ବହୁଚର୍ଚ୍ଚିତ ଟ୍ରେଜରୀ ଭ୍ୟାନ୍ ଲୁଟ୍ ଘଟଣା, ଧରାପଡ଼ିଲା ଅଭିଯୁକ୍ତ ସୈଫୁର ଖାନ
Published By: Chikun – Prameya-News7 Bureau | November 15, 2025 10:01 PM
NEWS7
ଆଠଗଡ଼: ବହୁଚର୍ଚ୍ଚିତ ଟ୍ରେଜରୀ ଭ୍ୟାନ୍ ଲୁଟ୍ ଘଟଣାରେ ଜଡ଼ିତ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିଛି ତିଗିରିଆ ପୋଲିସ୍ । ପ୍ରାୟ ଦୁଇ ବର୍ଷ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ଢେଙ୍କାନାଳ ସଦର ଥାନାରେ ପୋଲିସକୁ ଆକ୍ରମଣ କରିବା ସହ ବନ୍ଧୁକ ଛଡ଼ାଇ ନେବା ଘଟଣାରେ ମଧ୍ୟ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ। ଗିରଫ ଅଭିଯୁକ୍ତର ନାଁ ସୈଫୁର ଓରଫ୍ ସ୍ଇଫୁଲ ଖାନ।
ସୂଚନାଥାଉକି, ୨୦୨୩ ନଭେମ୍ବର ୧୦ ତାରିଖରେ ତିଗିରିଆ ଥାନା ଅନ୍ତର୍ଗତ ଗୋଡ଼ିଝରିଆ-ନୂଆସଡ଼କ ନିଛାଟିଆ ରାସ୍ତାରେ କିଛି ଦୁର୍ବୃତ୍ତ ଏଟିଏମ୍ ଗାଡ଼ି ଅଟକାଇ ଲୁଟ୍ କରିଥିଲେ। ଗାଡ଼ିରେ ଥିବା ୧ କୋଟି ୬୭ ଲକ୍ଷ ଟଙ୍କା ନେଇ ଯାଇଥିଲେ ଦୁର୍ବୃତ୍ତ। କଟକ ଗ୍ରାମାଞ୍ଚଳ ପୋଲିସର ତଦନ୍ତକାରୀ ଟିମ୍ ଏଥିରୁ ଏବେ ସୁଦ୍ଧା ୬୭ ଲକ୍ଷ ୨୫ ହଜାର ୪ ଶହ ଟଙ୍କା ଜବତ କରିବା ସହ ମୁଖ୍ୟ ଅଭିଯୁକ୍ତ ମିଞ୍ଜା ଓରଫ୍ ପତିତ ନାଏକ ଓ ଅନ୍ୟ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ତିଗିରିଆ ପୋଲିସ୍। ସେହିଭଳି ୨୦୨୨ରେ ଢେଙ୍କାନାଳ ସଦର ଥାନାରେ ପୋଲିସକୁ ଆକ୍ରମଣ କରିବା ସହ ବନ୍ଧୁକ ଛଡ଼ାଇ ନେବା ଘଟଣାରେ ମଧ୍ୟ ସଂପୃକ୍ତ ଥିଲା ସୈଫୁର। ତେଣୁ ଏହି ଗିରଫ ପୋଲିସ ପାଇଁ ଏକ ସଫଳତା।
ସୈଫୁରର ଘର ତିଗିରିଆ ଥାନା ପଙ୍କାଳ ଗାଁରେ। ସେ ଦୀର୍ଷ ବର୍ଷ ଧରି ଫେରାର ଥିଲା।ତେବେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ତାକୁ ତିଗିରିଆ ଅଞ୍ଚଳରୁ ଧରିଥିବା ସୂଚନା ମିଳିଛି। ଅଭିଯୁକ୍ତକୁ ଶନିବାର ଅଦାଲତ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଇପସିତା ପ୍ରିୟଦର୍ଶିନୀ ସୂଚନା ଦେଇଛନ୍ତି।




