ନୂଆଦିଲ୍ଲୀ ୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ବଜେଟ୍ ରେ କ୍ରିଡ଼ା ମନ୍ତ୍ରାଳୟ ପାଇଁ ରାଜକୋଷ ଖୋଲି ଦେଇଛନ୍ତି। ମିନିଷ୍ଟ୍ରିର ମୋଟ ବଜେଟରେ ପିଛିଲା ବଜେଟ୍ ତୁଳନାରେ ୧୧୩୩.୩୪ କୋଟି ଟଙ୍କା ବୃଦ୍ଧି କରାଯାଇଛି, ଏହା ବାଦେ ମନ୍ତ୍ରାଳୟର ବଜେଟ୍ ୪୪୭୯.୮୮ କୋଟି ଟଙ୍କାର ହୋଇଯାଇଛି। ଏହା ପୂର୍ବରୁ ୨୦୨୫-୨୬ ବଜେଟ୍ ରେ କ୍ରିଡ଼ାମନ୍ତ୍ରାଳୟକୁ ବଜେଟରେ ୩୩୪୬.୫୪ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା ।
୨୦୨୬-୨୭ ବଜେଟରେ ଖେଳ ଉପରେ ବିଶେଷ ଧ୍ୟାନ
ସ୍ପୋର୍ଟସ ଗୁଡସ ମାନୁଫେକ୍ଚରିଂ ସେକ୍ଟରକୁ ପ୍ରଥମ ଥର ବଜେଟରେ ଗୁରୁତ୍ୱ ଦିଆଯାଇଛି। ଅର୍ଥମନ୍ତ୍ରୀ ଭାରତକୁ ଉଚ୍ଚମାନର ତଥା ଶସ୍ତା ଖେଳ ସାମଗ୍ରୀ ଉତ୍ପାଦନର ବୈଶ୍ୱିକ କେନ୍ଦ୍ରରେ ପରିଣତ କରିବାକୁ ଥିବା କ୍ଷମତା ଉପରେ ଗୁରୁତ୍ୱ ଦେଇ ବଡ଼ ଘୋଷଣା କରିଛନ୍ତି। ଏଥି ପାଇଁ ବଜେଟ୍ ରେ ୫୦୦ କୋଟି ଟଙ୍କାର ପ୍ରାବଧାନ କରାଯାଇଛି, ଯାହା ଇକ୍ୱିପମେଣ୍ଟ ଡିଜାଇନ, ସ୍ପୋର୍ଟସ ସାଇନ୍ସରେ ଗବେଷଣା ଓ ଉଦଭାବନାକୁ ପ୍ରୋତ୍ସାହିତ କରିବ।
ଆରମ୍ଭ ହେବ ଖେଲୋ ଇଣ୍ଡିଆ ମିସନ
ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ (ସାଇ) ବଜେଟ୍ ମଧ୍ୟ ବଢ଼ା ଯାଇଛି। ସାଇକୁ ବଜେଟରେ ୯୧୭.୩୮ କୋଟି ଟଙ୍କା ଆବଣ୍ଟିତ ହୋଇଛି, ଯାହା ପୂର୍ବରୁ ୮୮୦ କୋଟି ଟଙ୍କା ଥିଲା। ଏଥିରେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ‘ଖେଲୋ ଇଣ୍ଡିଆ’କୁ ୯୨୪.୩୫କୋଟି ଟଙ୍କା ଆବଣ୍ଟିତ ହୋଇଛି। ତେବେ ଗତ ଆର୍ଥିକ ବର୍ଷରେ ଏଥି ପାଇଁ ୧୦୦୦ କୋଟି ଟଙ୍କାର ପ୍ରାବଧାନ ଥିଲା ଓ ଚୂଡ଼ାନ୍ତ ଖର୍ଚ୍ଚ ୭୦୦ କୋଟି ଟଙ୍କା ହୋଇଥିଲା। ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ‘ଖେଲୋ ଇଣ୍ଡିଆ ମିସନ’ ପ୍ରାରମ୍ଭ ନେଇ ଘୋଷଣା କରିଛନ୍ତି, ଯାହା ଆଗାମୀ ଦଶନ୍ଧୀରେ କ୍ରିଡ଼ା କ୍ଷେତ୍ରକୁ ସମ୍ପୂର୍ଣ୍ଣ ବଦଳାଇବାକୁ ଲକ୍ଷ୍ୟ ରଖିଛି। ଏହି ମିସନ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମର ଭିତ୍ତିଭୂମିରେ ଆଗକୁ ବଢିବ ଓ ପ୍ରତିଭା ବିକାଶକୁ ଅଧିକ ବ୍ୟବସ୍ଥିତ କରିବ।
ରାଷ୍ଟ୍ରମଣ୍ଡଳ କ୍ରିଡା ସହାୟତା ବଢିଲା
ବଜେଟରେ ରାଷ୍ଟ୍ରମଣ୍ଡଳ କ୍ରିଡା ସହାୟତା ରେ ୭୮% ବୃଦ୍ଧି ହୋଇଛି। ଏହା ଏବେ ୫୦ କୋଟି ଟଙ୍କାକୁ ପହଞ୍ଚିଛି। ଚଳିତବର୍ଷ ରାଷ୍ଟ୍ରମଣ୍ଡଳ କ୍ରିଡା ଗ୍ଲାସଗୋରେ ଅନୁଷ୍ଠିତ ହେବ। ସେହିପରି ରାଷ୍ଟ୍ରୀୟ କ୍ରିଡା ବିକାଶ କୋଷ ଲାଗି ଯୋଗଦାନ ୩ କୋଟି ଟଙ୍କାରୁ ବଢାଇ ୫ କୋଟି ଟଙ୍କା କରାଯାଇଛି। ଏହା ଛଡା ଖେଳାଳିଙ୍କ ପ୍ରୋତ୍ସାହନ ରାଶି ୨୮ କୋଟି ଟଙ୍କାରୁ ବଢାଇ ୪୦ କୋଟି ଟଙ୍କା କରାଯାଇଛି। ଏହା ଛଡା ଜାତୀୟ କ୍ରିଡା ମହାସଂଘଙ୍କ ଲାଗି ସହାୟତାକୁ ୪୦୦ କୋଟିରୁ ବଢାଇ ୪୨୫ କୋଟି ଟଙ୍କା କରାଯାଇଛି।
ଯୁବ ବ୍ୟାପାର ଜାତୀୟ ସେବା ସ୍କିମକୁ ୨୭୫କୋଟି ଟଙ୍କାରୁ ବଢାଇ ୩୫୭.୩୯ କୋଟି ଟଙ୍କା କରାଯାଇଛି। ୟୁଥ ହଷ୍ଟେଲ ନିମନ୍ତେ ଆବଣ୍ଟନ ମଧ୍ୟ ବୃଦ୍ଧି ହୋଇଛି। ଏହାକୁ ୧.୧୦ କୋଟିରୁ ବଢାଇ ୧୯.୨୦ କୋଟି ଟଙ୍କା କରାଯାଇଛି। ତେବେ କିଛି କ୍ଷେତ୍ରରେ ହ୍ରାସ ମଧ୍ୟ ହୋଇଛି। ଏଥିରେ ନ୍ୟାସନାଲ ଡୋପ ଟେଷ୍ଟିଂ ଲାବରେଟରୀ ବଜେଟ୍ ୨୮.୫୫ କୋଟି ଟଙ୍କାରୁ ହ୍ରାସ କରି ୨୩ କୋଟି ଟଙ୍କା କରାଯାଇଛି। ନ୍ୟାସନାଲ ଆଣ୍ଟି ଡୋପ ଏଜେନ୍ସୀ ବଜେଟ୍ ୨୪.୩୦ କୋଟିରୁ ହ୍ରାସ କରି ୨୦ କୋଟି କରାଯାଇଛି। ସେହିପରି ନ୍ୟାସନାଲ ସ୍ପୋର୍ଟସ ୟୁନିଭର୍ସିଟି ବାର୍ଷିକ ବଜେଟ୍ ୭୮.୬୪ କୋଟି ଟଙ୍କାରୁ ହ୍ରାସ କରି ୪୬.୯୮ କୋଟି ଟଙ୍କା କରାଯାଇଛି।




