ଭୁବନେଶ୍ୱର ୯।୧୦: ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ । ଭୁବନେଶ୍ବର ସ୍ଥିତ ‘ବଣିକ୍’ କୋଚିଂ ସେଣ୍ଟରରେ ପୁଣି ଛାନଭିନ୍ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ‘ବଣିକ୍’ କୋଚିଂ ସେଣ୍ଟରରେ ଏସ୍ଆଇ ଆଶାୟୀ ପ୍ରାର୍ଥୀଙ୍କୁ ତାଲିମ ଦିଆଯାଉଥିବା ଅଭିଯୋଗ ଆସିଛି । ଏବି ଲିଙ୍କ୍ରେ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ ।
ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ଘଟଣାରେ ପର୍ଯ୍ୟାୟ କ୍ରମେ ୧୧୯ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ୧୧୪ ପରୀକ୍ଷାର୍ଥୀଙ୍କ ସହ ୫ ଜଣ ଦଲାଲଙ୍କୁ ଗିରଫ କରି ଜେଲ୍ ପଠାଇଛି । ବୁଧବାର ୧୧୯ ଜଣଙ୍କ ଜାମିନ ଆବେଦନ କରାଯାଇଥିବା ବେଳେ ସମସ୍ତଙ୍କ ଜାମିନ ଆବେଦନ ଖାରଜ କରାଯାଇଛି । ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟ ସମସ୍ତଙ୍କ ଜାମିନ ଖାରଜ କରିଛନ୍ତି ।
ପୋଲିସ ଏସ୍ଆଇ ପରୀକ୍ଷା ମହାଦୁର୍ନୀତିର ଗୁମର ଖୋଲିବା ଆରମ୍ଭ କରିଛି । କ୍ରାଇମବ୍ରାଞ୍ଚ ଡିଏସ୍ପି ରତ୍ନପ୍ରଭା ଶତପଥୀଙ୍କୁ ମିଳିଛି ଏସ୍ଆଇ ପରୀକ୍ଷା ଦୁର୍ନୀତିର ତଦନ୍ତ ଦାୟିତ୍ବ । ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ସମସ୍ତ ମାମଲାର ସେ ତଦନ୍ତ କରୁଛନ୍ତି । ସୁପରଭାଇଜିଂ ଅଫିସର ଭାବେ ରହିଛନ୍ତି କ୍ରାଇମବ୍ରାଞ୍ଚ ଏସ୍ପି ଅନୀଲ ବେଉରିଆ ।
ଏହି କେଳେଙ୍କାରୀରେ ରାଜନେତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ ବଢ଼ିଲାଣି । କେବଳ ସେତିକି ନୁହେଁ, ଯେଉଁ ସବୁ ସଂସ୍ଥାରେ ପୂର୍ବରୁ କଳାଦାଗ ଲାଗିଛି, ପ୍ରଶ୍ନପତ୍ର ପ୍ରସ୍ତୁତି ଓ ପରୀକ୍ଷା ପରିଚାଳନା ପାଇଁ ସେହି ସବୁ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରାଯାଇଛି । କ୍ରାଇମବ୍ରାଞ୍ଚ ଏବେ ଏସବୁ ଦିଗକୁ ନେଇ ତନାଘନା କଲାଣି । ଅନ୍ୟପକ୍ଷରେ ଏହି ଘଟଣାରେ ପୋଲିସ ୧୧୪ ଜଣ ପରୀକ୍ଷାର୍ଥୀ ଓ ଜଣ ଦଲାଲଙ୍କୁ ଗିରଫ କରିଥିବା ବେଳେ ରାକେଟ୍ ପଛର ମାଷ୍ଟରମାଇଣ୍ଡ ଏବେବି ଫେରାର ଅଛନ୍ତି । କ୍ରାଇମବ୍ରାଞ୍ଚ ଟିମ୍ ସିଲିକନ୍ ଟେକ୍ ଲ୍ୟାବ୍ର ମାଲିକଙ୍କ ସମେତ ୫ରୁ ଅଧିକଙ୍କୁ ମାରାଥନ ଜେରା କରି ଅନେକ ତଥ୍ୟ ହାତେଇଛି । ସେହିପରି ଭୁବନେଶ୍ବର ଓ ବ୍ରହ୍ମପୁର ସ୍ଥିତ ପଞ୍ଚସଫ୍ଟ ଏବଂ ଅନ୍ୟ ୩ଟି ଅଫିସରେ ଚଢ଼ଉ କରି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ଅଫିସ୍କୁ ସିଲ୍ କରିଛି ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପୋଲିସ ଏସ୍ଆଇ ପରୀକ୍ଷା ପରିଚାଳନା ଲାଗି କୋଲକାତାର ଆଇଟିଆଇ ସଂସ୍ଥାକୁ ଟେଣ୍ଡର ମିଳିଥିଲା । ପରେ ଏହି ସଂସ୍ଥା ହାଇଦ୍ରାବାଦର ସିଲିକନ୍ ଟେକ୍ଲାବ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରିଥିଲା । ସିଲିକନ୍ ଏହାକୁ ସବ୍ଲେଟ୍ରେ ବ୍ରହ୍ମପୁରର ପଞ୍ଚସଫ୍ଟ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାକୁ ଦାୟିତ୍ବ ଦେଇଥିଲା । ପଞ୍ଚସଫ୍ଟକୁ ଦାୟିତ୍ବ ମିଳିବା ପରେ ସଂସ୍ଥାର ନିର୍ଦ୍ଦେଶକ ଶଙ୍କର ପୃଷ୍ଟି ଘୋଟାଲା ପାଇଁ ଯୋଜନା କରିଥିଲେ । ଖଣ୍ଡଗିରି ଅଞ୍ଚଳର ମୁନା ମହାନ୍ତିଙ୍କୁ ରାକେଟ୍ରେ ସାମିଲ କରି ଆଶାୟୀଙ୍କୁ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିଲେ । ତେବେ ମୁନା ବିଭିନ୍ନ ମାଧ୍ୟମରେ ଆଶାୟୀଙ୍କ ସହ ଯୋଗାଯୋଗ କରି ଆଗୁଆ ଅରିଜିନାଲ୍ ସାର୍ଟିଫିକେଟ୍ ହାତାଉଥିଲା । ଏହାକୁ ସେ ଶଙ୍କର ସହ ଯୋଗାଯୋଗ କରି ହାଇଦ୍ରାବାଦ ସଂସ୍ଥା ପାଖକୁ ପଠାଉଥିଲା । ଯାହାର ପ୍ରମାଣ ପୋଲିସ ହାତରେ ଲାଗିଛି ।




