ବିହାର ଏଗଜିଟ୍ ପୋଲର ଓଲଟା ଫଳ ଦେଉଛି ଫଲୋଦୀ ସଟ୍ଟାବଜାର, ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ କରିଦେଲେ ଜୁଆଡୀ

ବିହାର-ଏଗଜିଟ୍-ପୋଲର-ଓଲଟା-ଫଳ-ଦେଉଛି-ଫଲୋଦୀ-ସଟ୍ଟାବଜାର,-ତେଜସ୍ୱୀଙ୍କୁ-ମୁଖ୍ୟମନ୍ତ୍ରୀ-କରିଦେଲେ-ଜୁଆଡୀ

ନୂଆଦିଲ୍ଲୀ ୧୨।୧୧: ବିହାର ବିଧାନସଭା ନିର୍ବାଚନ ଭୋଟଗଣନା ନଭେମ୍ବର ୧୪ରେ ହେବ। ହେଲେ ଫଳାଫଳକୁ ନେଇ ଏବେଠୁ ଦେଶରେ ହଲଚଲ ଆରମ୍ଭ ହୋଇଗଲାଣି। ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ପରେ ରାଜସ୍ଥାନର ପ୍ରସିଦ୍ଧ ଫଲୋଦୀ ସଟ୍ଟା ବଜାର ମୁଡ ବଦଳି ଯାଇଛି। ବିହାର ବିଧାନସଭା ନିର୍ବାଚନ ଫଳାଫଳ ନେଇ ବିଭିନ୍ନ ଏଗଜିଟ୍ ପୋଲ ରିପୋର୍ଟ ଆସି ସାରିଲାଣି। ତେବେ ଫଲୋଦୀ ସଟ୍ଟା ବଜାରରେ ଏବେ ଚମକାଇବା ଭଳି ଦର ଲାଗୁଛି। ଏଠାରେ ନିତିଶ ଓ ତେଜସ୍ୱୀ ଉଭୟଙ୍କ ଉପରେ ଏବେ ଲୋକେ ବାଜି ଲଗାଉଛନ୍ତି।

ଏଥିରୁ ଦୁଇଜଣଙ୍କ ପାଇଁ ସମ୍ଭାବନା ଥିବା ଦେଖା ଯାଉଛି। ବଜାର ଅନୁସାରେ ତେଜସ୍ୱୀ ମୁଖ୍ୟମନ୍ତ୍ରୀ ହେବାର ଚାନ୍ସ ନିତିଶଙ୍କ ଠାରୁ ଟିକେ ଅଧିକ ରହୁଛି। ହେଲେ ସିଟ୍ ନେଇ ନୂଆ କିଛି ଅନୁମାନ କରାଯାଇ ନାହିଁ। ଫଲୋଦୀ ସଟ୍ଟାବଜାରରେ ଏନଡିଏ ନିର୍ବାଚନ ଜିତିଲେ ନିତିଶ କୁମାରଙ୍କ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ୬୦% ରହୁଛି। ତେବେ ତେଜସ୍ୱୀ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ୯୭% ରହୁଛି। ଏହି ଦୃଷ୍ଟିରୁ ମହାମେଣ୍ଟ ଓ ତେଜସ୍ୱୀ ଯାଦବଙ୍କ ପାଇଁ ଏହା ନିଶ୍ଚିତ ରୂପେ ଖୁସି ଖବର ହୋଇପାରେ।

ଫଲୋଦୀ ସଟ୍ଟାବଜାର କଥା କହିଲେ ଗତ କିଛି ବର୍ଷ ହେଲା ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ୨୦୧୫ ମସିହାରେ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ଏପରି ଭୋଟ ପାଇବ ରାଜନୈତିକ ବିଶେଷଜ୍ଞ ମଧ୍ୟ ଅନୁମାନ କରି ପାରିନଥିଲେ। ହେଲେ ଫଲୋଦୀ ସଟ୍ଟାବଜାର ଏହାର ପୂର୍ବାନୁମାନ କରିସାରିଥିଲା। ଗତବର୍ଷ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ନେଇ ଫଲୋଦୀ ସଟ୍ଟାବଜାରର ପୂର୍ବାନୁମାନ ପାଖାପାଖି ସଠିକ ଥିଲା।

ଏଠାରେ ସଟ୍ଟାବଜାର ସମ୍ଭାବନା ଆଧାରରେ ଖେଳିଥାଏ। ତେବେ ନିର୍ବାଚନ ଫଳାଫଳ ଭୋଟ ଆଧାରରେ ହୋଇଥାଏ। ବିହାରରେ କଣ ହେବ ନଭେମ୍ବର ୧୪ ତାରିଖରେ ଇଭିଏମ ଖୋଲିଲେ ଜଣାପଡିଯିବ। ଫଲୋଦୀ ସଟ୍ଟା ବଜାର କଥା କହିଲେ ଏହା ରାଜସ୍ଥାନ ମାରବାଡ ଅଞ୍ଚଳର ଏକ ଛୋଟ ଜନପଦ। ହେଲେ ଏହାର ଅନୁମାନ ଓ ସଟ୍ଟାବଜାରର ଚର୍ଚ୍ଚା ଏବେ ସାରା ଦେଶରେ ହେଉଛି। ଏଠାକାର ସଟ୍ଟା ବଜାର ଖେଳ ଓ ନିର୍ବାଚନ ନେଇ ସଠିକ ଆକଳନ ଲାଗି ବେଶ୍ ଜଣାଶୁଣା।

ତେବେ ଉଲ୍ଲେଖଯୋଗ୍ୟ ଯେ ଭାରତରେ ନିର୍ବାଚନକୁ ନେଇ ଜୁଆ ଖେଳିବା ବେଆଇନ। ଆଇନ ଅନୁସାରେ ସରକାରୀ ଅନୁମତି ବିନା କୌଣସି ପ୍ରକାରର ସଟ୍ଟା ବା ଜୁଆ ଖେଳିବା ଅପରାଧ। ଏଥି ଲାଗି ଉଭୟ ଜେଲ ଓ ଜରିମନା ଦଣ୍ଡ ବ୍ୟବସ୍ଥା ମଧ୍ୟ ରହିଛି। ଏହା ସତ୍ତ୍ୱେ ଦେଶରେ ନିର୍ବାଚନ କାଳରେ ବିଭିନ୍ନ ସ୍ଥାନରେ ସଟ୍ଟା ଖେଳ ହୋଇଥାଏ ଓ ଏହି ବଜାରର ମିଜାଜକୁ ନେଇ ଦଳମାନଙ୍କର ହାରଜିତ ଅନୁମାନ କରାଯାଏ।

Scroll to Top