ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ବଡ଼ ବ୍ୟୟ ବରାଦ, ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣା ୟୁନିଫର୍ମ ବଣ୍ଟନ ପ୍ରସ୍ତାବ

ବିଦ୍ୟାଳୟ-ଓ-ଗଣଶିକ୍ଷା-ବିଭାଗ-ପାଇଁ-ବଡ଼-ବ୍ୟୟ-ବରାଦ,-ନବମ-ଏବଂ-ଦଶମ-ଶ୍ରେଣୀର-ଛାତ୍ରଛାତ୍ରୀଙ୍କୁ-ମାଗଣା-ୟୁନିଫର୍ମ-ବଣ୍ଟନ-ପ୍ରସ୍ତାବ

ଭୁବନେଶ୍ବର: ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ରାଜ୍ୟ ବଜେଟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଚଳିତ ବର୍ଷ ମୋଟ ବଜେଟର ଆକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା ରହିଥିବା ବେଳେ, ବଜେଟରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ଏବଂ ଗଣଶିକ୍ଷା ପାଇଁ ଅନେକ ଘୋଷଣା କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ବଜେଟରେ ୩୧, ୯୯୭.୫୩ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ସରକାର ଶିଶୁବାଟିକାକୁ ଔପଚାରିକ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ ଭାବେ ସଫଳତାର ସହ ପ୍ରବର୍ତ୍ତନ କରିଛନ୍ତି, ଯାହା ସୁନିଶ୍ଚିତ କରିଛି ଯେ ପ୍ରତ୍ୟେକ ଶିଶୁ ଏକ ଦୃଢ଼ ଏବଂ ନ୍ୟାୟସଙ୍ଗତ ଭିତ୍ତିଭୂମି ସହିତ ବିଦ୍ୟାଳୟରେ ପ୍ରବେଶ କରିବେ। ବିଦ୍ୟାଳୟ ଆଧାରିତ ପ୍ରାରମ୍ଭିକ ଶୈଶବ ଶିକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସମଗ୍ର ଶିକ୍ଷାକୁ ରାଜ୍ୟ ସହାୟତା ଅଧୀନରେ ୧୧୩୧ କୋଟି ଟଙ୍କାର ଆବଣ୍ଟନ ପ୍ରସ୍ତାବ ଦିଆଯାଉଛି। ଯେଉଁଥିରୁ ଶିଶୁ ବାଟିକା ଛାତ୍ରଛାତ୍ରୀମାନଙ୍କୁ ମାଗଣା ପୋଷାକ ଯୋଗାଣ ପାଇଁ ୩୨ କୋଟି କାଟି ଟଙ୍କା ଉଦ୍ଦିଷ୍ଟ।

ଯୁବ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପୁଷ୍ଟିର ଆବଶ୍ୟକତା ଏବଂ ପ୍ରଭାବଶାଳୀ ଶିକ୍ଷା ସୁନିଶ୍ଚିତ କରିବା ପାଇଁ “ପିଏମ ପୋଷଣ” କାର୍ଯ୍ୟକ୍ରମ ଅଧୀନରେ ୭ ଶହ ୯ କୋଟି ଟଙ୍କା ବ୍ୟୟରେ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ପ୍ରସ୍ତାବ ରଖୁଛି। ପିଏମ ପୋଷଣ ମାନଦଣ୍ଡ ଅନୁଯାୟୀ “ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା” ଅଧୀନରେ, ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଦିନ ୟୁନିଟ୍ ସାମଗ୍ରୀ ମୂଲ୍ୟ ୧୦ ଟଙ୍କା ୯୪ ପଇସାରୁ ୧୪ ଟଙ୍କା ୭୪ ପଇସାକୁ ବୃଦ୍ଧି କରାଯାଇଛି । ଏହା ଡ୍ରପ୍ ଆଉଟ୍ ହାର ହ୍ରାସ କରିବା ସଙ୍ଗେ ସଙ୍ଗେ ପିଲାମାନଙ୍କ ପାଇଁ ପୁଷ୍ଟି ସ୍ଥିତିରେ ଜନ୍ନତି ଆଣିବାରେ ସହାୟକ ହେବ ।

ସେହିଭଳି ନବମ ଏବଂ ଦଶମ ଶ୍ରେଣୀର ସମସ୍ତ ଶିକ୍ଷାର୍ଥୀଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଇବା ପାଇଁ ନୂତନ ଯୋଜନା, ଗଙ୍ଗାଧର ମେହେର ଶିକ୍ଷା ମାନକବୃଦ୍ଧି ଯୋଜନା ଅଧୀନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ଏବଂ ମୁଖ୍ୟମନ୍ତ୍ରୀ ଛାତ୍ର ପରିଧାନ ଯୋଜନା ଅଧୀନରେ ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣା ୟୁନିଫର୍ମ ବଣ୍ଟନ ପାଇଁ ପାଣ୍ଠି ଆବଣ୍ଟନ କରିବାକୁ ପ୍ରସ୍ତାବ ଦେଉଛନ୍ତି ମୁଖ୍ୟମନ୍ତ୍ରୀ। ଏହାଦ୍ବାରା କୌଣସି ପିଲା ଆର୍ଥିକ ସଙ୍କଟ ହେତୁ ବିଦ୍ୟାଳୟରୁ ବଞ୍ଚିତ ହେବେ ନାହିଁ ବୋଲି କହିଛନ୍ତି ମୋହନ ମାଝୀ ।

ସେହିଭଳି “ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ରମ” ଜରିଆରେ ଗ୍ରାମ ପଞ୍ଚାୟତ ସ୍ତରରେ ଗୋଟିଏ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ବିକାଶ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ଯୋଜନାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧ ହଜାର ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଐତିହ୍ୟ ବିଦ୍ୟାଳୟ” ଯୋଜନା ଅଧୀନରେ ୫୧ଟି ଐତିହ୍ୟ ମାଧ୍ଯମ ସରକାରୀ ଉଚ୍ଚ ବିଦ୍ୟାଳୟର ନବୀକରଣ କରାଯିବ ଏବଂ ବଂ ଯାହାକି ଉତ୍କର୍ଷ ଏବଂ ସାଂସ୍କୃତିକ ଗୌରବର କେନ୍ଦ୍ର ଭାବରେ ପୁନର୍ଜୀବିତ ହେବେ ।

ମୁଖ୍ୟମନ୍ତ୍ରୀ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ଓ ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବାକୁ ମଧ୍ୟ ଚେଷ୍ଟା କରିଛନ୍ତି। ୨୦୨୫-୨୬ ମସିହାରେ, ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋସାହନ ଯୋଜନା ଏବଂ କେନ୍ଦ୍ର ପ୍ରାୟୋଜିତ ଛାତ୍ରବୃଦ୍ଧି ଯୋଜନା ଅଧୀନରେ ପ୍ରାୟ ୧୧ ଲକ୍ଷ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ଓବିସି ଏବଂ ଇବିସି ହିତାଧିକାରୀଙ୍କୁ ଛାତ୍ରବୃଦ୍ଧି ପ୍ରଦାନ ଦିଆଯାଇଥିଲା । ଛାତ୍ରାବାସରେ ରହୁଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ର ମାନଙ୍କ ପାଇଁ ପ୍ରି-ମ୍ୟାଟ୍ରିକ୍ ଛାତ୍ରବୃତ୍ତି ହାରକୁ ପ୍ରତି ମାସ ୧ ହଜାର ୬ ଶହ ଟଙ୍କା ଏବଂ ଛାତ୍ରୀ ମାନଙ୍କ ପାଇଁ ପ୍ରତି ମାସ ୧ ହଜାର ୭ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି।

ଏମିତିରେ ୨୦୨୬-୨୭ ବଜେଟରେ ୨୨ ଲକ୍ଷ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ଓବିସି ଏବଂ ଭବିସି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃରି ପ୍ରଦାନ ପାଇଁ ୨ ହଜାର ୯୫ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରଖିଛନ୍ତି । ବଜେଟରେ ସହିଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା ଜରିଆରେ ନବମ ଏବଂ ଏକାଦଶ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ୫ ହଜାର ଟଙ୍କାର ଏକକାଳୀନ ସହାୟତାକୁ ବୃଦ୍ଧି କରିବା ସହ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧୫୪ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହା ସାରା ରାଜ୍ୟରେ ୩ ଲକ୍ଷ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଶିକ୍ଷା ଜାରି ରଖିବାରେ ସହାୟକ ହେବ।

ପର୍ଯ୍ୟାୟକ୍ରମେ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ଆବାସିକ ବିଦ୍ୟାଳୟରେ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ, ଅତିକମରେ ୧୦୦ଟି ଆବାସିକ ବିଦ୍ୟାଳୟକୁ ସାମିଲ କରିବାର ଲକ୍ଷ୍ୟ ରଖାଯାଇଛି । ଏଥି ପାଇଁ ଆବଶ୍ୟକ ଖର୍ଚ୍ଚ “କୋଠାବାଡି ନିର୍ମାଣ” ବାବଦକୁ ଆବଣ୍ଟନ କରାଯାଇଥିବା ୧ ହଜାର ୭୦ କୋଟି ଟଙ୍କାର ଅର୍ଥରୁ ଭରଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Scroll to Top