ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ୱାରା ଜାରି ନୂଆ ଆଣ୍ଟି ଡିସ୍କ୍ରିମିନେସନ ନିୟମକୁ ନେଇ ଦେଶରେ ଏକ ବଡ଼ ବିତର୍କ ଆରମ୍ଭ ହୋଇଛି । ବିଭିନ୍ନ କଲେଜର ଛାତ୍ର ଓ ସଂଗଠନ ଦ୍ୱାରା କରାଯାଉଥିବା ବିରୋଧ ପ୍ରଦର୍ଶନ ଓ ରିଭର୍ସ ଡିସ୍କ୍ରିମିନେସନ (ଓଲଟା ଭେଦଭାବ) ଅଭିଯୋଗ ବିରୋଧରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସରକାରଙ୍କ ଅଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସେ ଆଶ୍ୱାସନା ଦେଇଛନ୍ତି ଯେ ନୂଆ ନିୟମର ଉଦ୍ଦେଶ୍ୟ ନ୍ୟାୟ ସୁନିଶ୍ଚିତ କରିବା, କାହା ସହ ଉତ୍ପୀଡନ ହେବ ନାହିଁ ।
ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ପ୍ରତିକ୍ରିୟା ଦେଇ ଲୋକଙ୍କ ପ୍ରଶ୍ନର ବିନମ୍ରତା ସହ ଜବାବ ଦେଇଛନ୍ତି । ସେ କହିଛନ୍ତି, ‘ମୁଁ ଅତ୍ୟନ୍ତ ବିନମ୍ରତା ସହ ଭରସା ଦେବାକୁ ଚାହୁଁଛି ଯେ କାହାର ଉତ୍ପୀଡ଼ନ ହେବାକୁ ଦିଆଯିବ ନାହିଁ । ଡିସ୍କ୍ରିମିନେସନ (ଭେଦଭାବ) ନାଁରେ କାହାକୁ ବି ଆଇନର ଦୁରୁପଯୋଗ କରିବାର ଅଧିକାର ରହିବ ନାହିଁ ।’
କେନ୍ଦ୍ରମନ୍ତ୍ରୀ ଜୋର ଦେଇ କହିଛନ୍ତି, ‘ୟୁଜିସି ହେଉ, ଭାରତ ସରକାର ହୁଅନ୍ତୁ କିମ୍ୱା ରାଜ୍ୟ ସରକାର, ଆଇନର ନିରପେକ୍ଷ ପାଳନ ସମସ୍ତଙ୍କ ସାମୁହିକ ଦାୟିତ୍ୱ ।’ ସେ ସ୍ପଷ୍ଟ କହିଛନ୍ତି ଯେ ଯାହା ମଧ୍ୟ ବ୍ୟବସ୍ଥା କରାଯାଇଛି, ତାହା ସମ୍ପୂର୍ଣ୍ଣ ରୂପେ ଭାରତୀୟ ସମ୍ୱିଧାନର ପରିଧି ଭିତରେ ରହିଛି । ନିର୍ଦ୍ଦୋଷ ଛାତ୍ରମାନଙ୍କ ସମ୍ପୃକ୍ତିର ସମ୍ଭାବନା ବିଷୟରେ ଆଲୋଚନା କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପୂରା ପ୍ରକ୍ରିୟା ନ୍ୟାୟପାଳିକାର କ୍ଷେତ୍ରାଧିକାର ମଧ୍ୟରେ । ସେ କହିଛନ୍ତି, “ଏହି ମାମଲା ସୁପ୍ରିମକୋର୍ଟଙ୍କ ତଦାରଖରେ ଏକ ବ୍ୟବସ୍ଥା । ମୁଁ ସମସ୍ତଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ କାହାରି ଉପରେ ଅତ୍ୟାଚାର କିମ୍ବା ଭେଦଭାବ କରାଯିବ ନାହିଁ ।”
#WATCH | On new regulation of UGC, Union Education Minister Dharmendra Pradhan says,” I assure everyone there will be no discrimination and no one can misuse the law.” pic.twitter.com/0ZRgWaU76H
— ANI (@ANI) January 27, 2026
UGCର ନୂଆ ନିୟମ କ’ଣ ?
ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଜାନୁଆରୀ ୧୩ରେ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ପ୍ରମୋସନ ଅଫ୍ ଇକ୍ୱିଟି ଇନ୍ ହାୟର ଏଜୁକେସନ ଇଷ୍ଟିଟ୍ୟୁସନ ରେଗୁଲେସନ ୨୦୨୬ କାର୍ଯ୍ୟକାରୀ କରିଛି । ଏହି ନିୟମାବଳୀର ଉଦ୍ଦେଶ୍ୟ ହେଉଛି ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି), ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ (ଇଡବ୍ଲୁଏସ), ମହିଳା ଏବଂ ଦିବ୍ୟାଙ୍ଗ ଛାତ୍ର, ଅଧ୍ୟାପକ ଏବଂ କର୍ମଚାରୀଙ୍କ ପ୍ରତି ଭେଦଭାବ ଦୂର କରିବା ।
ଏହି ନିୟମ ଅନୁଯାୟୀ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ଏବଂ କଲେଜରେ ନଅ ଜଣ ସଦସ୍ୟ ବିଶିଷ୍ଟ ଇକ୍ୱିଟି କମିଟି ପ୍ରତିଷ୍ଠା କରିବାକୁ ବାଧ୍ୟତାମୂଳକ କରାଯାଇଛି । ଏହି କମିଟିରେ ପ୍ରତିଷ୍ଠାନର ମୁଖ୍ୟ, ତିନି ଜଣ ପ୍ରଫେସର, ଜଣେ କର୍ମଚାରୀ, ଦୁଇଜଣ ସାଧାରଣ ନାଗରିକ, ଦୁଇଜଣ ସ୍ୱତନ୍ତ୍ର ଭାବରେ ନିମନ୍ତ୍ରିତ ଛାତ୍ର ଏବଂ ଜଣେ ସଂଯୋଜକ ରହିବେ । ନିୟମ ଅନୁଯାୟୀ, ଏହି କମିଟିରେ ଅତି କମରେ ପାଞ୍ଚଟି ଆସନ ଅନୁସୂଚିତ ଜାତି, ଜନଜାତି, ଓବିସି, ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ମହିଳାଙ୍କ ପାଇଁ ବାଧ୍ୟତାମୂଳକ ଭାବରେ ସଂରକ୍ଷିତ ରହିବ । ଏହିଠାରୁ ବିବାଦ ଆରମ୍ଭ ହୋଇଥିଲା ।
ନୂତନ ନିୟମକୁ ବିରୋଧ କରୁଥିବା ଲୋକମାନେ ଦର୍ଶାଇଛନ୍ତି ଯେ ଇକ୍ୱିଟି କମିଟିରେ ସାଧାରଣ ବର୍ଗ ପାଇଁ କୌଣସି ପ୍ରତିନିଧିତ୍ୱ ନାହିଁ । ସେମାନଙ୍କର ଯୁକ୍ତି ହେଉଛି ଯେ ଯେତେବେଳେ କମିଟି ଭେଦଭାବର ଅଭିଯୋଗଗୁଡ଼ିକର ତଦନ୍ତ କରେ, ସାଧାରଣ ବର୍ଗର ଛାତ୍ର ଏବଂ ଶିକ୍ଷକମାନଙ୍କୁ ପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ବିନା ଏକପାଖିଆ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିପାରେ । ଏହା ମଧ୍ୟ କୁହାଯାଉଛି ଯେ ନିୟମଗୁଡ଼ିକରେ ଗୋଟିଏ ବର୍ଗ ସର୍ବଦା ଶୋଷିତ ଏବଂ ଅନ୍ୟଟି ସର୍ବଦା ଶୋଷଣକାରୀ ପରି ମନେହେଉଛି । ଏହା ଶିକ୍ଷାନୁଷ୍ଠାନ ପରିସରରେ ଅବିଶ୍ୱାସର ବାତାବରଣ ସୃଷ୍ଟି କରିପାରେ । ଅନେକ ଉଚ୍ଚ ଜାତି ସଂଗଠନ ଏହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ।
Also read: UGC ନିୟମ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଆବେଦନ, ନୂଆ ନିୟମ ଜାତି ଆଧାରିତ ଭେଦଭାବ କରୁଥିବା ଅଭିଯୋଗ




