ବିଷାକ୍ତ ଧୂଆଁରେ ଆକ୍ତାମାକ୍ତା ଦିଲ୍ଲୀ: ସହଯୋଗ କରିବାକୁ ପ୍ରସ୍ତୁତ ଅଛୁ ବୋଲି କହିଲା ଚୀନ
Published By: Avinash – Prameya-News7 Bureau | November 05, 2025 04:11 PM
NEWS7

ନୂଆଦିଲ୍ଲୀ: ଭାରତୀୟମାନଙ୍କର ବେହିସାବ ଜୀବନ ଶୈଳୀ ଓ ସରକାରଙ୍କର ବିଫଳତା ଯୋଗୁ ବର୍ତ୍ତମାନ ରାଜଧାନୀ ଦିଲ୍ଲୀ ବିଷାକ୍ତ ଧୂଆଁରେ ଅଣନିଶ୍ୱାସୀ ହୋଇପଡ଼ିଛି। ଏକ ସର୍ଭେ ଅନୁସାରେ ଦିଲ୍ଲୀରେ ରହୁଥିବା ୭୫ % ଜନତା ବର୍ତ୍ତମାନ ରୋଗଗ୍ରସ୍ତ ହୋଇପଡ଼ିଛନ୍ତି। ସଂକ୍ରମଣ ଜନିତ କାଶ, ଥଣ୍ଡା ଲାଗି ରହିଛି।
ଦେଶର ଏଭଳି ସ୍ଥିତି ଯୋଗୁ ଶିକ୍ଷିତ ଜନତାଙ୍କ ଠାରୁ ଆରମ୍ଭ କରି ସୁପ୍ରିମ କୋର୍ଟ ଚିନ୍ତା ପ୍ରକାଶ କରୁଥିଲେ ବି ଲୋକଙ୍କ ଚିନ୍ତାଧାର ବଦଳୁ ନାହିଁ କି ସରକାର କିଛି କରିପାରୁ ନାହାନ୍ତି। ଏଭଳି ସ୍ଥିତିରେ ଚୀନ ସହଯୋଗରେ ହାତ ବଢ଼ାଇଛି। ପ୍ରଦୂଷଣ ରୋକିବାରେ ଭାରତକୁ ସହଯୋଗ କରିବାକୁ ଇଚ୍ଛା ପ୍ରକାଶ କରିଛି ପଡ଼ୋଶୀ ଚୀନ।
ଭାରତରେ ଥିବା ଚୀନ ଦୂତାବାସ ପକ୍ଷରୁ ପକ୍ଷରୁ ଏନେଇ ଏକ୍ସରେ ପୋଷ୍ଟ କରି କୁହାଯାଇଛି। ଏହି ପୋଷ୍ଟରେ ଚୀନ କହିଛି ଯେ ବେଜିଂ ପ୍ରଦୂଷଣ ମୁକାବିଲା କରିବାରେ ନିଜର ଅଭିଜ୍ଞତା ଭାରତ ସହିତ ବାଣ୍ଟିବାକୁ ପ୍ରସ୍ତୁତ ଅଛି। ବେଜିଂ ଏବଂ ସାଂଘାଇ ଭଳି ପ୍ରମୁଖ ସହରରେ କୁହୁଡ଼ି ସ୍ତରକୁ ଆମେ ଉଲ୍ଲେଖନୀୟ ଭାବରେ ହ୍ରାସ କରିବାରେ ସଫଳ ହୋଇଛୁ ବୋଲି ଦୂତାବାସ ଲେଖିଛି।
ଚୀନ୍ ଦୂତାବାସର ମୁଖପାତ୍ର ୟୁ ଜିଙ୍ଗ୍ ଏକ୍ସରେ ଲେଖିଛନ୍ତି, “ଚୀନ୍ ମଧ୍ୟ ଦିନ ଗମ୍ଭୀର ଧୂମିଳ କୁହୁଡ଼ି ସହିତ ସଂଘର୍ଷ କରୁଥିଲା। ତେଣୁ ଆମେ ସ୍ୱଚ୍ଛ ନୀଳ ଆକାଶ ଆଡ଼କୁ ଆମର ସଫଳ ଯାତ୍ରା ଭାରତ ସହିତ ଶେୟାର କରିବାକୁ ପ୍ରସ୍ତୁତ ଅଛୁ। ଏବଂ ବିଶ୍ୱାସ କରୁଛୁ ଯେ ଭାରତ ଖୁବ୍ ଶୀଘ୍ର ସେହି ସଫଳତା ପାଇପାରିବ।”
ଆଜି ଯେମିତି ଦିଲ୍ଲୀରେ ଅବସ୍ଥା ହୋଇଛି ସେହିପରି ଦିନ ଚୀନ୍ ଅବସ୍ଥା ବି ଥିଲା। ହେଲେ ଚୀନ ସରକାର ପ୍ରଦୂଷଣ ରୋକିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିଥିଲେ। ଏଥିପାଇଁ ଭାରୀ ଶିଳ୍ପକୁ ସ୍ଥାନାନ୍ତର କରାଯାଇଥିଲା। ତା ସହିତ ଯାନବାହନ ନିର୍ଗମନରେ କଟକଣା ଲଗାଇବା ସହିତ ସ୍ୱଚ୍ଛ ଶକ୍ତି ଦିଗରେ କାମ କରିଥିଲା। ତେଣୁ ବର୍ତ୍ତମାନ ଚୀନ ବାୟୁପ୍ରଦୂଷଣରେ କିଛି ମାତ୍ରାରେ ସଫଳ ହୋଇପାରିଛି।
ଚୀନର ଦୂରଦୃଷ୍ଟି
ଚୀନ ଦଶନ୍ଧୀ ଧରି ପ୍ରଦୂଷଣ ବିରୋଧରେ ଲଢ଼େଇ ଜାରି ରଖିଛି। ୨୦୧୩ ମସିହାରେ, ଚୀନ ସରକାର “ପ୍ରଦୂଷଣ ବିରୁଦ୍ଧରେ ଯୁଦ୍ଧ” ଘୋଷଣା କରିଥିଲେ। ଏବଂ ବାୟୁର ମାନ ଉନ୍ନତ କରିବା ପାଇଁ ୧୦୦ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରି ଏକ ବହୁବର୍ଷୀୟ ପ୍ରୟାସ ଆରମ୍ଭ କରିଥିଲେ। କର୍ତ୍ତୃପକ୍ଷ କାରଖାନାଗୁଡ଼ିକ ଉପରେ କଠୋର ନିୟନ୍ତ୍ରଣ ଲାଗୁ କରିଥିଲେ। ରାସ୍ତାରୁ ପୁରୁଣା ଯାନବାହନ ହଟାଇବା ସହ କୋଇଲାର କମ ବ୍ୟବହାର ନ୍ୟାଚୁରାଲ ଗ୍ୟାସର ବ୍ୟବହାର କରିବା ବଢ଼ାଇଥିଲା। ଏଥିରେ ବେଜିଂକୁ ସଫଳତା ମିଳିଛି ବୋଲି ନ୍ୟୁଟର୍କ ଟାଇମ୍ସ ରିପୋର୍ଟ ପ୍ରକାଶ କରିଛି।
କେବଳ ସେତିକି ନୁହେଁ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଚୀନ୍ ବଡ଼ ବନୀକରଣ ପ୍ରୟାସ କରିଛି। ଗ୍ରେଟ୍ ଗ୍ରୀନ୍ ୱାଲ୍ ଇନିସିଏଟିଭ୍ରେ ୧୨ଟି ପ୍ରଦେଶରେ ୩୫ ବିଲିୟନରୁ ଅଧିକ ଗଛ ଲଗାଇଛି। ଏହିପରି କାର୍ଯ୍ୟକ୍ରମରେ ନିରନ୍ତର ବିନିଯୋଗ ସହିତ, ଦେଶର ପ୍ରତି ହେକ୍ଟର ଜଙ୍ଗଲ ଖର୍ଚ୍ଚ ଆମେରିକା ଏବଂ ୟୁରୋପକୁ ଅତିକ୍ରମ କରିଯାଇଛି। ବିଶ୍ୱ ହାରାହାରିଠାରୁ ମଧ୍ୟ ଚୀନର ଜଙ୍ଗଲ ନିର୍ମାଣରେ ଖର୍ଚ୍ଚ ତିନି ଗୁଣ ଅଧିକ ହୋଇଛି ବୋଲି Earth.org ରେ ରିପୋର୍ଟ ପ୍ରକାଶ ପାଇଛି।
ଭାରତର ଅଦୂରଦର୍ଶୀ ପରିଣାମ
ଏପଟେ ଦିଲ୍ଲୀ ସରକାର ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ କ୍ଲାଉଡ ସିଡିଂ କରି ଅଯଥା ଜନତାଙ୍କ ଟଙ୍କା ବର୍ବାଦ କରୁଛନ୍ତି। କ୍ଲାଉଡ୍ ସିଡିଂର ପରିଣାମ ସେତେ ସଫଳ ନୁହେଁ ବୋଲି ଜାଣିସୁଦ୍ଧା ଦିଲ୍ଲୀ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଦେଇଛନ୍ତି। ପ୍ରଥମ ୩ଟି ପ୍ରୟାଶରେ ଦିଲ୍ଲୀ ସରକାର ୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ,ହେଲେ ଦିଲ୍ଲୀରେ ଗୋଟିଏ ବୁନ୍ଦା ବି ବର୍ଷା ଝରି ନଥିଲା। ତେଣୁ ଏଭଳି ସ୍ଥିତିରେ ଦିଲ୍ଲୀବାସୀ ସରକାରଙ୍କର ଅଦୂରଦର୍ଶୀ କାର୍ଯ୍ୟ ଓ ଅର୍ଥର ଅପଚୟକୁ ନେଇ ପ୍ରଶ୍ନ ଉଠାଇଥିଲେ।
ଇତିମଧ୍ୟରେ ବୁଧବାର ସକାଳେ ଦିଲ୍ଲୀରେ ବାୟୁ ମାନରେ ସାମାନ୍ୟ ଉନ୍ନତି ଦେଖାଦେଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB)ର ତଥ୍ୟ ଅନୁଯାୟୀ, ସକାଳ ୯ଟାରେ ସାମଗ୍ରିକ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୨୨୮ ଥିଲା। ଯାହା ଗତକାଲି (ନଭେମ୍ବର ୪) ଅପରାହ୍ନ ୪ଟାରେ AQI ୨୯୧ ରେକର୍ଡ କରାଯାଇଥିଲା। ତେଣୁ ଏଥିରେ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଏହା ସତ୍ତ୍ୱେ ଜାତୀୟ ରାଜଧାନୀର ଅନେକ ସ୍ଥାନରେ ବାୟୁ ଗୁଣବତ୍ତା ‘ଖରାପ‘ ବର୍ଗରେ ରହିଛି।




