ବ୍ରହ୍ମପୁର ୨୯।୧୦: ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲାରେ ୧୧୪ ଜଣଙ୍କୁ ମିଳିଲା ଜାମିନ । ଏହି ଘଟଣାରେ ୧୨୦ ଜଣଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୧୪ ଜଣଙ୍କ ଜାମିନ ମଞ୍ଜୁର ହୋଇଛି । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି । ୫୦ ହଜାର ଟଙ୍କା ଓ ଦୁଇ ଜାମିନଦାରଙ୍କ ମୁଚାଲିକାରେ ଜାମିନ ମିଳିଛି । ଏ ନେଇ ହାଇକୋର୍ଟ ଓକିଲ ବିରଞ୍ଚି ନାରାୟଣ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି ।
ତେବେ ଓଡ଼ିଶାରୁ ବିଜୟୱାଡା ଯିବାବେଳେ ସମସ୍ତଙ୍କୁ ଗିରଫ କରିଥିଲା ବ୍ରହ୍ମପୁର ପୋଲିସ । ଦଲାଲ ମୁନ୍ନା ମହାନ୍ତିଙ୍କ ସମେତ ୯ ଜଣଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ସୂଚନା ରହିଛି ।
ସୂଚନାଯୋଗ୍ୟ ଯେ, ପୋଲିସ ଏସ୍ଆଇ ପରୀକ୍ଷା ଟେଣ୍ଡର ଜରିଆରେ ପିଏସ୍ୟୁ ଆଇଟିଆଇ ଲିମିଟେଡ୍ ସଂସ୍ଥାକୁ ଦିଆଯାଇଥିଲା । ଏହି ସଂସ୍ଥା ଭୁବନେଶ୍ୱରର ସିଲିକନ୍ ଟେକ୍ନୋଲାବ୍କୁ ଓ ସିଲିକନ୍ ପକ୍ଷରୁ ଏହି କାମ ପଞ୍ଚସଫ୍ଟକୁ ଦିଆଯାଇଥିଲା । ପଞ୍ଚସଫ୍ଟକୁ ପରୀକ୍ଷା ପରିଚାଳନା ଲାଗି ୩୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ପଞ୍ଚସଫ୍ଟ ଟେକ୍ନୋଲୋଜି ଲିମିଟେଡ୍ର ନିର୍ଦ୍ଦେଶକ ଭାବେ ଶଙ୍କର ପୃଷ୍ଟି କାର୍ଯ୍ୟ କରୁଥିଲା । ଯେଉଁଠାରେ ଯାବତୀୟ କେଳେଙ୍କାରୀ ହୋଇଥିବା ଜଣାପଡ଼ିଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ମାମଲାରେ ୧୧୪ ଜଣ ଆଶାୟୀ ପ୍ରାର୍ଥୀ, ୬ ଜଣ ଦଲାଲଙ୍କୁ ଗିରଫ କରାଯାଇଥିଲା ।
ଅନ୍ୟପଟେ ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଟି ଆଗୁଆ ଜାମିନ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ଘଟଣାର ତଦନ୍ତ କରାଯାଇ ଶଙ୍କର କେଳେଙ୍କାରୀର ମାଷ୍ଟର ମାଇଣ୍ଡ ବୋଲି ଜଣାପଡ଼ିଥିଲା କ୍ରାଇମବ୍ରାଞ୍ଚ ତା’ ନାଁରେ ମାମଲା ରୁଜୁ କରିବା ପରେ ସେ ଏପର୍ଯ୍ୟନ୍ତ ଫେରାର ଅଛି । ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ଲାଗି ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲା ।




