ମୁମ୍ୱାଇ ୨୫/୦୯: ‘ବ୍ୟାଡ୍ସ ଅଫ୍ ବଲିଉଡ୍’ର ସାନ୍ୟା ‘ଦ ବ୍ୟାଡ୍ସ ଅଫ୍ ବଲିଉଡ୍’ରୁ ସିନେ ଦୁନିଆରେ ଏଣ୍ଟ୍ରି କରିଛନ୍ତି ଆର୍ଯ୍ୟନ ଖାନ୍ । ଏହି ସିରିଜ୍ରେ ଦମ୍ଦାର ଷ୍ଟାର୍କାଷ୍ଟ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ଶୋ’କୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଛି । ସିରିଜ୍ର ଅନ୍ୟତମ କଳାକାର ଆନ୍ୟା ସିଂହଙ୍କ ଗ୍ଲାମରସ୍ ଲୁକ୍ ଚର୍ଚ୍ଚାର ଶିରୋନାମା ହୋଇଛି । ଆନ୍ୟାଙ୍କୁ ନେଇ ଚର୍ଚ୍ଚା ଯେ ସେ ଶାହରୁଖ୍ଙ୍କ ମ୍ୟାନେଜର ପୂଜା ଦଦଲାନୀଙ୍କ ଝିଅ ।
ଅନ୍ଲାଇନ୍ ଏକ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଲା । ଭିଡିଓରେ ଶାହରୁଖ୍ ଆନ୍ୟାଙ୍କୁ ପୂଜାଙ୍କ ସହ ତୁଳନା କରୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଏ କଥାର କୌଣସି ସତ୍ୟତା ନାହିଁ । ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଆନ୍ୟା ଏହି ଗୁଜବ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ମୁଁ ସ୍କ୍ରିନିଂ ସମୟରେ ପୂଜାଙ୍କୁ ଭେଟି ତାଙ୍କୁ କହିଲି ଯେ ଲୋକେ କହୁଛନ୍ତି ଯେ ମୁଁ ଆପଣଙ୍କ ଝିଅ । ଏହା ଶୁଣି ଉଭୟ ହସିବାକୁ ଲାଗିଲୁ । ଏହାକୁ ନେଇ ଆମକୁ କୌଣସି ଫରକ ପଡ଼େ ନାହିଁ । ‘ଦ ବ୍ୟାଡ୍ସ ଅଫ୍ ବଲିଉଡ୍’ରେ ଆନ୍ୟା ଖୁବ୍ ଭଲ କାମ କରିଛନ୍ତି । ତାଙ୍କ ପ୍ରତିଭା ପାଇଁ ଲୋକେ ତାଙ୍କୁ ଜାଣୁଥିବାରୁ ସେ ବହୁତ ଖୁସି ।
ସୂଚନାଯୋଗ୍ୟ, ଆନ୍ୟାଙ୍କ ସମେତ ସିରିଜ୍ରେ ମୋନା ସିଂହ, ରାଘବ ଯୁଗଲ, ବବି ଦେଓଲ ଓ ମନୋଜ ପହୱା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସିରିଜ୍ର କାହାଣୀରେ ଆସମାନ ସିଂହ ଚରିତ୍ର ଫିଲ୍ମ ଇଣ୍ଡଷ୍ଟ୍ରିରେ ସ୍ଥାନ ପାଇବାକୁ ଚେଷ୍ଟା କରୁଛନ୍ତି । ଆନ୍ୟା ତାଙ୍କ ମ୍ୟାନେଜର ଭୂମିକା ନିର୍ବାହ କରିଛନ୍ତି । ଫିଲ୍ମରେ ତାଙ୍କ ନାଁ ସାନ୍ୟା । ଶୋ’ର ପ୍ରିମିୟର୍ରେ ଶାହରୁଖ୍ କହିଥିଲେ, ଆନ୍ୟା ତାଙ୍କ ମ୍ୟାନେଜର ପୂଜା ଦଦଲାନୀଙ୍କ ଭଳି ଦିଶୁଛନ୍ତି । ଏହାକୁ ଫ୍ୟାନ୍ ସତ ବୋଲି ଭାବିନେଲେ ।




