ବୌଦ୍ଧ ୨।୧୧: ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହେଲେ ପ୍ରେମୀ ଯୁଗଳ । ଘଟଣାସ୍ଥଳରେ ପ୍ରେମିକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରେମିକା ଗୁରୁତର ହୋଇଛନ୍ତି । ମୃତ ପ୍ରେମିକ ଛତ୍ରଙ୍ଗ ଗ୍ରାମର ଅମୂଲ୍ୟ ବେହେରା ଓ ଗୁରୁତର ପ୍ରେମିକା ଭାବପୁର ଗ୍ରାମର ବୋଲି । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ପଇଦାଭୂଇଁ ବଡଯୋରନାଳ ନିକଟରେ ଦୁର୍ଘଟଣା । କୁହାଯାଉଛି ଯେ, ଶନିବାର ବିଳମ୍ବିତ ରାତିରେ ଉଭୟେ ଘରୁ ଫେରାର ମାରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ହରଭଙ୍ଗା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ପ୍ରେମ କଲେ କିନ୍ତୁ ବିବାହ ପାଇଁ ଘର ଲୋକେ ରାଜି ହେଲେ ନାହିଁ । ରାତାରାତି ଘରୁ ଫେରାର ମାରିଲେ ପ୍ରେମୀଯୁଗଳ । ହେଲେ ନିୟତିରେ ଲେଖା ଥିଲା କିଛି ଅଲଗା । ଉଭୟଙ୍କ ଭାଗ୍ୟରେ ଲେଖା ନଥିଲା ସାଥିହୋଇ ଜୀବନ ବିତାଇବା । ପ୍ରେମିକା ସାଙ୍ଗରେ ସାରାଜୀବନ ବିତାଇବା ଆଶାରେ ପ୍ରେମିକାଙ୍କୁ ନେଇ ଅମୂଲ୍ୟ ଘରୁ ଗୋଡ଼ କାଢ଼ିଥିବା ବେଳେ ବାଟରେ ଛକି ବସିଥିଲା ଯମ । ରାସ୍ତାରେ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାର ଶିକାର ହେଲେ ଉଭୟ ପ୍ରେମୀଯୁଗଳ । ଏହି ଦୁର୍ଘଟଣାରେ ପ୍ରେମିକାକୁ ଅଧାବାଟରେ ଏକା କରି ଆରପାରିକୁ ଚାଲିଗଲା ପ୍ରେମିକ । ଘଟଣାସ୍ଥଳରେ ହିଁ ପ୍ରେମିକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରେମିକା ଗୁରୁତର ଭାବେ ହରଭଙ୍ଗା ମେଡିକାଲରେ ଜୀବନ ଆଉ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଛତ୍ରଙ୍ଗ ଗାଁର ଅମୂଲ୍ୟ ବେହେରା ଭାବପୁର ଗ୍ରାମର ଯୁବତୀଙ୍କୁ ଭଲ ପାଉଥିଲେ । ବିବାହ କରିବା ପାଇଁ ଘର ଲୋକଙ୍କୁ କହିଥିଲେ । ହେଲେ ଘରଲୋକ କୁଆଡେ ଏମାନଙ୍କ ବିବାହକୁ ନେଇ ଅରାଜି ହୋଇଥିଲେ । ଯେଉଁଥି ପାଇଁ ଉଭୟେ ମନସ୍ଥ କଲେ ଘରୁ ପଳାଇ ବିବାହ କରି ସାଥିହୋଇ ଜୀବନ ବିତାଇବେ । ଶନିବାର ବିଳମ୍ବିତ ରାତିରେ ଉଭୟେ ଘରୁ ଫେରାର ମାରୁଥିବା ବେଳେ ହରଭଙ୍ଗା ଥାନା ପଇଦାଭୂଇଁ ବଡଯୋରନାଳ ନିକଟ ବୁଲାଣିରେ ବାଇକ୍ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା । ଏହି ଦୁର୍ଘଟଣାରେ ପ୍ରେମିକ ଅମୂଲ୍ୟ ବେହେରାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ପ୍ରେମିକାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ହରଭଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେ ଜୀବନ ଆଉ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ସେପଟେ ଘଟଣାସ୍ଥଳରେ ହରଭଙ୍ଗା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।




