ନୂଆଦିଲ୍ଲୀ: ସ୍ୱାର୍ଥ ପାଇଁ ପ୍ରତି ମୁହୂର୍ତ୍ତରେ ରୂପ ବଦଳାଉଥିବା ଆମେରିକା ଭାରତ ପ୍ରତି ସ୍ୱର ନରମ କରିଛି। ୟୁଏସ ପ୍ରତିରକ୍ଷା ମନ୍ତ୍ରୀ ମାର୍କୋ ରୁବିଓ ଭାରତକୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହିତ ଭାରତ-ଆମେରିକା ସମ୍ପର୍କ ଐତିହାସିକ,ଫଳପ୍ରଦ ଏବଂ ଦୂରଗାମୀ ବୋଲି କହିଛନ୍ତି।
ରୁବିଓ ଶୁକ୍ରବାର ଭାରତକୁ ଶୁଭେଚ୍ଛା ଜଣାଇ କହିଛନ୍ତି ଆମେରିକା ଏବଂ ଭାରତ, ଏକାଠି କାମ କରିବା ଦ୍ୱାରା ଆଧୁନିକ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜର ମୁକାବିଲା କରିବେ ଏବଂ ଉଭୟ ରାଷ୍ଟ୍ର ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ କରିବେ। ସେ ଏହା ମଧ୍ୟ କହିଛନ୍ତି ଯେ ରାଷ୍ଟ୍ରଦ୍ୱୟ ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ସୁରକ୍ଷିତ ଭାରତ-ପ୍ରଶାନ୍ତ ମହାସାଗର ପାଇଁ ସମାନ ଦୃଷ୍ଟିକୋଣ ରଖନ୍ତି।
ସ୍ୱାଧୀନତା ଦିବସ ଅବସରରେ ଭାରତର ଲୋକମାନଙ୍କୁ ଅଭିନନ୍ଦନ ଜଣାଇ ଏକ ବାର୍ତ୍ତାରେ, ରୁବିଓ ଯୁକ୍ତରାଷ୍ଟ୍ର ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ ଏବଂ ଦ୍ୱିପାକ୍ଷିକ ସହଭାଗୀର ଶକ୍ତିକୁ ପ୍ରଶଂସା କରିଥିଲେ। ସେ କହିଛନ୍ତି “ମିଳିତ ଭାବରେ କାମ କରି, ଯୁକ୍ତରାଷ୍ଟ୍ର ଏବଂ ଭାରତ ଆଜିର ଆଧୁନିକ ଚ୍ୟାଲେଞ୍ଜର ମୁକାବିଲା କରିବେ ଏବଂ ଆମ ଉଭୟ ଦେଶ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବେ।”
ରୁବିଓ କହିଛନ୍ତି “ଆମର ପରସ୍ପର ସହଭାଗୀତା ଯୋଗୁ ଶିଳ୍ପ ବୃଦ୍ଧି ହେଉଛି, ନବସୃଜନକୁ ପ୍ରୋତ୍ସାହିତ କରୁଛି, ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିର ସୀମାକୁ ଆଗକୁ ବଢ଼ାଏ ଏବଂ ମହାକାଶକୁ ବିସ୍ତାର କରେ।” କିଛିଦିନ ହେଲା ଭାରତକୁ ବାରମ୍ବାର ଟାର୍ଗେଟ୍ କରିବା ପରେ ହଠାତ୍ ଆମେରିକା ଭାରତକୁ ଶୁଭେଚ୍ଛା ଜଣାଇଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ଭାରତକୁ ଟାର୍ଗେଟ୍ କରିବା ସହିତ ଭାରତ ଉପରେ ବ୍ରାଜିଲ ପରି ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ତେବେ ବ୍ରାଜିଲ ପରି ଭାରତ କିନ୍ତୁ ଶୁଳ୍କର ଜବାବ ନ ଦେଇ ନିରବରେ ରଣନୀତି କରି ଚାଲିଛି।
ଅନ୍ୟପଟେ ଆଜି ଆଲାସ୍କାରେ ଟ୍ରମ୍ପ ଓ ପିଟୁନଙ୍କର ଭେଟ ହେବାରେ ରହିଛି। ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିଛି। ଟ୍ରମ୍ପ ଏହା ପୂର୍ବରୁ ଭାରତକୁ ବାରମ୍ବାର ଧମକ ଦେଇ ଆସିଛନ୍ତି, ଯେ ଯଦି ଟ୍ରମ୍ପ ରାଜି ନ ହୁଅନ୍ତି ତେବେ ଭାରତ ବିରୁଦ୍ଧରେ ପୁଣି ଟାରିଫ ବଢ଼ାଯିବ। ତେବେ ଭାରତ କିନ୍ତୁ ପୂର୍ବ ଭଳି ତା ଜିଦ୍ରେ ଅଟଳ ରହିଛି।




