ଭଦ୍ରକ ୨୮।୯: ସଡ଼କ ଦୁର୍ଘଟଣାରେ ଅତିରିକ୍ତ ଥାନା ଅଧିକାରୀଙ୍କ ଜୀବନ । ଶନିବାର ୧୬ ନମ୍ବର ଜାତୀୟ ରାଜପଥ କୁଆଖିଆ ଓଭରବ୍ରିଜ୍ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଭଦ୍ରକ ପୁରୁଣାବଜାର ଥାନାରେ କାର୍ଯ୍ୟରତ ଅତିରିକ୍ତ ଥାନା ଅଧିକାରୀ ବବୃବାହାନ ନାୟକ ଆଖି ବୁଜିଛନ୍ତି ।
ଶନିବାର ନିଜ ପୁଅ ସହ ସେ କଟକରୁ ଫେରୁଥିବା ବେଳେ ରାତି ପ୍ରାୟ ୯ଟା ବେଳେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ନାୟକଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇ କଟକ ମେଡ଼ିକାଲରେ ଚିକିତ୍ସିତ ହେଉଛି । ଲଗାତାର ଭାବେ ଭଦ୍ରକ ସହରରେ ଭସାଣି ଉତ୍ସବରେ ଡ୍ୟୁଟି କରି ଅସୁସ୍ଥ ଅନୁଭବ କରିବାରୁ ନିଜ ପରିବାର ସହ ସେ ଶନିବାର ସକାଳୁ କଟକ ଯାଇଥିଲେ । ସେଠାରେ ଚେକଅପ କରିବା ପରେ ପରିବାର ସହ ପୂଜା ମାର୍କେଟିଂ ମଧ୍ୟ କରିଥିଲେ । ପରେ ପରିବାର ଲୋକଙ୍କୁ କାର୍ରେ ପଠାଇ ବାପ-ପୁଅ ସାଙ୍ଗରେ ମୋଟର ସାଇକେଲରେ ଆସୁଥିବା ବେଳେ କୁଆଖିଆ ନିକଟରେ ଦୁର୍ଘଟଣା ଘଟିଥିଲା । ଘଟଣାକୁ ନେଇ ପରିବାର ତଥା ପୋଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି । ଭଦ୍ରକ ଚାନ୍ଦବାଲି ଥାନାରେ ଏସଆଇ ଭାବେ କାର୍ଯ୍ୟ କରୁଥିବା ନାୟକ ଗତ କିଛି ଦିନ ପୂର୍ବରୁ ଆଇଆଇସି ଭାବେ ପଦୋନ୍ନତି ପାଇ ଭଦ୍ରକ ପୁରୁଣାବଜାର ଥାନାରେ ଅତିରିକ୍ତ ଆଇଆଇସି ଭାବେ ନିଯୁକ୍ତ ହୋଇଥିଲେ ।




