ନୂଆଦିଲ୍ଲୀ ୨୨।୧୦: ବିହାର ବିଧାନସଭା ନିର୍ବାଚନ ଓ ଉପନିର୍ବାଚନ ପାଇଁ C-Vigil ଆପ୍ । ଏହି ଆପ୍ ମାଧ୍ୟମରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ସମ୍ପର୍କୀତ ଅଭିଯୋଗ ଦାଖଲ କରିପାରିବେ ଜନସାଧାରଣ । ଭାରତ ନିର୍ବାଚନ ଆୟୋଗ ବିହାର ବିଧାନସଭା ସାଧାରଣ ନିର୍ବାଚନ ୨୦୨୫ ସହିତ ୮ଟି ବିଧାନସଭା ମଣ୍ଡଳୀର ଉପନିର୍ବାଚନ ସୂଚୀ ଘୋଷଣା କରିଛି । ନିର୍ବାଚନ ଆୟୋଗ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନଙ୍କୁ ଆଦର୍ଶ ଆଚରଣ ବିଧି କଡାକଡି ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବିହାରରେ ମୋଟ୍ ୮୨୪ଟି ଫ୍ଲାଇଂ ସ୍କ୍ବାଡ୍ ନିଯୁକ୍ତ କରାଯାଇଛି, ଯେଉଁମାନେ ନିର୍ବାଚନ ସମ୍ପର୍କୀତ ଅଭିଯୋଗ ପାଖରେ ୧୦୦ ମିନିଟ୍ ମଧ୍ୟରେ ପହଞ୍ଚି ତାର ସମାଧାନ କରିବେ । ନାଗରିକ ଓ ରାଜନୈତିକ ଦଳମାନେ C-Vigil ଆପ୍ ମାଧ୍ୟମରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ କରିପାରିବେ ।
୨୧ ଅକ୍ଟୋବର ୨୦୧୫ ସୁଦ୍ଧା C-Vigil ଆପ୍ ମାଧ୍ୟମରେ ବିହାର ସାଧାରଣ ନିର୍ବାଚନ ଓ ବିଭିନ୍ନ ଉପନିର୍ବାଚନ ସମ୍ବନ୍ଧିତ ମୋଟ୍ ୬୫୦ଟି ଅଭିଯୋଗ ଦାଖଲ ହୋଇଛି । ସେଥିରୁ ୬୪୯ଟି ଅଭିଯୋଗର ନିଷ୍ପତ୍ତି ହୋଇସାରିଥିଲା ବେଳେ ୬୧୨ଟି ଅଭିଯୋଗ ଅର୍ଥାତ୍ ୯୪% ଅଭିଯୋଗକୁ ୧୦୦ମିନିଟ୍ ମଧ୍ୟରେ ସମାଧାନ କରାଯାଇଛି ।
ଅଭିଯୋଗ ନିରୀକ୍ଷଣ ପାଇଁ ଏକ ବିଶେଷ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଏହି ଅନୁସାରେ, ୧୯୫୦ ନମ୍ବରରେ ଏକ ସ୍ୱତନ୍ତ୍ର କଲ୍ ସେବା ଚାଲୁ ରହିଛି, ଯାହାମାଧ୍ୟମରେ ଯେକୌଣସି ନାଗରିକ କିମ୍ବା ରାଜନୈତିକ ଦଳ ସଦସ୍ୟ DEO/ROଙ୍କ ନିକଟରେ ନିଜ ଅଭିଯୋଗ ଦାଖଲ କରିପାରିବେ । ଏହି ବ୍ୟବସ୍ଥା 24×7 ଚାଲୁ ରହିଛି ।
ସୂଚନାଯୋଗ୍ୟ ଯେ, ୨୧ ଅକ୍ଟୋବର ୨୦୨୫ ସୁଦ୍ଧା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୭୧.୩୨ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ମାଦକଦ୍ରବ୍ୟ, ଉପହାର ସାମଗ୍ରୀ ଏବଂ ନଗଦ ଟଙ୍କା ଜବତ ହୋଇଛି ।




