ଭଣଜାଙ୍କ ଠାରୁ ଏଲଆଇସି ଟଙ୍କା ଡିପୋଜିଟ୍ ପାଇଁ ଆଣିଥିଲେ, ଡିକି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ
Published By: Ruby – Prameya-News7 Bureau | October 10, 2025 07:00 PM
NEWS7
ଭଦ୍ରକ ୧୦।୧୦: ମୋଟର ସାଇକେଲ ଡ଼ିକି ଭାଙ୍ଗି ଲୁଟ୍ । ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଭଦ୍ରକ ଟାଉନ ଥାନା ଅଧୀନ ଚରମ୍ପା ବଜାରରେ ଏଭଳି ଲୁଟ୍ ଘଟଣା । ଟଙ୍କା ଲୁଟ୍ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଟାଉନ୍ ଥାନା ଅଧୀନ ଚରମ୍ପା ବରାଳ ପୋଖରୀ ଅଞ୍ଚଳର ଗୌରହରୀ ମହାନ୍ତି ନିଜ ଭଣଜାଙ୍କ ଏଲଆଇସିରେ ଟଙ୍କା ଡିପୋଜିଟ୍ କରିବା ପାଇଁ ସୋର ଯାଇଥିଲେ । ତାଙ୍କ ଭଣଜାଙ୍କ ଠାରୁ ୪ ଲକ୍ଷ ୬୦ ହଜାର ଟଙ୍କା ଗୋଟିଏ ବ୍ୟାଗ୍ରେ ଭର୍ତ୍ତି କରି ନିଜ ମୋଟର ସାଇକେଲ ଡିକିରେ ରଖି ଚରମ୍ପା ଆସିଥିଲେ । ତେବେ ଚରମ୍ପା ବଜାରରେ ଗୋଟିଏ ଡକ୍ୟୁମେଣ୍ଟ ଜେରକ୍ସ କରିବା ପାଇଁ ସେ ଜେରକ୍ସ ଦୋକାନୀ ପାଖକୁ ଯାଇଥିଲେ । ଜଣେ ଦୁର୍ବୃତ୍ତ ହେଲମେଟ୍ ପିନ୍ଧି ହଠାତ ତାଙ୍କ ଡ଼ିକିକୁ ଭାଙ୍ଗି ଟଙ୍କା ବ୍ୟାଗ୍ ନେଇ ଫେରାର ହୋଇ ଯାଇଛନ୍ତି । ଯାହା ସିସିଟିଭିରେ କଏଦ ହୋଇଛି । ଖବର ପାଇ ଭଦ୍ରକ ଟାଉନ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।




