ଭୁବନେଶ୍ବର ୨୧।୧୦: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଆସନ୍ତା ୩୬ ଘଣ୍ଟା ଭିତରେ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟରେ ମଙ୍ଗଳବାରଠୁ ବର୍ଷା ଆରମ୍ଭ ହୋଇପାରେ । ତେବେ ଏହା ପ୍ରଭାବ ଓଡ଼ିଶା ଉପରେ କେତେ ପରିମାଣରେ ପଡ଼ିବ ସେନେଇ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।
ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା କ୍ରମଶଃ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ବଳ ଗୋଟାଇବ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୩୬ ଘଣ୍ଟାରେ ଅବପାତରେ ପରିଣତ ହେବ । ଦକ୍ଷିଣ ବଙ୍ଗୋପସାଗର କେନ୍ଦ୍ରୀୟ ଅଂଶ ଓ ନିକଟବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଯାହା ଫଳରେ ରାଜ୍ୟରେ ଆଗାମୀ ୫-୭ ଦିନ ଯାଏ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ । ବିଜୁଳି, ଘଡଘଡି ଓ ଝଟକା ପବନ ସମ୍ଭାବନା ଥିବା ବେଳେ ଏହି ସମୟରେ ଚାଷୀଙ୍କୁ ସାବଧାନତା ଅବଲମ୍ବନ ସହ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି ।
ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଓ ଉପକୂଳ ଓଡ଼ିଶାର ୧୦ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୨ ଓ ୨୩ ତାରିଖରେ ଉପକୂଳବର୍ତ୍ତୀ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ବର୍ଷାହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ୨୪ ତାରିଖ ବେଳକୁ ବର୍ଷା ବଢ଼ିବା ସମ୍ଭାବନା ରହିଛି ।
ସେପଟେ ରାଜ୍ୟରେ ବାତ୍ୟାର କୌଣସି ସୂଚନା ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇନାହିଁ । କୌଣସି ଭୟଭୀତ ହେବାର ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା କହିଥିଲେ । ସେପଟେ ସୋଆ ସିଇସି ନିର୍ଦ୍ଦେଶକ ଶରତ ସାହୁ ମଧ୍ୟ ୨୩ ତାରିଖ ବେଳକୁ ବର୍ଷା ସମ୍ଭାବନା ରହିଥିବା କହିଥିଲେ ।




