ପାରାଦୀପ ୨୮।୧୦ : ପାରାଦୀପରେ ପଣ୍ୟବାହୀ ଜାହାଜ ଗିରଫ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗିରଫ କଲେ ସ୍ବତନ୍ତ୍ର ଟିମ୍। MV MAGNET ନାମକ ଜାହାଜ ଗିରଫ ହୋଇଛି। ଋଷିଆରୁ କୋକିଂ କୋଲ ନେଇ ଆସିଥିଲା ଜାହାଜ। ଡିସେମ୍ବର ୧ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି।
ପାରାଦୀପ ବନ୍ଦରରେ ଥିବା ଏକ ଜାହାଜ ଏମ୍.ଭି. ମ୍ୟାଗ୍ନେଟ୍ ଟିମ୍କୁ ଗିରଫ କରିବା ପାଇଁ ହାଇକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି । ଏହି ଜାହାଜ ଉପରେ ୨କୋଟି ୧୧ଲକ୍ଷ ୮୨ ହଜାର ୬୫୬ଟଙ୍କା ବକେୟା ରହିଛି । ଏହି ଟଙ୍କା ନଦେବାରୁ ସିଲକ୍ ରୋଡ୍ ସିପିଂ ଆଣ୍ଡ ଚାର୍ଟରିଂ ସଂସ୍ଥା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ହାଇକୋର୍ଟର ବିଚାରପତି ତଥା ଆଡ୍ମିରାଲିଟି ଜଷ୍ଟିସ୍ ଭି. ନରସିଂହ ମାମଲାର ତ୍ୱରିତ ବିଚାର କରି ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଜାହାଜର ମାଲିକଙ୍କୁ ମଧ୍ୟ ଜବାବ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଆବେଦନକାରୀ ସଂସ୍ଥା ପକ୍ଷରୁ ହାଇକୋର୍ଟରେ ଏହି ମାମଲା ରୁଜୁ କରାଯାଇ ଜାହାଜ ଉପରେ ୨କୋଟି ଟଙ୍କା ବକେୟା ଥିବା ଦର୍ଶାଯାଇଥିଲା । ଯଦି ଜାହାଜକୁ ତୁରନ୍ତ ଗିରଫ କରାନଯାଏ ତାହେଲେ ଜାହାଜ ଆଜି ପାରାଦୀପ ବନ୍ଦର ଛାଡ଼ିଦେବାର ସମ୍ଭାବନା ରହିଛି । ହାଇକୋର୍ଟ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ଆବେଦନକାରୀଙ୍କ ଅଭିଯୋଗର ପ୍ରାଥମିକ ପ୍ରମାଣ ଥିବା ଜାଣିବାକୁ ପାଇଥିଲେ । ଯଦି ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ ଦିଆନଯାଏ ତେବେ ଆବେଦନକାରୀ ରୁଜୁ କରିଥିବା ମାମଲାର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେବନାହିଁ । ତେଣୁ ତୁରନ୍ତ ବନ୍ଦରରେ ଜାହାଜକୁ ଗିରଫ କରିବା ପାଇଁ ହାଇକୋର୍ଟ ଅନ୍ତରୀଣ ଆଦେଶରେ ନିର୍ଦ୍ଦେଶ ଦେଇଥିଲେ । ତେବେ ଜାହାଜରେ ଯଦି କୌଣସି ସାମଗ୍ରୀ ଥାଏ ତାହେଲେ ଏହାକୁ ଅନ୍ଲୋଡ୍ କରିବାରେ ଏହି ମାମଲା କୌଣସି ଅନ୍ତରାୟ ସୃଷ୍ଟି କରିବନାହିଁ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ଅଦାଲତଙ୍କ ଏହି ଆଦେଶ କପିକୁ ଆବେଦନକାରୀ ପ୍ରତିପକ୍ଷଙ୍କୁ ଫ୍ୟାକ୍ସ, ଇ-ମେଲ୍ କିମ୍ବା ନିଜେ ଯାଇ ପ୍ରଦାନ କରିପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।




