ଭୁବନେଶ୍ୱର ୨୦।୧୦ : ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ରବିବାର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଅଧିକ ଘନୀଭୂତ ହୋଇ ମଙ୍ଗଳବାର ସୁଦ୍ଧା ଲଘୁଚାପ ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲଘୁଚାପ ସୃଷ୍ଟି ପରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହା ଅଧିକ ବଳ ଗୋଟାଇ ପୁଣି ଘନୀଭୂତ ହେବ। ୨୩ ତାରିଖ ବେଳକୁ ଏହା ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରଭାଗରେ ଅବପାତ ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨୩ ତାରିଖରେ ଅବପାତ ସୃଷ୍ଟି ହୋଇପାରେ। କିନ୍ତୁ ବାତ୍ୟା ସୃଷ୍ଟି ନେଇ କୌଣସି ଆଶଙ୍କା ନାହିଁ। ଅବପାତ ସୃଷ୍ଟି ହେବା ପରେ ଏହାର ଦୁଇଟି ସମ୍ଭାବ୍ୟ ଦିଗ ରହିଛି । ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶର ନେଲୋର, ବିଶାଖାପାଟଣା ତଳକୁ ଉପକୂଳ ଛୁଇଁପାରେ । ଆଉ ଗୋଟେ ଦୃଶ୍ୟପଟ ହେଉଛି, ଏହା ପାଖାପାଖି ହେବା ପରେ ଉପକୂଳ ନ ଛୁଇଁ ଆନ୍ଧ୍ର-ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଆଡ଼କୁ ଯାଇପାରେ।
ଅବପାତ ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବାର ଆଶଙ୍କା ନାହିଁ । ଏହା କେବଳ ଅବପାତରେ ହିଁ ସୀମିତ ରହିପାରେ। ରାଜ୍ୟରେ ପବନ ବି ହୋଇନପାରେ। ୨୪, ୨୫, ୨୬ ତାରିଖ ତିନି ଦିନ ମଧ୍ୟମରୁ ଭାରୀ ବର୍ଷା ହାଇପାରେ । ୨୪ ତାରିଖରେ ଉପକୂଳ ସଂଲଗ୍ନ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ୨୫ ଓ ୨୬ ତାରିଖ ପୂରା ରାଜ୍ୟରେ ବର୍ଷା ସମ୍ଭାବନା ଅଛି। ୨୭ରେ ଉଊର ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ।




