କଟକ ୧୦।୧୦: ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା ଅନିୟମିତତା ମାମଲା ଲିଙ୍କ୍ରେ କ୍ରାଇମବ୍ରାଞ୍ଚର ଖୋଳତାଡ଼ । କ୍ରାଇମବ୍ରାଞ୍ଚରେ ହାଜର ହେଲେ ‘ବଣିକ୍’ କୋଚିଂ ସେଣ୍ଟରର ୩ ଅଧିକାରୀ । କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ‘ବଣିକ୍’ର ୩ ଅଧିକାରୀ ହାଜର ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା ଅନିୟମିତତା ମାମଲାରେ ଗୁରୁବାର କ୍ରାଇମବ୍ରାଞ୍ଚ ପକ୍ଷରୁ ‘ବଣିକ୍’ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରାଯାଇଥିଲା । ଗିରଫ ଅଭିଯୁକ୍ତଙ୍କ ବୟାନ ଆଧାରରେ ‘ବଣିକ୍’ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରିଥିଲା କ୍ରାଇମବ୍ରାଞ୍ଚ । ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ୧୧୯ ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କ ଭିତରେ ରହିଛନ୍ତି ୧୧୪ ଜଣ ଏସ୍ଆଇ ଚାକିରି ଆଶାୟୀ । ଏମାନଙ୍କ ମଧ୍ୟରୁ ୧୦ ଜଣ ‘ବଣିକ୍’ କୋଚିଂ ସେଣ୍ଟରରେ ପଢ଼ୁଥିଲେ । କୋଚିଂ ସେଣ୍ଟର କମ୍ପ୍ୟୁଟରରୁ ଡାଟା ସଂଗ୍ରହ କରିଛି କ୍ରାଇମବ୍ରାଞ୍ଚ । ଭୁବନେଶ୍ବରରେ ଥିବା ଏହି ସେଣ୍ଟରର ମୁଖ୍ୟ କାର୍ଯ୍ୟାଳୟରେ କ୍ରାଇମବ୍ରାଞ୍ଚ ଚଢ଼ାଉ କରି ଗିରଫ ହୋଇଥିବା ୧୧୪ ଜଣ ପରୀକ୍ଷାର୍ଥୀ ଓ ଅନ୍ୟ ଦଲାଲ ମାନଙ୍କ ସହ ‘ବଣିକ୍’ର କ’ଣ ସମ୍ପର୍କ ରହିଛି ତାହା ଜାଣିବାକୁ ପ୍ରୟାସ କରିଥିଲା କ୍ରାଇମବ୍ରାଞ୍ଚ ।
‘ବଣିକ୍’ର ମାଲିକ ସୁବ୍ରତ ଛାଟୋଇ ଏବଂ ଏହି ପରୀକ୍ଷା ସ୍କାମ୍ରେ ଫେରାର ଥିବା ପଞ୍ଚସଫ୍ଟର ମୁଖ୍ୟ ଶଙ୍କର ପୃଷ୍ଟିଙ୍କ ମଧ୍ୟରେ କୌଣସି ଲିଙ୍କ୍ ଅଛି କି ନାହିଁ ତା’ର ମଧ୍ୟ ଖୋଳତାଡ଼ କରାଯାଉଛି । ଏମିତିରେ ‘ବଣିକ୍’ କୋଚିଂ ସେଣ୍ଟର ମାଲିକ ସୁବ୍ରତ ଛାଟୋଇ କହିଥିଲେ ଯେ, ରାଜନୀତି ପାଇଁ ରାଜ୍ୟର ଏକ ପ୍ରତିଷ୍ଠିତ ଅନୁଷ୍ଠାନ ‘ବଣିକ୍’କୁ ବଦନାମ୍ କରାନଯାଉ । ‘ବଣିକ୍’ରୁ କୋଚିଂ ନେଇ ଅନେକ ପିଲା ବିଭିନ୍ନ ସରକାରୀ ଅଫିସରେ କାର୍ଯ୍ୟ କରୁଛନ୍ତି । ସେମାନେ ଏଭଳି ଅପପ୍ରଚାର ଦ୍ବାରା ନିଜକୁ ଅପମାନିତ ଅନୁଭବ କରୁଛନ୍ତି । ‘ବଣିକ୍’ର ୮ଟି ସେଣ୍ଟରରେ ୮ହଜାରରୁ ଅଧିକ ପିଲା ପଢ଼ୁଛନ୍ତି । ଯେଉଁ ୧୧୪ ପରୀକ୍ଷାର୍ଥୀ ଗିରଫ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ‘ବଣିକ୍’ରେ ୬ ଜଣ କୋଚିଂ ନେଉଥିଲେ । ତାହା ପୁଣି ୨୦୨୧-୨୨ରେ । ଏସ୍ଆଇ ନିଯୁକ୍ତି ପରୀକ୍ଷା ରାକେଟରେ ତଳ ଦଲାଲଙ୍କୁ ଧରିଲେ ହେବ ନାହିଁ, ବଡ଼ ମାଛ ଧରନ୍ତୁ । ପୂର୍ବରୁ କେନ୍ଦ୍ରୀୟ GST ଓ ଆୟକର ବିଭାଗ ରେଡ୍ କରିଥିଲେ । କିନ୍ତୁ ସେମାନଙ୍କୁ ଏପର୍ଯ୍ୟନ୍ତ କିଛି ମିଳିନାହିଁ ବୋଲି ସୁବ୍ରତ ଛାଟୋଇ କହିଥିଲେ ।




