ପ୍ରଥମ ମ୍ୟାଚ୍‌ରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ, ସମ୍ମାନ ରଖିଲେ ସୂର୍ଯ୍ୟ, ଆମେରିକା ସାମ୍ନାରେ ୧୬୨ ରନ ଟାର୍ଗେଟ୍

ପ୍ରଥମ-ମ୍ୟାଚ୍‌ରେ-ଭାରତର-ବ୍ୟାଟିଂ-ବିପର୍ଯ୍ୟୟ,-ସମ୍ମାନ-ରଖିଲେ-ସୂର୍ଯ୍ୟ,-ଆମେରିକା-ସାମ୍ନାରେ-୧୬୨-ରନ-ଟାର୍ଗେଟ୍

ମୁମ୍ବାଇ: ଟି-୨୦ ବିଶ୍ଵକପ୍ ୨୦୨୬ର ନିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳର ବ୍ୟାଟିଂ ଏମିତି ସ୍ଥିତି ହେବ କେହି ସ୍ଵପ୍ନରେ ବି ଭାବି ନ ଥିଲେ। ସେ ପୁଣି ଆମେରିକା ପରି ଦଳ ବିରୋଧରେ ଭାରତୀୟ ବ୍ୟାଟିଂ କ୍ରମ ଯେମିତି ବିପର୍ଯ୍ୟୟ ଭୋଗିଲା ତାହା କ୍ରିକେଟ୍ ପ୍ରେମୀଙ୍କୁ ବିସ୍ମିତ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୯ ଓ୍ଵିକେଟ୍ ହରାଇ ୧୬୧ ରନ କରି ପାରିଛି। ଆଉ ଆମେରିକା ଆଗରେ ରହିଛି ୧୬୨ ରନର ବିଜୟ ଲକ୍ଷ୍ୟ। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟର କ୍ରିଜରେ ତିଷ୍ଠି ପାରି ନାହାନ୍ତି। ସୂର୍ଯ୍ୟ ୮୪ ରନର ଅଧିନାୟକତ୍ଵ ଇନିଂସ ଖେଳି ଭାରତର ସମ୍ମାନ ରଖିଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଅଭିଷେକ ଶର୍ମା ଗଲଡେନ ଡକର ଶିକାର ହୋଇଥିଲେ। ୪୫ ରନ ସ୍କୋରରେ ଇଶାନ କିଶନ ୨୦ ରନ କରିଥିଲେ ହେଁ ବଡ଼ ଇନିଂସ ଖେଳିପାରି ନ ଥିଲେ। ତିଳକ ବର୍ମାଙ୍କୁ ଭଲ ଆରମ୍ଭ ମିଳିଥିଲେ ହେଁ ୨୫ ରନ କରି ଆଉଟ୍ ହେବା ଭାରତକୁ ବଡ଼ ଝଟକା ଦେଇଥିଲା। ଗୋଟିଏ ପଟେ ସୂର୍ଯ୍ୟକୁମାର ଯାଦବ କ୍ରିଜରେ ଥିବା ବେଳେ ଅନ୍ୟପଟେ ଭାରତ ଓ୍ଵିକେଟ୍ ହରାଇ ଚାଲିଥିଲା। ୪୬ ସ୍କୋରରେ ତିଳକ ବର୍ମା ପାଭିଲିୟନ ଫେରିଥିବା ବେଳେ ସେହି ସମାନ ସ୍କୋରରେ ଶିବମ ଦୁବେ ଖାତା ଖୋଲି ପାରି ନ ଥିଲେ।

ରିଙ୍କୁ ସିଂ(୬ ରନ) ଉପର ଅର୍ଡରେ ବ୍ୟାଟିଂ କରିବାକୁ ସୁଯୋଗ ମିଳିଥିଲେ ହେଁ ଫାଇଦା ଉଠାଇ ପାରି ନ ଥିଲେ। ଏପରିକି ହାର୍ଦ୍ଦିକ ପାଣ୍ଡ୍ୟା(୫ ରନ) ମଧ୍ୟ ନିରାଶ କରିଥିଲେ। ସୂର୍ଯ୍ୟକୁମାର ଯାଦବ ପୂରା ସ୍ଥିତି ଅନୁସାରେ ବ୍ୟାଟିଂ କରି ଅଧିନାୟକତ୍ଵ ଇନିଂସ ଖେଳିଥିଲେ। ସେ ଶେଷ ପର୍ଯ୍ୟନ୍ତ ରହି ୪୯ ବଲରୁ ୧୦ ଚୌକା ଓ ୪ ଛକା ସହ ୮୪ ରନ କରିଥିଲେ। ତାଙ୍କର ଏହି ଇନିଂସ ବଳରେ ଭାରତ ୯ ଓ୍ଵିକେଟ୍ ହରାଇ ୧୬୧ ରନ କରି ପାରିଛି।

Scroll to Top