ନୂଆଦିଲ୍ଲୀ ୩୧।୦୧ : ବାଂଲାଦେଶ ଚଟଗାଓଁରେ ଭାରତକୁ ଦେଇଥିବା ଏସ୍ଇଜେଡ୍ (ସ୍ପେଶାଲ ଇକୋନୋମିକ୍ ଜୋନ୍) ଜମିର ଆବଣ୍ଟନ ରଦ୍ଦ କରିଦେଇଛି । ବାଂଲାଦେଶର ୟୁନୁସ ସରକାର ଏହି ଜମି ଚୀନ୍କୁ ଡ୍ରୋନ୍ କାରଖାନା ବନାଇବାକୁ ଦେଇଛି । ପ୍ରାୟ ୮୫୦ ଏକର ଜମିରେ ଚଳିତ ବର୍ଷ ଶେଷ ସୁଦ୍ଧା ସେଠାରେ ଚୀନ୍ ଡ୍ରୋନ୍ ବନାଇବା ଆରମ୍ଭ କରିଦେବ । ଏଥିସହ ବାଂଲାଦେଶକୁ ଚୀନ୍ ଡ୍ରୋନ୍ ଟେକ୍ନୋଲୋଜି ଦେବା ଲାଗି ମଧ୍ୟ ରାଜି ହୋଇଥିବା ଜଣାପଡ଼ିଛି । ସେଠାରେ ମିଡିୟମ ରେଞ୍ଜ୍ ଏବଂ ଭର୍ଟିକାଲ ଲିଫ୍ଟ ବିଶିଷ୍ଟ ଡ୍ରୋନ ନିର୍ମାଣ କରାଯିବ । ଚଟଗାଓଁ ପ୍ଲାଣ୍ଟ ଭାରତୀୟ ସୀମା ଠାରୁ ମାତ୍ର ୧୦୦ କିମି ଦୂର । ବାଂଲାଦେଶ ଦକ୍ଷିଣ ଏସିଆରେ ଭାରତ, ପାକିସ୍ତାନ ପରେ ତୃତୀୟ ଡ୍ରୋନ୍ ନିର୍ମାଣକାରୀ ଦେଶ ପାଲଟିବ ।
ଅନ୍ୟପକ୍ଷରେ ଚୀନ୍ ବାଂଲାଦେଶକୁ ୨୦ଟି ଜେ-୧୦ସିଇ ଯୁଦ୍ଧବିମାନ ଦେବା ଲାଗି ମଧ୍ୟ ଗତବର୍ଷ ଚୁକ୍ତି କରିଥିଲା । ଏହି ଯୋଗାଣ ଚଳିତ ବର୍ଷ ଶେଷ ଆଡ଼କୁ ଆରମ୍ଭ ହୋଇଯିବ । ଏ ବାବଦ ପେମେଣ୍ଟ ଲାଗି ମଧ୍ୟ ଚୀନ୍ ବାଂଲାଦେଶକୁ ମହଲତ ଦେଇଛି । ପ୍ରକାଶଥାଉ କି, ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨୦୧୫ରେ ଏକ ବୁଝାମଣା ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଢାକା ଗସ୍ତ କରିବା ବେଳେ ବାଂଲାଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସହ ମିଳିତ ଘୋଷଣାନାମାରେ ଭାରତର ନିବେଶକଙ୍କ ପାଇଁ ଏକ ଇଣ୍ଡିଆନ ଇକୋନୋମିକ୍ ଜୋନ୍ (ଆଇଇଜେଡ୍) ସ୍ଥାପନ କରିବା ଲାଗି ନିଷ୍ପତ୍ତି ହୋଇଥିଲା । ଗଭର୍ନମେଣ୍ଟ-ଟୁ-ଗଭର୍ନମେଣ୍ଟ (ଜି୨ଜି) ଫ୍ରେମୱାର୍କ ଆଧାରିତ ଥିଲା, ଯେଉଁଥିରେ ଭାରତୀୟ ନିବେଶକଙ୍କୁ ପ୍ରାଥମିକତା ମିଳୁଥିଲା ଏବଂ ଭାରତର ଲାଇନ୍ ଅଫ୍ କ୍ରେଡିଟ୍ରୁ ଫଣ୍ଡିଂ ହେଉଥିଲା । ଆଇଇଜେଡ୍ ପାଇଁ ବାଂଲାଦେଶ ୮୫୦ ଏକର ଜମି ଆବଣ୍ଟନ କରିଥିଲା । ପ୍ରସ୍ତାବରେ ଆଉ ଏକ ଛୋଟ ଇକୋନୋମିକ ଜୋନ୍ ମୋଙ୍ଗଲାରେ ବି ପ୍ରସ୍ତାବିତ ଥିଲା । ଏହାର ଉଦ୍ଦେଶ୍ୟ ଥିଲା ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି, ଭାରତୀୟ ନିବେଶକଙ୍କୁ ଆକୃଷ୍ଟ କରିବା, ରୋଜଗାର ସୃଷ୍ଟି ଏବଂ ବାଂଲାଦେଶରେ ଭାରତୀୟ କମ୍ପାନୀଗୁଡ଼ିକ ପାଇଁ ବିଶେଷ ସୁବିଧା ପ୍ରଦାନ । ଏହା ଦ୍ୱାରା ବାଂଲାଦେଶରେ ଭାରତୀୟ ଉପସ୍ଥିତି ବଢ଼ିବା ଯୋଗୁ ଆଞ୍ଚଳିକ ପ୍ରଭାବ ମଧ୍ୟ ମଜଭୁତ ହୋଇଥାଏ । ବିଶେଷ କରି ଚୀନ୍ ଏବଂ ଅନ୍ୟ ଦେଶଗୁଡ଼ିକର ଏସ୍ଇଜେଡ୍ ତୁଳନାରେ ସନ୍ତୁଳନ ରକ୍ଷାରେ ଏହା ବେଶ୍ ସହାୟକ ହୋଇଥାଏ । ଉତ୍ତର-ପୂର୍ବ ଭାରତ ପାଇଁ ସଂଯୋଗୀକରଣର ଉନ୍ନତ ମାର୍ଗ ଖୋଲିଥାଏ ।




