ଭାରତର ବୈଦେଶିକ ମୁଦ୍ରାଭଣ୍ଡାରରେ ୧.୪୮ବିଲିୟନ ଡଲାର ବୃଦ୍ଧି

ଭାରତର-ବୈଦେଶିକ-ମୁଦ୍ରାଭଣ୍ଡାରରେ-୧.୪୮ବିଲିୟନ-ଡଲାର-ବୃଦ୍ଧି

ନୂଆଦିଲ୍ଲୀ ୨୨।୮:   ଅଗଷ୍ଟ ୧୫ ତାରିଖରେ ସମାପ୍ତ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ୧.୪୮ ବିଲିୟନ ଡଲାର ବୃଦ୍ଧି ସହ ୬୯୫.୧୦ ବିଲିୟନ ଡଲାରକୁ ପହଞ୍ଚି ଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର ଏହି ତଥ୍ୟ ଜାରି କରିଛନ୍ତି। ସେପ୍ଟେମ୍ବର ୨୦୨୪ ଶେଷରେ ଭାରତୀୟ ବୈଦେଶିକ ମୁଦ୍ରାଭଣ୍ଡାର ୭୦୪.୮୮୫ ବିଲିୟନ ଡଲାରର ରେକର୍ଡ ସ୍ତରକୁ ପହଞ୍ଚିଥିଲା। ବୈଦେଶିକ ମୁଦ୍ରାଭଣ୍ଡାରର ଏହା ଏପର୍ଯ୍ୟନ୍ତ ସର୍ବାଧିକ ସ୍ତର। 

୧୫ ଅଗଷ୍ଟ ସପ୍ତାହରେ ବିଦେଶୀ ମୁଦ୍ରା ସମ୍ପତ୍ତି (ଫରେନ କରେନ୍ସୀ ଆସେଟ) ୧.୯୨ ଡଲାର ବଢି ୫୮୫.୯୦ ବିଲିୟନ ଡଲାର ହୋଇଯାଇଛି। ଏହା ମୋଟ ବୈଦେଶିକ ମୁଦ୍ରାଭଣ୍ଡାରର ସବୁଠୁ ବଡ଼ ଅଂଶ। ଏହି ସମ୍ପତ୍ତିରେ ଡଲାର ବ୍ୟତୀତ ୟୁରୋ, ପାଉଣ୍ଡ ଓ ୟେନ ଭଳି ବିଦେଶୀ ମୁଦ୍ରା ରହିଛି। ଏଣୁ ବୈଦେଶିକ ମୁଦ୍ରା ବିନିମୟ ମୂଲ୍ୟରେ ପଡ ଉଠର ମଧ୍ୟ ଏହା ଉପରେ ପ୍ରଭାବ ରହିଛି। ଅନ୍ୟପଟେ ଏହି ସପ୍ତାହରେ ସ୍ୱର୍ଣ୍ଣ ଭଣ୍ଡାର ୨.୧୬ ବିଲିୟନ ଡଲାର ହ୍ରାସ ହୋଇ ୮୬.୧୬ ବିଲିୟନ ଡଲାର ହୋଇଯାଇଛି। 

ସେହିପରି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ରେ ଭାରତର ରିଜର୍ଭ ପୋଜିସନ ୧.୫କୋଟି ଡଲାର ବଢି ୪.୭୫ ବିଲିୟନ ଡଲାରକୁ ପହଞ୍ଚିଛି। ଏଣୁ ଭାରତର ନଗଦ ଆହରଣ ମଧ୍ୟ ଆଇଏମଏଫରେ ବଢି ଯାଇଛି।  ସାଧାରଣତଃ ଆରବିଆଇ ସମୟସମୟରେ ବଜାରରୁ ଡଲାର କ୍ରୟ ଓ ବିକ୍ରୟ କରି ଟଙ୍କାର ଅବମୂଲ୍ୟାୟନ ସୁଧାର କରିଥାନ୍ତି। ଏଣୁ ଆରବିଆଇ ବିଦେଶୀ ମୁଦ୍ରା ବଜାର ଉପରେ ପ୍ରାୟତଃ କଡ଼ା ନଜର ରଖିଥାନ୍ତି। 

ଅନ୍ୟପଟେ ପଡୋଶୀ ପାକିସ୍ତାନର ବୈଦେଶିକ ମୁଦ୍ରାଭଣ୍ଡାରରେ ସାମାନ୍ୟ ସୁଧାର ଆସିଛି। ୧୫ଅଗଷ୍ଟରେ ଶେଷ ହୋଇଥିବା ସପ୍ତାହରେ ଷ୍ଟେଟବ୍ୟାଙ୍କ ଅଫ ପାକିସ୍ତାନର ହୋଲ୍ଡିଂ ୧.୩କୋଟି ଡଲାର ବଢି ୧୪.୨୫୬ବିଲିୟନ ଡଲାରକୁ ପହଞ୍ଚିଛି। ପାକିସ୍ତାନ କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ଜାରି ତଥ୍ୟ ଅନୁସାରେ ଦେଶର ବୈଦେଶିକ ମୁଦ୍ରାଭଣ୍ଡାର ୧୯.୫୭୧ ବିଲିୟନ ଡଲାରକୁ ପହଞ୍ଚିଛି। ଏଥିରେ କମର୍ସିଆଲ ବ୍ୟାଙ୍କମାନଙ୍କ ଭାଗିଦାରୀ ପାଖାପାଖି ୫.୩୧୫ ବିଲିୟନ ଡଲାର ରହିଛି। 

Scroll to Top