , ଭାରତ ବାରମ୍ୱାର ଏହା କହି ଚାଲିଛି ଯେ, ପାକିସ୍ତାନ ସହ ସାମରିକ ସଂଘର୍ଷକୁ ରୋକିବା ଉପରେ ସହମତି ଦୁଇ ସେନାର ସାମରିକ ଅଭିଯାନ ମହାନିର୍ଦ୍ଦେଶକ (ଡିଜିଏମଓ) ମଧ୍ୟରେ କଥାବାର୍ତ୍ତା ପରେ ହୋଇଥିଲା। ଭାରତ ୨୨ ଅପ୍ରେଲରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣର ଜବାବରେ ୭ ମେ’ରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା, ଯେଉଁଥିରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କୀ ଶିବିର ଗୁଡ଼ିକୁ ଟାର୍ଗେଟ୍ କରିଥିଲା। ଭାରତ ଓ ପାକିସ୍ତାନ ମଧ୍ୟରେ ଚାରି ଦିନ ଯାଏ ସୀମା ପାର୍ ଡ୍ରୋନ୍ ଓ ମିସାଇଲ ଆକ୍ରମଣ ପରେ ୧୦ ମେ’ରେ ସଂଘର୍ଷ ସମାପ୍ତ କରିବା ଉପରେ ସହମତି ହୋଇ ଥିଲା।




