ବ୍ରହ୍ମପୁର ୩୦।୧୦: ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ଜେଲରୁ ମୁକୁଳିଛନ୍ତି ଗିରଫ ହୋଇଥିବା ଆଶାୟୀ ପରୀକ୍ଷାର୍ଥୀ । ନିଯୁକ୍ତି ସ୍କାମ ଘଟଣାରେ ୧୨୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୧୪ ଜଣ ଥିଲେ ପରୀକ୍ଷାର୍ଥୀ । ଏହି ମାମଲାରେ ପରୀକ୍ଷାର୍ଥୀମାନଙ୍କୁ କୋର୍ଟ ଜାମିନ ପ୍ରଦାନ କରିବା ପରେ ଆଜି ସେମାନେ ବ୍ରହ୍ମପୁର ସବଜେଲରୁ ମୁକୁଳିଛନ୍ତି । ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିବା ବେଳେ ମୁଖ୍ୟ କାର୍ପଟଦାର ଏପର୍ଯ୍ୟନ୍ତ ଧରାପଡ଼ିନାହିଁ।
ସକାଳୁ ସକାଳୁ ଦିନ ତମାମ ବ୍ରହ୍ମପୁର ଜେଲ୍ ଫାଟକ ଆଗରେ ଭିଡ। ମୁହଁରେ ଗାମୁଛା ଗୁଡ଼ାଇ ଏମାନେ ଏଠାରେ ଅପେକ୍ଷା କରିଥିଲେ। ଅପେକ୍ଷା କରିଥିଲେ ନିଜର ସନ୍ତାନମାନଙ୍କୁ । ଯେଉଁମାନେ ପୋଲିସ ହେବା ଆଶାରେ କଏଦୀ ବନିଯାଇଥିଲେ । ୧ ମାସେ ହେଲା ଜେଲ୍ରେ ଥିବା ବେଳେ କୋର୍ଟ ପରୀକ୍ଷାର୍ଥୀମାନଙ୍କୁ ଜାମିନ ପ୍ରଦାନ କରିଥିଲେ। ଆଜି ଅଭିଭାବକମାନେ ନିଜ ସନ୍ତାନମାନଙ୍କୁ ପାଛୋଟି ନେବା ପାଇଁ ଜେଲ୍ ପାଖକୁ ଆସିଥିଲେ। ସମୟ ଠିକ୍ ସାଢ଼େ ୧୨ଟା । ଜେଲ୍ର ଫାଟକ ଖୋଲିଥିଲା । ଜଣଙ୍କ ପରେ ଜଣେ ମୁହଁ ଘୋଡ଼ାଇ ବାହାରକୁ ଆସିଥିଲେ। ଆଉ ଏମାନଙ୍କୁ ନେଇଯାଇଥିଲେ ଏମାନଙ୍କ ଅଭିଭାବକ। ପରୀକ୍ଷାର୍ଥୀମାନେ ଅବଶ୍ୟ ମୁହଁ ଖୋଲିନଥିଲେ କିନ୍ତୁ ଅଭିଭାବକମାନେ ହଲପ ଖାଇଥିଲେ ଆଉ ପିଲାଙ୍କୁ ପୋଲିସ ଚାକିରି ପାଇଁ ମନ ବଳାଇବେ ନାହିଁ।
ଗତ ୧ ତାରିଖରେ ବ୍ରହ୍ମପୁର ପୋଲିସ ଦଲାଲ ସମେତ ୧୧୭ଜଣଙ୍କୁ ଗିରଫ କରିଥିଲା । ପୋଲିସ ଏସଆଇ ପରୀକ୍ଷାର ପୂର୍ବ ଦିନ ଏମାନେ ରହସ୍ୟଜନକ ଭାବେ ଆନ୍ଧ୍ର ପ୍ରଦେଶ ଯାଉଥିବା ବେଳେ ପୋଲିସ ମାଡି ବସିଥିଲା । ଏମାନଙ୍କ ଭିତରେ ୧୧୪ ଜଣ ଥିଲେ ପରୀକ୍ଷାର୍ଥୀ । ଜାମିନ ପାଇବା ପରେ ୯୪ ଜଣ ଜେଲରୁ ମୁକୁଳିଥିବା ବେଳେ ଅନ୍ୟ ୨୦ ଜଣ ରାତି ହେଲେ ଜେଲରୁ ବାହାରିବେ ବୋଲି ଜଣାଇଥିଲେ । ଦୁଇ ଜଣ ଜାମିନଦାରିଙ୍କ ସହ ୫୦ ହଜାର ଟଙ୍କା ଲେଖାଏଁ ମୁଚାଲିକାର ଏମାନେ ଜାମିନରେ ମୁକୁଳିଛନ୍ତି । ତେବେ ମୁକୁଳିବା ବେଳେ ଏମାନଙ୍କ ଓକିଲ କିଛି କଠୋର ପ୍ରଶ୍ନ କରିଛନ୍ତି । ନିରୀହ ପିଲାଙ୍କୁ ଗିରଫ କରିଲେ । କିନ୍ତୁ ଏ ଯାଏଁ କିଙ୍ଗପିନକୁ ଗିରଫ କରି ପାରିଲେ ନାହିଁ। ପରୀକ୍ଷାର୍ଥୀଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ କାହିଁକି ଉପଯୁକ୍ତ ତଥ୍ୟ ପ୍ରମାଣ ଦାଖଲ କରି ପାରିଲା । ଏଭଳି ଗିରଫଦାରୀ ବିରୁଦ୍ଧରେ ଉପର କୋର୍ଟ ଯିବୁ ବୋଲି କହିଥିଲେ ଆଇନଜୀବୀ




