ନୂଆଦିଲ୍ଲୀ ୧୦/୦୩: ରବିରାର ଥିଲା ICC ପୁରୁଷ T୨୦ବିଶ୍ୱକପ୍ ୨୦୨୬ ଫାଇନାଲ ଫାଇଟ୍ । ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଭାରତ ରଚିଛି ଇତିହାସ । ଭାରତୀୟ ଦଳ ରେକର୍ଡ ତୃତୀୟ ଥର ପାଇଁ T୨୦ ବିଶ୍ୱକପ୍ ଜିତିଛି। ପୂର୍ବରୁ, ଭାରତ ୨୦୦୭ ଓ ୨୦୨୪ ସଂସ୍କରଣ ଜିତିଥିଲା । ଏହା ପ୍ରଥମ ଦଳ ଯିଏ ଲଗାତାର T୨୦ ବିଶ୍ୱକପ୍ ଜିତିଛି । ପ୍ରଥମ ଥର ପାଇଁ କୌଣସି ଦଳ ଘରୋଇ ପରିବେଶରେ T୨୦ ବିଶ୍ୱକପ୍ ଟାଇଟଲ ଜିତିଛି।
ଏହି ପ୍ରଭାବଶାଳୀ ବିଜୟ ମଧ୍ୟରେ, ଟିମ୍ ଇଣ୍ଡିଆର ଷ୍ଟାର ଫାଷ୍ଟ ବୋଲର ଅର୍ଶଦୀପ ସିଂହ ଶିରୋନାମାରେ ଥିଲେ । ଟାଇଟଲ୍ ମ୍ୟାଚ୍ ସମୟରେ କରିଥିବା ଏକ କାର୍ଯ୍ୟ ପାଇଁ ସେ ଏବେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ଯାଉଛନ୍ତି । ଫାଇନାଲରେ ତାଙ୍କର ଦ୍ୱିତୀୟ ଓଭର ସମୟରେ, ଅର୍ଶଦୀପ ନ୍ୟୁଜିଲାଣ୍ଡ ବ୍ୟାଟସମ୍ୟାନ୍ ଡାରିଲ୍ ମିଚେଲଙ୍କ ଆଡ଼କୁ ଆକ୍ରମଣାତ୍ମକ ଭାବରେ ବଲ୍ ଫିଙ୍ଗିଥିଲେ । ଥ୍ରୋ ସିଧାସଳଖ ମିଚେଲଙ୍କ ଜଙ୍ଘରେ ବାଜିଥିଲା ।
ଯାହା ଫଳରେ କିଛି ମୁହୂର୍ତ୍ତ ପାଇଁ ପଡ଼ିଆରେ କଥାବାର୍ତ୍ତା ଗରମ ଦେଖିବାକୁ ମିଲିଥିଲା । ଆଘାତ ଲାଗିବା ପରେ ମିଚେଲ ସ୍ପଷ୍ଟ ଭାବରେ ବିରକ୍ତ ହୋଇଯାଇଥିଲେ । ତୁରନ୍ତ ଅମ୍ପାୟରଙ୍କ ନିକଟରେ ଅଭିଯୋଗ କରିଥିଲେ। ମିଚେଲଙ୍କ ଏଭଳି ଆଚରମ ଦେଖି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମାଲାରେ ହସ୍ତକ୍ଷେପ କରି ପରିସ୍ଥିତିକୁ ଶାନ୍ତ କରିଥିଲେ । ତେବେ ଅର୍ଶଦୀପ ସିଂହ ସଂଗେ ସଂଗେ କିଛି କହିନଥିଲେ । ପଛରେ ଆସି ମିଚେଲଙ୍କ ସହ ହାତ ମିଳାଇଥିଲେ । ସରି ମଧ୍ୟ କହିଥିଲେ ।
ସବୁ ଠିକ୍ ଠାକ୍ ହେଲା ଯେ, କିନ୍ତୁ ନିୟମ ICC ଆଚରଣ ସଂହିତାର ଧାରା ୨.୯ ଅନୁଯାୟୀ ଉଲ୍ଲଂଘନ ଅଭିଯୋଗ କରାଯାଇପାରେ । ଏହା ଅନୁସାରେ, ବ୍ୟାଟସମ୍ୟାନ୍ କିମ୍ବା ଅନ୍ୟ ଖେଳାଳିଙ୍କ ଆଡ଼କୁ ବଲ୍ କିମ୍ବା ଅନ୍ୟାନ୍ୟ ଉପକରଣ ଫିଙ୍ଗିବା ଖେଳର ଭାବନା ବିରୋଦରେ ବିବେଚନା କରାଯାଏ।ଏପରି ମାମଲା ସ୍ତର ୧ ଅଧୀନରେ ଆସେ । ଅର୍ଶଦୀପ ସିଂହଙ୍କୁ ଏବେ ତାଙ୍କ ମ୍ୟାଚ୍ ଫିର ସର୍ବାଧିକ ୫୦% ଓ ଗୋଟିଏ କିମ୍ବା ଦୁଇଟି ଡିମେରିଟ୍ ପଏଣ୍ଟ ମିଳିପାରେ । ଗତ ୨୪ ମାସରେ ଚାରୋଟି ଡିମେରିଟ୍ ପଏଣ୍ଟ ସଂଗ୍ରହ କରିଥିବା ଖେଳାଳିଙ୍କୁ ଗୋଟିଏ ଟେଷ୍ଟ ମ୍ୟାଚ୍ କିମ୍ବା ଦୁଇଟି ଧଳା ବଲ୍ ମ୍ୟାଚ୍ ପାଇଁ ବାସନ୍ଦ କରିବାକୁ ପଡ଼ିପାରେ।
ଗତ ଅକ୍ଟୋବରରେ ସମାନ ଘଟଣା ଘଟିଥିଲା। ଭାରତୀୟ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲଙ୍କ ଆଡ଼କୁ ବଲ୍ ଫିଙ୍ଗିବା ପାଇଁ ୱେଷ୍ଟଇଣ୍ଡିଜ୍ ଦ୍ରୁତ ବୋଲର ଜାଡେନ୍ ସିଲ୍ସଙ୍କୁ ତାଙ୍କ ମ୍ୟାଚ୍ ଫିର ୨୫% ଜରିମାନା କରାଯାଇଥିଲା । ଗୋଟିଏ ଡିମେରିଟ୍ ପଏଣ୍ଟ ଦିଆଯାଇଥିଲା। T20 ବିଶ୍ୱକପ୍ ଫାଇନାଲରେ ଏହି ବିବାଦୀୟ ମୁହୂର୍ତ୍ତ ପାଇଁ ଅର୍ଶଦୀପ ସିଂହଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ କି ନାହିଁ ସେ ବିଷୟରେ ଏବେ ସମସ୍ତଙ୍କ ନଜର ICCର ନିଷ୍ପତ୍ତି ଉପରେ ରହିଛି । ..




